ଭୁବନେଶ୍ୱର : ଦୁର୍ଘଟଣା କ୍ଷେତ୍ରରେ ଓଡ଼ିଶା ଏକ ନମ୍ବର ରାଜ୍ୟରେ ପରିଣତ ହୋଇଛି। ଦୁର୍ଘଟଣାକୁ ରୋକିବା ପାଇଁ ହେଲେ ତୃଣମୂଳସ୍ତରରେ ସଚେତନତାର ଆବଶ୍ୟକ ରହିଛି। ତେଣୁ ଶିକ୍ଷା କ୍ଷେତ୍ରରେ ଏହାର ସୁଧାର ଅଣାଯିବା ଉଚିତ। ଶିକ୍ଷା କ୍ଷେତ୍ରରେ ଟ୍ରାଫିକ୍‌ ନିୟମ ନେଇ ଏକ ସ୍ୱତନ୍ତ୍ର ପାଠ୍ୟକ୍ରମ ଆବଶ୍ୟକ। ଶ୍ରେଣୀରେ ପିଲାମାନଙ୍କୁ ସ୍ୱତନ୍ତ୍ର ଭାବେ ଶିକ୍ଷା ଦିଆଯିବା ଦରକାର ବୋଲି ଆଜି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି।

Advertisment

ଏଜି ଛକ ସ୍ଥିତ ଟ୍ରାଫିକ୍‌ ଥାନା ପରିସରରେ ଅନୁଷ୍ଠିତ ୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହର ଉଦ୍‌ଘାଟନୀ ଉତ୍ସବରେ ପୁଲିସ ଡିଜି ଶ୍ରୀ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ମଦ୍ୟପାନ କରି ଗାଡ଼ି ଚଳାଇବା, ସେ ସମୟରେ ମୋବାଇଲ୍‌ ବ୍ୟବହାର କରିବା, ହେଲମେଟ୍‌ ଓ ସିଟ୍‌ ବେଲ୍ଟ ବ୍ୟବହାର ନକରିବା ଯୋଗୁଁ ଅଧିକ ଲୋକଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଉଛି। ଏଥିପାଇଁ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ଶ୍ରୀ ଶର୍ମା କହିଥିଲେ।

ସେହିପରି ଉତ୍ସବରେ ମୁଖ୍ୟବକ୍ତା ଭାବେ ପୁଲିସ କମିସନର ଓ୍ଵାଇବି ଖୁରାନିଆ ଯୋଗଦେଇ କହିଥିଲେ ଯେ, ସଡ଼କ ଦୁର୍ଘଟଣାରେ ଭାରତ ବିଶ୍ୱରେ ଏକ ନମ୍ବର। ବାର୍ଷିକ ୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ସଡ଼କ ଦୁର୍ଘଟଣାର ଶିକାର ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ଦେଢ଼ ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି। ଜାତୀୟ ରାଜପଥରେ ୩୦ ପ୍ରତିଶତ ଦୁର୍ଘଟଣା ଘଟୁଥିବା ବେଳେ ରାଜ୍ୟ ରାଜପଥରେ ୨୪ ପ୍ରତିଶତ ଦୁର୍ଘଟଣା ଘଟୁଛି। ସେହିପରି ଦିନ ୩ଟାରୁ ରାତି ୯ଟା ମଧ୍ୟରେ ସର୍ବାଧିକ ୩୦ ପ୍ରତିଶତ ଦୁର୍ଘଟଣା ଘଟୁଛି ବୋଲି ଶ୍ରୀ ଖୁରାନିଆ କହିଥିଲେ। ଅନ୍ୟ ରାଜ୍ୟମାନଙ୍କରେ ପ୍ରତିବର୍ଷ ଦୁର୍ଘଟଣା କମୁଥିବା ବେଳେ ଓଡ଼ିଶା ଏ କ୍ଷେତ୍ରରେ ପଛରେ ରହିଛି ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ। ଏ ନେଇ ସେ ଜାତୀୟ ରାଜପଥରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯିବା ପାଇଁ ଖୁବ୍‌ଶୀଘ୍ର ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଖୁରାନିଆ କହିଛନ୍ତି। ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଡିସିପି ଅନୁପ ସାହୁ ଓ ଅତିରିକ୍ତ ପୁଲିସ କମିସନର ସଞ୍ଜୟ ସିଂ ଯୋଗଦେଇଥିଲେ।

ଏହି ଅବସରରେ ପୁଲିସ ଡିଜିଙ୍କୁ ସମ୍ବର୍ଧିତ କରାଯାଇଥିଲା। ଟ୍ରାଫିକ୍‌ ଡିସିପି କୃଷ୍ଣଚନ୍ଦ୍ର ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଟ୍ରାଫିକ୍‌ ଏସିପି ଯତୀନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଟ୍ରାଫିକ୍‌ ଆଇଆଇସି ସୁରେନ୍ଦ୍ର ବଳ, ଷ୍ଟୁଡେଣ୍ଟ ଟ୍ରାଫିକ ଓ ଅନ୍ୟ ଟ୍ରାଫିକ୍‌ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଉତ୍ସବରେ ଅଭିନେତା ସବ୍ୟସାଚୀ ମହାପତ୍ର, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ବିଦୁସ୍ମିତା ମନ୍ତ୍ରୀ, କର୍ପୋରେଟ୍‌ର ନବ ବେହେରା, କର୍ପୋରେଟର୍‌ ଶାଶ୍ୱତୀ ମିଶ୍ର, ସମାଜସେବୀ ଲିଙ୍କନ ସୁବୁଦ୍ଧିି, କ୍ରୀଡ଼ାବିତ ଅନୁରାଧା ବିଶ୍ୱାଳ, ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟକ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କ ମତ ରଖିଥିଲେ। ଶେଷରେ କଳାକାର, କ୍ରୀଡ଼ାବିତ୍‌, ମହିଳା ଟ୍ରାଫିକ୍‌ ଭଲ୍ୟୁଣ୍ଟର, ଷ୍ଟୁଡେଣ୍ଟ୍‌ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା କରାଯାଇଥିଲା। ସେମାନେ ସହର ପରିକ୍ରମା ପରେ ଟ୍ରାଫିକ୍‌ ଥାନାକୁ ଫେରିଥିଲେ।