ଖଣ୍ଡଗିରି,: ‘ସୁଧୁରି ଯାଅ। ଟ୍ରାଫିକ୍ ନିୟମ ମାନ। ନ ହେଲେ ମୁଁ ଛକି ବସିଛି ବାଟରେ। ବାଇକ୍ ଚଳାଇବା ବେଳେ ମୁଣ୍ଡରେ ହେଲମେଟ୍ ପିନ୍ଧ ଓ କାର୍ ଚଳାଇବାବେଳେ ସିଟ୍ ବେଲ୍ଟ୍ ବାନ୍ଧ। ମୁଁ ଛାଡ଼ିଦେବି, ନେବି ନାହିଁ।’ ଆଜି ବରମୁଣ୍ଡା ବସଷ୍ଟାଣ୍ଡରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା। ଯମରାଜ ଓ ତାଙ୍କ ମନ୍ତ୍ରୀ ଚିତ୍ରଗୁପ୍ତ ଏଭଳି କଥା କହି ଲୋକଙ୍କୁ ସତର୍କ କରାଇ ଦେଉଥିଲେ। ବସ୍ ମାଲିକ ସଂଘ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ କଳାକାରମାନେ ଲୋକଙ୍କୁ ଏହି ସଚେତନତା ବାର୍ତ୍ତା ବାଣ୍ଟୁଥିବାର ଦୃଶ୍ୟ ବେଶ୍ ଉପଭୋଗ୍ୟ ହୋଇଥିଲା। ୩୧ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ବସ୍ ମାଲିକ ସଂଘ ପକ୍ଷରୁ ଏଭଳି ପଥପ୍ରାପ୍ତ ନାଟକ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ପରିବହନ କମିସନର ସଂଜୀବ କୁମାର ପଣ୍ଡା ଅତିଥିଭାବେ ଯୋଗ ଦେଇଥିବାବେଳେ ଆର୍ଟିଓ-୧ ଓ ଆର୍ଟିଓ-୨ ଏଥିରେ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଏଣିକି ଯାତ୍ରୀମାନଙ୍କୁ ୨୪ ଘଣ୍ଟିଆ ସହାୟତା ପ୍ରଦାନ କରାଯିବ ବୋଲି ଏକ ସେଲ୍ କାର୍ଯ୍ୟକାରୀ କରାଯିବା ସହ ଦିବ୍ୟାଙ୍ଗମାନଙ୍କ ପାଇଁ ହୁଇଲ୍ ଚେୟାର୍ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ବରଦା ପ୍ରସନ୍ନ ଆଚାର୍ଯ୍ୟ ଓ ଉପସଭାପତି ଅଖିଳଚନ୍ଦ୍ର ପାଣିଗ୍ରାହୀଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଭୁବନେଶ୍ୱର: କମିସନରେଟ୍ ପୁଲିସ ପାଳନ କରୁଛି ସଡ଼କ ସୁରକ୍ଷା ସପ୍ତାହ। ଏହି ଅବସରରେ ଆଜି ଟ୍ରାଫିକ୍ ଥାନାରେ ଆୟୋଜିତ ରକ୍ତଦାନ ଶିବିରରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ଡିସିପି ଅନୁପ କୁମାର ସାହୁ ରକ୍ତଦାନ କରି ସଚେତନତା ସୃଷ୍ଟି କରିଛନ୍ତି। ଦୁର୍ଘଟଣାର ଶିକାର ହୋଇ ରାସ୍ତାରେ ରକ୍ତ ନ ଢାଳି ରକ୍ତଦାନ କରି ଆଉ କାହାର ଜୀବନ ବଞ୍ଚାନ୍ତୁ ବୋଲି ସେମାନେ କହିଥିଲେ। ତାଙ୍କ ସହିତ ତତ୍କାଳୀନ ଟ୍ରାଫିକ୍ ଏସିପି କିଶୋର ପାଣିଗ୍ରାହୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ରକ୍ତଦାନ କରିଛନ୍ତି। ସେହିଭଳି ଟ୍ରାଫିକ୍ ଡିସିପି ସାଗରିକା ନାଥ ଛୋଟ ପିଲାଙ୍କ ପାଇଁ ହେଲ୍ମେଟ୍ ବାଣ୍ଟିଥିଲେ। ସନ୍ଧ୍ୟାରେ ରାମମନ୍ଦିର ସାମ୍ନାରେ ସଡ଼କ ନିରାପତ୍ତା ନେଇ ସଚେତନତା ସୃଷ୍ଟି କରାଯିବା ସହ ଅଭିଭାବକଙ୍କ ସହ ବାଇକ୍ରେ ବସି ଯାତ୍ରା କରୁଥିବା ବେଳେ ଶିଶୁମାନଙ୍କୁ ହେଲ୍ମେଟ୍ ପିନ୍ଧିବାକୁ କୁହାଯାଇଥିଲା। ଯେଉଁମାନେ ହେଲ୍ମେଟ୍ ପିନ୍ଧି ନ ଥିଲେ ସେମାନଙ୍କୁ ଡିସିପି ହେଲ୍ମେଟ୍ ପ୍ରଦାନ କରିଥିଲେ। ସେହିଭଳି ଗତକାଲି ଟ୍ରାଫିକ୍ ଥାନାରେ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା। ବିଭିନ୍ନ ଛକରେ ସଚେତନତା ସୃଷ୍ଟି କରାଯାଇଥିଲା। ଛୋଟ ଛୋଟ ପିଲାମାନଙ୍କ ଦ୍ବାରା ପଥପ୍ରାନ୍ତ ନାଟକ ଆୟୋଜନ କରାଯାଇଥିଲା।