ଭୁବନେଶ୍ବର: ରାଜଧାନୀରେ ପୁଣି ମୁଣ୍ଡ ନେଇଛି ହିଟ୍ ଆଣ୍ଡ ରନ୍ ମାମଲା। ଶନିବାର ସକାଳେ ମର୍ଣିଂ ଵାକ୍‌ କରୁଥିବା ବେଳେ କୌଣସି ଅଜଣା ଗାଡ଼ି ଧକ୍କାରେ ୧୨୦ ବାଟାଲିୟନ୍‌ର ଅବସରପ୍ରାପ୍ତ କର୍ଣ୍ଣେଲ୍‌ ଡାକ୍ତର ରବୀନ୍ଦ୍ରନାଥ ବେହେରାଙ୍କ ମୃତ୍ୟୁ ହୋଇଛି। ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାର ଏଟିଏମ୍ ଛକ ପାଖ ଶନିମନ୍ଦିର ନିକଟରେ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ବରିଷ୍ଠ ନାଗରିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗାଡ଼ି ଧକ୍କା ପରେ ତୁରନ୍ତ ଶ୍ରୀ ବେହେରାଙ୍କୁ ଡାକ୍ତରଖାନା ନିଆଯାଇଥିଲେ, ତାଙ୍କ ବଞ୍ଚିଯିବାର ବହୁ ଆଶା ଥିଲା। ମାତ୍ର ଧକ୍କା ଦେଇଥିବା ଗାଡ଼ିଚାଳକ ଫେରାର ହୋଇଗଲା ଏବଂ ଅନ୍ୟମାନେ ମଧ୍ୟ ତୁରନ୍ତ ସହଯୋଗ ପାଇଁ ଆଗେଇ ଆସିଲେ ନାହିଁ ବୋଲି ବହୁ ବରିଷ୍ଠ ନାଗରିକ କ୍ଷୋଭ ପ୍ରକାଶ କରିଛନ୍ତି।  

Advertisment

ନୀଳାଦ୍ରିବିହାର ଡିଫେନ୍‌ସ କଲୋନିରେ ରହୁଥିବା ଶ୍ରୀ ବେହେରା ସବୁଦିନ ପରି ଆଜି ସକାଳୁ ସକାଳୁ ମର୍ଣିଂଵାକ୍‌ ପାଇଁ ଘରୁ ବାହାରିପଡ଼ିଥିଲେ। ଭୋର୍‌ ପ୍ରାୟ ସାଢ଼େ ୫ଟା ବେଳେ ସେ ରାସ୍ତାକୁ ଚାଲି ଆସିଥିଲେ। କୁହୁଡ଼ି ଯୋଗୁ ଭଲ ଭାବେ ରାସ୍ତା ଦେଖାଯାଉ ନଥିଲା। ସେ ଚାଲିବା ଭିତରେ ପୂଜା ପାଇଁ କିଛି ଫୁଲ ତୋଳିଥିଲେ। କିନ୍ତୁ ହଠାତ୍ ଏକ ଦ୍ରୁତଗାମୀ କାର୍‌( ସ୍ଥାନୀୟ ଲୋକଙ୍କ ସୂଚନାନୁସା‌ରେ) ତାଙ୍କୁ ଧକ୍କା ଦେଇଥିଲା। ସେ ରାସ୍ତା କଡ଼ ଫୁଲ ଗଛ ପାଖାପାଖି ଥିଲେ ବି ବେପରୁଆ ଭାବେ ଗାଡ଼ି ଚଳାଉଥିବା କାର୍‌ ଚାଳକ ତାଙ୍କୁ ପିଟି ଦେଇ ପଳାଇଥିଲା। ରକ୍ତାକ୍ତ ଅବସ୍ଥାରେ ଶ୍ରୀ ବେହେରା ସଂଜ୍ଞାହୀନ ହୋଇ ପଡ଼ିରହିଥିଲେ ହେଁ ତୁରନ୍ତ ସହାୟତା ଯୋଗାଇ ଦେବାକୁ କେହି ଆଗେଇ ଆସି ନଥିଲେ। ଶ୍ରୀ ବେହେରାଙ୍କ ମୁଣ୍ଡ ପଛରେ ଗଭୀର କ୍ଷତ ହୋଇଥିବାରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ବିଳମ୍ବରେ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିଆଯାଇଥିଲା। ମାତ୍ର ସେତେବେଳକୁ ସବୁ କିଛି ଶେଷ ହୋଇସାରିଥିଲା। ଚନ୍ଦ୍ରଶେଖରପୁର ଥାନା ପୁଲିସ ହିଟ୍‌ ଆଣ୍ଡ ରନ୍‌ ମାମଲା ରୁଜୁ କରିଛି ଏବଂ ଗାଡ଼ିକୁ ଠାବ କରିବା ପାଇଁ ଛାନ୍‌ଭିନ୍‌ ଚଳାଇଛି। ସୂଚନାଯୋଗ୍ୟ ‌ଯେ ଗତକାଲି ଅପରାହ୍ଣରେ ପୁରୁଣା ଭୁବନେଶ୍ବର ନାଗେଶ୍ବର ଟାଙ୍ଗୀ ଅଞ୍ଚଳରେ ଘଟିଥିବା ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଗୁରୁତର ହୋଇଥିଲେ। ପୁଲିସ ଉକ୍ତ କାର୍‌କୁ ଠାବ କରିପାରିନାହିଁ। ରାଜଧାନୀରେ ଦିନକୁ ଦିନ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା ବଢ଼ୁଛି। ବହୁ ମାମଲାରେ ପୁଲିସ ଗାଡ଼ିଗୁଡ଼ିକୁ ଚିହ୍ନଟ କରିପାରୁନାହିଁ। ତେଣୁ ପୁଲିସ ବିଭିନ୍ନ ରାସ୍ତାରେ ଆବଶ୍ୟକ ସଂଖ୍ୟକ ସିସିଟିଭି ଲଗାଇବାକୁ ବରିଷ୍ଠ ନାଗରିକ ତଥା ବ୍ରିଗେଡିୟର୍‌ ଏଲ୍‌ସି ପଟ୍ଟନାୟକ ଦାବି କରିଛନ୍ତି।

ଡିଭାଇଡର୍‌‌ରେ ଚଢ଼ିଗଲା କାର୍‌, ବର୍ତ୍ତିଗଲେ ୫

ଭୁବନେଶ୍ବର: ଆଜି ସକାଳେ ଡମଣା ଛକରୁ ବିଡିଏ ଛକ ଆଡ଼କୁ ଯାଉଥିବା ଏକ ନୂଆ କାର୍‌ ଡିଭାଇଡର୍‌ ଉପରକୁ ମାଡ଼ିଯାଇଥିଲା। ଡିଭାଇଡର୍‌ରେ ଚଢ଼ିବା ପରେ କାର୍‌ଟି ଷ୍ଟ୍ରିଟ୍‌ଲାଇଟ୍‌ ଖମ୍ବରେ ଧକ୍କା ହୋଇଥିଲା। ଗାଡ଼ିର ସମ୍ମୁଖ ଭାଙ୍ଗିରୁଜି ଚୁର୍‌ମାର ହୋଇଯାଇଥିଲେ ହେଁ ସେଥିରେ ଥିବା ୫ ଯୁବକଙ୍କର ବିଶେଷ କିଛି କ୍ଷତି ହୋଇନାହିଁ। ଦୁର୍ଘଟଣା ପରେ କାର୍‌ରେ ଥିବା ଯୁବକମାନେ କ୍ରେନ୍‌ ମଗାଇ ଗାଡ଼ିକୁ ବାହାର କରି ଚାଲିଯାଇଥିଲେ। ଚନ୍ଦ୍ରଶେଖରପୁର ଥାନା ପୁଲିସ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ବେଳେ ମଞ୍ଚେଶ୍ବର ଥାନା ଧୀରକୂଟ ବସ୍ତି ନିକଟରେ କୌଣସି ଅଜଣା ଗାଡ଼ି ଧକ୍କା‌ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଭଦ୍ରକ ଜିଲ୍ଲା ବଳାଜିତପଡ଼ାର ଅବିନାଶ ନିଖିଲ୍‌ ରଞ୍ଜନ(୨୮)। ସେ ରଙ୍ଗମାଟିଆ ବସ୍ତିରେ ଭଡ଼ାଘର ନେଇ ରହୁଥିଲେ। ରାତି ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ମଞ୍ଚେଶ୍ବର ଥାନା ପୁଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଖୋଜୁଛି।