ସଡ଼କ ସୁରକ୍ଷା ମାସର ଉଦ୍‌ଯାପନୀ ଉତ୍ସବ, ଅର୍ଥନୀତିକୁ ଦୁର୍ବଳ କରୁଛି ରାସ୍ତା ଦୁର୍ଘଟଣା

୧୦ ବର୍ଷରେ ମରିଛନ୍ତି ୪୪ ହଜାର

ଭୁବନେଶ୍ବର: କେବଳ ଦେଶର ନୁହେଁ, ରାସ୍ତା ଦୁର୍ଘଟଣା ରାଜ୍ୟର ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରୁଛି। ବିଶ୍ବବ୍ୟାଙ୍କ ସର୍ବେକ୍ଷଣ ମୁତାବକ ଦେଶ ଜିଡିପିର ୩.୧୦ପ୍ରତିଶତ ଅର୍ଥାତ ପ୍ରାୟ ୪ଲକ୍ଷ ୯୬ ହଜାର କୋଟି ଟଙ୍କା ଏ ବାବଦରେ ଅପଚୟ ହେଉଛି। ଓଡ଼ିଶାରେ ସର୍ବାଧିକ ନିମ୍ନ ମଧ୍ୟବିତ୍ତ ପରିବାରର ସଦସ୍ୟ ଦୁର୍ଘଟଣାର ଶିକାର ହେଉଛନ୍ତି। ଯେତେ ଦୁର୍ଘଟଣା ଶିକାର ହେଉଛନ୍ତି, ସେମାନଙ୍କର ୭୫ ପ୍ରତିଶତ ଗରିବ ସୀମାରେଖା ତଳକୁ ଖସି ଯାଉଛନ୍ତି। ଅଧିକାଂଶ କ୍ଷେତ୍ରରେ ପୀଡ଼ିତ ଘରର ଏକମାତ୍ର ରୋଜଗାରିଆ ସଦସ୍ୟ ହୋଇଥିବାରୁ ଦୁର୍ଘଟଣା ପରେ ପରିବାରର ମେରୁଦଣ୍ଡ ଦୋହଲି ଯାଉଛି। ଆଉ ସୁଧୁରିବା ସମ୍ଭବ ହେଉ ନାହିଁ। ଆହତଙ୍କୁ ବଞ୍ଚାଇବା ପାଇଁ ଜୀବନଯାକର ସଞ୍ଚୟ ଖାଲି ହୋଇଯାଉଛି। ଏଣୁ ଗାଡ଼ି ଚଳାଇବା ବେଳେ ସାବଧାନତା ଅବଲମ୍ବନ କଲେ ନିଜ ସହ ଅନ୍ୟର କ୍ଷତି କରିବାରୁ ବର୍ତ୍ତିପାରିବେ ବୋଲି ପରାମର୍ଶ ଦେଇଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ପରିସରରେ ସଡ଼କ ସୁରକ୍ଷା ମାସ ପାଳନର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା ପ୍ରକାଶ କରିଛନ୍ତି।

ଅନ୍ୟତମ ଅତିଥି ଭାବରେ ଯୋଗ ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ରାଜ୍ୟର ଦୁର୍ଘଟଣାଜନିତ ମୃତ୍ୟୁର ସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ୪୪ ହଜାର ଲୋକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ୨୦୧୯ ମସିହାରେ ରାଜ୍ୟରେ ଘଟିଥିବା ୧ ହଜାର ୬୪ ରାସ୍ତା ଦୁର୍ଘଟଣାରୁ ୫ ହଜାର ୩୩୩ ଜଣ ପ୍ରାଣ ହରାଇଥିବା ବେଳେ ୧୧ ହଜାର ୧୧୭ ଜଣ ଆହତ ହୋଇଥିଲେ। ମୃତାହତଙ୍କ ମଧ୍ୟରେ ୭୮ପ୍ରତିଶତ ୧୫ରୁ ୪୫ ବୟସର ଥିଲେ। ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଘରର ରୋଜଗାରିଆ ସଦସ୍ୟ ଥିଲେ। ବର୍ଷରେ ରାଜ୍ୟରେ ଯଦି ଏହି ବୟସ ବର୍ଗର ୫ ହଜାରରୁ ଅଧିକ ପ୍ରାଣ ହରାଇବେ ତେବେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ।

ଏ ନେଇ ଡିଜି ଶ୍ରୀ ଅଭୟ କହିଛନ୍ତି, ରାଜପଥରେ ସର୍ବାଧିକ ଦୁର୍ଘଟଣା ହେଉଥିବାରୁ ଏଥିରେ ପାଟ୍ରୋଲିଂ ପାଇଁ ବ୍ୟବସ୍ଥା କରାଯାଇଛି। ମୋଟ ୩୬ଟି ଜାଗାରେ ଏହି ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଥିବା ବେଳେ ଏଯାଏ ୧୮ଟି ଜାଗାରେ କରାଯାଇଛି। ଏଥିପାଇଁ ରୋଡ୍‌ ସେଫ୍ଟି କମିଟି ପକ୍ଷରୁ ୧୦ କୋଟି ଟଙ୍କା ଅନୁଦାନ ମିଳିଛି। ଦୁର୍ଘଟଣା କମାଇବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ଜନ ସଚେତନତା ଜରୁରି ବୋଲି ସେ କହିଛନ୍ତି। ପରିବହନ ଆୟୁକ୍ତ ସଞ୍ଜୀବ ପଣ୍ଡା, ବିଧାୟକ(ମଧ୍ୟ) ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ସଡ଼କ ସୁରକ୍ଷା ମାସ୍‌କଟ ‘ଟିଆ’ ଲୋକାର୍ପିତ ହୋଇଥିଲା। ନୟାଗଡ଼ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରଙ୍କ ଦ୍ବାରା ସଡ଼କ ନିରାପତ୍ତା ସଚେତନତା ଧର୍ମୀ ଭିଡିଓ ପ୍ରଦର୍ଶିତ ହୋଇଥିଲା। ଗତ ମାସ ୧୮ ତାରିଖ ଦିନ ଚନ୍ଦ୍ରଶେଖରପୁର ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍‌ରୁ ସଡ଼କ ସୁରକ୍ଷା ମାସ ପାଳନ ଆରମ୍ଭ ହୋଇ ମାସ ସାରା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭାଗ ପକ୍ଷରୁ ମାସ ସାରା ସଡ଼କ ନିରାପତ୍ତାକୁ ନେଇ କୁଇଜ୍‌ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର