ସଡ଼କ ସୁରକ୍ଷା ଅଭିଯାନ-୨୦୧୯, ସଚେତନ ହେଲେ କମିବ ଦୁର୍ଘଟଣା

ପାଟ୍ରୋଲିଂକୁ ଅଧିକ କଡ଼ାକଡ଼ି କରାଯିବ, ଉନ୍ମୋଚିତ ହେଲା ଫୋରମ ୱେବସାଇଟ୍‌

ଭୁବନେଶ୍ବର: ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ ଦୁର୍ଘଟଣା ହାର ଉଦ୍‌ବେଗଜନକ। ଭାରତ ମଧ୍ୟ ଅନ୍ୟ ଦେଶମାନଙ୍କ ତୁଳନାରେ ଏହି କ୍ଷେତ୍ରରେ ଆଗରେ ରହିଛି। ସାଧାରଣ ଲୋକ ସଚେତନ ହେଲେ, ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିବ। ଆଜି ଜୟଦେବ ଭବନଠାରେ ଆୟୋଜିତ ‘ସଡ଼କ ସୁରକ୍ଷା ଅଭିଯାନ-୨୦୧୯’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁଲିସ ମହାନି‌ର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ଏପରି ମତବ୍ୟକ୍ତ କରିଛନ୍ତି। ଫୋରମ୍‌ ଫର୍‌ ସ୍ମାର୍ଟ ସିଟିଜେନ୍‌ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ‌ରେ ଶ୍ରୀ ଶର୍ମା କହିଲେ, ରାଜ୍ୟରେ ୨୦୧୬-୧୭ରେ ଦୁର୍ଘଟଣାଜନିତ ମୃତ୍ୟୁହାର ୭% ବଢ଼ିଥିବା ବେ‌ଳେ ୧୦୧୭-୧୮ରେ ୧୦.୯୪% ବଢ଼ିଛି। ଦୁର୍ଘଟଣା ହାର କମାଇବା ପାଇଁ ଆଗାମୀ ଦିନରେ ଜାତୀୟ ରାଜପଥରେ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ଶ୍ରୀ ଶର୍ମା କହିଥିଲେ। ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଦୁର୍ଘଟଣାର ବିଭିନ୍ନ କାରଣ ସଂପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜାତୀୟ ସଡ଼କ ସୁରକ୍ଷା ପରିଷଦର ପୂର୍ବତନ ସଦସ୍ୟ ସୟଦ ମକ୍‌ବୁଲ୍‌ ଅଲ୍ଲୀ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଫୋରମ୍‌ର ମୁଖ୍ୟ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କହିଛନ୍ତି, ଲୋକମାନଙ୍କୁ ସଚେତନ କରାଇବା ନେଇ ଆରମ୍ଭ ହୋଇଥିବା ଏହି ଅଭିଯାନ ୧ ତାରିଖରୁ ଆରମ୍ଭ ହୋଇ ମାସେ ପର୍ଯ୍ୟନ୍ତ ଚାଲିବ। ଅଭିଯାନରେ ସାମିଲ୍‌ ହୋଇଥିବା ବଡ଼ଗାଁ ଆଇଟିଆଇ, ଭାରତ ସ୍କାଉଟ୍‌ ଓ ଗାଇଡ୍‌ର ଶହେ ଜଣ ଛାତ୍ରଛାତ୍ରୀ ମାସବ୍ୟାପୀ ବିଭିନ୍ନ ମଲ୍‌, ଶିକ୍ଷାନୁଷ୍ଠାନ, ପାର୍କ ଆଦି ସ୍ଥାନରେ ଲୋକମାନଙ୍କୁ ସଚେତନ କରାଇବେ। ଏହି ଅବସରରେ ଫୋରମ୍‌ର ୱେବ୍‌ସାଇଟ୍‌କୁ ମୁଖ୍ୟ ଅତିଥି ଉନ୍ମୋଚିତ କରିଥିଲେ। ପୂର୍ବତନ ସୂଚନା କମିସନର୍‌ ଶ୍ରୀ ଜଗଦାନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଜୟ ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର