ପୁଲିସ ଖର୍ଚ୍ଚ ହିସାବ ଦେଉନି, ଆଉ ଟଙ୍କା ମିଳିବନି; ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରିବେ କିପରି

ଭୁବନେଶ୍ବର : ଭୁବନେଶ୍ବର ଓ କଟକରେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ କମିସନରେଟ୍ ପୁଲିସ୍ ବାଣିଜ୍ୟ ଓ ପରିବହନ ବିଭାଗରୁ ୫୬ଲକ୍ଷ ୯୯ହଜାର ୨୮୫ଟଙ୍କା ଆଣିଛି। ହେଲେ ଏହାକୁ କେମିତି ଖର୍ଚ୍ଚ କରିଛି ତା’ର ହିସାବ ଦେଉନି। ଏବେ ପୁଣି ଜାନୁଆରି ୧୧ରୁ ଆରମ୍ଭ ହେବାକୁ ଥିବା ସଡ଼କ ସୁରକ୍ଷା ସପ୍ତାହ ପାଇଁ ୨୦ଲକ୍ଷ ଟଙ୍କା ମାଗିଛି। ହେଲେ ଏହି ୨୦ଲକ୍ଷ ଟଙ୍କା ପାଇବା ନେଇ ସନ୍ଦେହ ପ୍ରକାଶ ପାଇଛି। କାହିଁକିନା କମିସନରେଟ୍ ପୁଲିସ ୫୬ଲକ୍ଷ ୯୯ହଜାର ୨୮୫ଟଙ୍କାର ହିସାବ (ବିନିଯୋଗ ପ୍ରମାଣପତ୍ର) ଦେବା ପରେ ହିଁ ଟଙ୍କା ଦିଆଯିବ ବୋଲି ସଡ଼କ ସୁରକ୍ଷା ପାଣ୍ଠି ପରିଚାଳନା କମିଟି କହିଛି।

ନିକଟରେ ବସିଥିବା ସଡ଼କ ସୁରକ୍ଷା ପାଣ୍ଠି ପରିଚାଳନା କମିଟି ବୈଠକରେ ବିଭିନ୍ନ ବିଭାଗ ସଡ଼କ ସୁରକ୍ଷା ସପ୍ତାହ ପାଳନ ପାଇଁ କେତେ ଅର୍ଥ ଆବଶ୍ୟକ କରୁଛନ୍ତି କହିଥିଲେ। ଏପରିକି ‌କିଏ କେତେ ଟଙ୍କା ନେବାକୁ ଚାହୁଁଛନ୍ତି ତା’ର ଲମ୍ବା ଚଉଡ଼ା ତାଲିକା ଦେଇଥିଲେ। ହେଲେ କମିସନରେଟ୍ ପୁଲିସ ସମେତ ବିଭିନ୍ନ ବିଭାଗ ପୂର୍ବରୁ ନେଇଥିବା ଅର୍ଥର ବିନିଯୋଗ ପ୍ରମାଣପତ୍ର ଦେଇ ନ ଥିବାରୁ ସେମାନଙ୍କୁ ଟଙ୍କା ଦିଆଯିବନି ବୋଲି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ କହିଛନ୍ତି।

କମିସନରେଟ୍ ପୁଲିସ ସଡ଼କ ସୁରକ୍ଷା ସପ୍ତାହ ଗତ କିଛି ବର୍ଷ ହେଲା ନିୟମିତ ପାଳନ ସହି ବିଭିନ୍ନ ସ୍ଥାନରେ ସ‌ଚେତନତା କାର୍ଯ୍ୟକ୍ରମ କରିଥାଏ। ଏଥିରେ ଏଜି ଛକନିକଟସ୍ଥ ଟ୍ରାଫିକ ଥାନାରେ ଗାଡ଼ି ଚାଳକଙ୍କୁ ଫୁଲ ଦେଇ ବିଭିନ୍ନ ପ୍ରକାରର ସଚେତନତା ବାର୍ତ୍ତା ଦେଇଥାଏ। ଏପରିକି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଫଟୋ ପ୍ରଦର୍ଶନୀ କରି ସ‌ଚେତନତା ସୃଷ୍ଟି କରିଥାଏ। ହେଲେ ଏଥିରେ କେଉଁଥି ବାବଦକୁ କେତେ ଟଙ୍କା ଖର୍ଚ୍ଚ କରିଛି, କାହାକୁ କେତେ ଟଙ୍କା ଦିଆଯାଇଛି, ଯେତେ ଟଙ୍କା ନେଇଥିଲେ ସେଥିରୁ କିଛି ବଳିଛି ନା ସବୁ ଟଙ୍କା ଖର୍ଚ୍ଚ ହୋଇଯାଇଛି ତା’ର ହିସାବ କାହାକୁ ଜଣାନାହିଁ। ଏପରିକି ଯେଉଁ ବିଭାଗରୁ କମିସନରେଟ୍ ପୁଲିସ ଟଙ୍କା ଆଣିଛି ତାଙ୍କୁ ବି ହିସାବ ଦେଇନି। ତେଣୁ ବିନା ବିନିଯୋଗ ପ୍ରମାଣପତ୍ରରେ ଆଉ ଟଙ୍କା ଦେଇହେବନି ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ନିଷ୍ପତ୍ତି ନେଇଛି। ଡିସେମ୍ବର ୧୬ରେ ବସିଥିବା ସଡ଼କ ସୁରକ୍ଷା ପାଣ୍ଠି ପରିଚାଳନା କମିଟି ବୈଠକରେ କମିସନରେଟ୍ ପୁଲିସ ପକ୍ଷରୁ ଭୁବନେଶ୍ବର ଓ କଟକରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ପାଇଁ ୨୦ଲକ୍ଷ ଟଙ୍କା ମଗାଯାଇଥିଲା। ହେଲେ ପରିବହନ ବିଭାଗ କମିସନର କହିଥିଲେ କଟକରେ ସଚେତନତା କାର୍ଯ୍ୟକ୍ରମ ପାଇଁ କଟକ ଆର୍‌ଟିଓଙ୍କୁ ୧୦ଲକ୍ଷ ଟଙ୍କା ଏବଂ ଭୁବନେଶ୍ବରରେ ସଚେତନତା କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ବର ଆର୍‌ଟିଓ-୧ ଓ ଆର୍‌ଟିଓ-୨କୁ ୧୦ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି। ଦୁଇ ସହରରେ ଆର୍‌ଟିଓମାନେ ସଚେତନତା କାର୍ଯ୍ୟକ୍ରମ କରିବେ। କମିସନରେଟ୍ ପୁଲିସ ପୂର୍ବରୁ ନେଇଥିବା ଟଙ୍କାର ବିନିଯୋଗ ପ୍ରମାଣ ପତ୍ର ଦେଇନି। ସେଗୁଡ଼ିକୁ ଆଗ ଦେଉ। ଏହାସହ କମିସନରେଟ୍ ପୁଲିସ କେଉଁଭଳିଆ ସଚେତନତା କାର୍ଯ୍ୟକ୍ରମ କରିବାକୁ ଯୋଜନା କରିଛି, କେମିତି କରିବ, କେଉଁଠି କରିବ ତା’ର ଆକ୍ସନ୍ ପ୍ଲାନ୍ ଆଗ ଦେଉ। ଏହାପରେ ଟଙ୍କା ଦିଆଯିବ କି ନାହିଁ ନିଷ୍ପତ୍ତି ନିଆଯିବ। କମିସନରେଟ୍ ପୁଲିସକୁ ହତୋତ୍ସାହିତ ନ କରିବା ପାଇଁ କୁହାଯାଇଛି ଯେ, ପରିବହନ ବିଭାଗ ପୁଲିସକୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବ।

ପରିବହନ ବିଭାଗର ଏହିଭଳି ଉତ୍ତର ଶୁଣିବା ପରେ କମିସନରେଟ୍ ପୁଲିସ କର୍ତ୍ତୃପକ୍ଷ ଏବେ ପୂର୍ବ ବର୍ଷଗୁଡ଼ିକର ଖର୍ଚ୍ଚ ତାଲିକା‌ ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି। ବିନିଯୋଗ ପ୍ରମାଣ ପତ୍ର ନଦେଲେ ଏଥର ଟଙ୍କା ମିଳିବନି , ଟଙ୍କା ନମିଳିଲେ କମିସନରେଟ୍ ପୁଲିସ ଦୀର୍ଘ ବର୍ଷ ହେଲା କରି ଆସୁଥିବା ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟ କରିପାରିବନି।
କେବଳ କମିସନରେଟ୍ ପୁଲିସ ନୁହେଁ। ରାଜ୍ୟ ପୁଲିସ ବି ପରିବହନ ବିଭାଗରୁ ୨୦୧୫-୧୬ ମସିହାରେ ୧.୦୭କୋଟି ଆଣିଥିବା ବେଳେ ଏହାର ହିସାବ ଦେଇନି। ଏନେଇ ପରିବହନ ବିଭାଗ ପକ୍ଷରୁ ବାରମ୍ବାର ପୁଲିସ ଡିଜିଙ୍କୁ ଚିଠି ଲେଖା ଯାଇଥିଲେ ବି ରାଜ୍ୟ ପୁଲିସ ହିସାବ ଦେଇନି। ଏହାପରେ ପରିବହନ ବିଭାଗ କହିଛି ଯେ, ୧୫ଦିନ ଭିତରେ ରାଜ୍ୟ ପୁଲିସ ବିନିଯୋଗ ପ୍ରମାଣପତ୍ର ଦେଲେ ହିଁ ଆଗକୁ ଟଙ୍କା ଦିଆଯିବ। ନଚେତ୍ ଆଉ ଟଙ୍କା ଦିଆଯିବନି।

ସେହିପରି ବିଭିନ୍ନ ଜିଲ୍ଲାର ଏସ୍‌ପି ଓ ଡିସିପିମାନଙ୍କୁ ୨୦୧୬-୧୭ରୁ ୨୦୧୮-୧୯ ମଧ୍ୟରେ ଅର୍ଥ ଦିଆଯାଇଥିଲେ ବି ସେମାନେ ଏପର୍ଯ୍ୟନ୍ତ ବିନିଯୋଗ ପ୍ରମାଣପତ୍ର ଦେଇନାହାନ୍ତି। ଏହି ପ୍ରମାଣପତ୍ର ନଦେଲେ ଟଙ୍କା ଦିଆଯିବନି ବୋଲି ପରିବହନ ବିଭାଗ କହିଛି। ୨୦୧୬-୧୭ରେ କଟକ ଏସ୍‌ପି୧ଲକ୍ଷ, କଳାହାଣ୍ଡି ଏସ୍‌ପି ୭୫ହଜାର, ନୂଆପଡ଼ା ଏସ୍‌ପି ୭୫ହଜାର, ୨୦୧୭-୧୮ରେ କେନ୍ଦୁଝର ଏସ୍‌ପି ୨ଲକ୍ଷ, ରାୟଗଡ଼ା ଏସ୍‌ପି ୭୫ହଜାର, ୨୦୧୮-୧୯ରେ କେନ୍ଦୁଝର ଏସ୍‌ପି ୫ଲକ୍ଷ, କେନ୍ଦ୍ରାପଡ଼ା ଏସ୍‌ପି ୭୫ହଜାର, କଟକ ଏସ୍‌ପି ୧ଲକ୍ଷ, ବ୍ରହ୍ମପୁର ଏସ୍‌ପି ୧ଲକ୍ଷ, ଗଜପତି ଏସ୍‌ପି ୫୦ହଜାର, କୋରାପୁଟ ଏସ୍‌ପି ୫୦ହଜାର ଟଙ୍କା ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ଟଙ୍କା ନେଇଥିଲେ ହେଁ ଏପର୍ଯ୍ୟନ୍ତ ବିନିଯୋଗ ପ୍ରମାଣପତ୍ର ଦେଇନାହାନ୍ତି।

ସମ୍ବନ୍ଧିତ ଖବର