ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଉଦ୍‌ଯାପିତ : ଦ୍ୱିତୀୟ ହେଲ୍‌ମେଟ୍‌ ପିନ୍ଧ, ଟ୍ରାଫିକ୍‌ ନିୟମ ମାନ

ଭୁବନେଶ୍ୱର : ବାଇକ୍‌ ହେଉ କି କାର୍‌, କୌଣସି ବି ଗାଡ଼ି ଟ୍ରାଫିକ୍‌ରେ ଜେବ୍ରା କ୍ରସିଂ ଅତିକ୍ରମ କରୁଥିଲେ, ତାଙ୍କୁ ସବୁଜ ଡ୍ରେସ୍‌ ପିନ୍ଧିଥିବା ଯୁବତୀ ଓ ଯୁବକ ଘେରି ଯାଉଥିଲେ। ଆଉ ପଛକୁ ହଟିବା ପାଇଁ ଅନୁରୋଧ କରୁଥିଲେ। ଯଦି କେହି ଯୁକ୍ତି କରୁଥିଲା, ତାଙ୍କୁ ବୁଝାଇ ଗାଡ଼ି ପଛକୁ ଟାଣି ଆଣୁଥିଲେ। ଓଡ଼ିଶା କଲିଂ ଫାଉଣ୍ଡେସନ୍‌ ଓ ରାଜ୍ୟ ସଡ଼କ ପରିବହନ ସଂସ୍ଥା ମିଳିତ ଆନୁକୂଲ୍ୟରେ ୧୪ ଦିନ ଧରି ଚାଲିଥିବା ସଡ଼କ ସୁରକ୍ଷା ସଚେତନା କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ଆଜି ଏଜି ଛକଠାରେ  ଏଭଳି ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଖାଲି ଏତିକି ନୁହେଁ, ଯଦି କେହି ବାଇକ୍‌ ଚଲାଉଥିବା ସମୟରେ ହେଲମେଟ୍‌ ପିନ୍ଧି ନଥିଲେ, ସେଠାରେ ଥିବା ଯୁବକ ଯୁବତୀ ପାଖକୁ ଯାଇ ଏକ କାଗଜ ଟୋପିକୁ ମୁଣ୍ଡରେ ପିନ୍ଧାଇ ଦେଉଥିଲେ। ବାଇକ୍‌ ପଛରେ  ବସିଥିବା ବ୍ୟକ୍ତି ଯଦି ହେଲ୍‌ମେଟ୍‌ ପିନ୍ଧିନଥିଲେ ତାଙ୍କୁ ମଧ୍ୟ କାଗଜ ହେଲମେଟ ପିନ୍ଧାଉଥିଲେ। ଯେଉଁ ବାଇକ୍‌ରେ ୩ଜଣ ବସିଥିଲେ, ସେମାନଙ୍କୁ ଅଟକାଇ ୨ଜଣ ଯିବାକୁ କହୁଥିଲେ। ସେହିପରି କାର୍‌ ଚଲାଉଥିବା ସମୟରେ କେହି ଯଦି ସିଟ୍‌ବେଲ୍ଟ ପିନ୍ଧିନଥିଲା, ସେମାନଙ୍କ ଗାଡ଼ି ଅଟକାଇ ସିଟ୍‌ବେଲ୍ଟ ପିନ୍ଧାଉଥିଲେ। ଗାଡ଼ି ଚଲାଇବା ସମୟରେ ଜୀବନ ସୁରକ୍ଷା ନେଇ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଏଭଳି ଅଭିନବ ଉପାୟରେ ସଚେତନା ବାର୍ତ୍ତା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଡ଼କ ସୁରକ୍ଷା ପାଇଁ ଜନଜାଗରଣ ସୃଷ୍ଟି କରିବା ‘ଓଡ଼ିଶା କଲିଂ ଫାଉଣ୍ଡେସନ’ର ମୂଳ ଲକ୍ଷ୍ୟ ବୋଲି ଅନୁଷ୍ଠାନର ମୁଖ୍ୟ  ଦେବୁ ନାୟକ କହିଛନ୍ତି। ଆଜିର ଏହି ସଚେତନତା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲିଲି ସ୍ୱାଇଁ, ଶୁଭସ୍ମିତା ରାଉତ, ଜୟପ୍ରସାଦ ମହାନ୍ତି, ନିରଞ୍ଜନ ପ୍ରଧାନ, ବିଶ୍ୱଜିତ ସାହା, ଅରୂପ ଚାଟାର୍ଜୀ, ରାଜେନ୍ଦ୍ର ମହାରଣା ପ୍ରମୁଖ ଟ୍ରାଫିକରେ ଉପସ୍ଥିତ ରହି ସଚେତନ କରାଇଥିଲେ।

ସମ୍ବନ୍ଧିତ ଖବର