ରାସ୍ତା ପାର୍ଶ୍ୱ ବାଡ଼କୁ ଧକ୍କା ଦେଇ ବସ୍ତି ଉପରେ ଝୁଲିଲା ଟ୍ରକ୍‌

ଭୁବନେଶ୍ୱର: ଓଭରବ୍ରିଜ୍‌ ଉପରୁ ତଳକୁ ଝୁଲି ରହିଥିଲା ଟ୍ରକ୍‌। ଓଭରବ୍ରିଜ୍‌ ତଳେ ବସ୍ତିରେ ବାସ କରୁଛନ୍ତି ୧୦୦ରୁ ଊର୍ଧ୍ୱ ଲୋକ। ସକାଳ ପର୍ଯ୍ୟନ୍ତ ଜାଣି ନଥିଲେ ଯେ ବିପଦ ସେମାନଙ୍କ ମୁଣ୍ଡ ଉପରେ ଝୁଲୁଛି। ସକାଳ ହେବା କ୍ଷଣି ବସ୍ତିରେ ଅତଙ୍କ ଖେଳିଯାଇଥିଲା। ଝୁଲିଥିବା ଟ୍ରକ୍‌କୁ ଦେଖି ବସ୍ତିବାସିନ୍ଦା ଘରଦ୍ୱାର ଛାଡ଼ି ବାହାରକୁ ଚାଲି ଆସିଥିଲେ। ଏପରି ଘଟଣା ଦେଖିବାକୁ ମିଳିଥିଲା ରସୁଲଗଡ଼ ଓଭରବ୍ରିଜ୍‌ ନିକଟରେ। ରାତି ପ୍ରାୟ ୧ଟା ୪୫ ମିନିଟ୍‌ରେ ଏକ ମାଲ୍‌ବୋଝେଇ ଟ୍ରକ୍‌ (ଏନ୍‌ଏଲ୍‌୦୧-ଡି-୪୪୧୯) ଭାରସାମ୍ୟ ହରାଇ ଓଭରବ୍ରିଜ୍‌ ବାଡ଼କୁ ଧକ୍କା ଦେଇଥିଲା। ମାତ୍ର ସୌଭାଗ୍ୟବଶତଃ ଟ୍ରକ୍‌ଟି ତଳକୁ ନ ଖସି ଅଧାରେ ଝୁଲି ରହିଥିଲା।

ଚଳାକଙ୍କ ବେପରୁଆ ଗାଡ଼ି ଚାଳନା ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୁର୍ଘଟଣା ଘଟାଇବା ପରେ ଚାଳକଜଣକ ସେଠାରୁ ଫେରାର ହୋଇଯାଇଥିଲା। ଆଜି ସକାଳେ ଏହା ଜଣାପଡ଼ିବା ଘଟଣାସ୍ଥଳରେ ଲୋକେ ଜମା ହୋଇଯାଇଥିଲେ। ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱରେ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଥିଲା। ଖବର ପାଇ ସହିଦନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍‌ ଦ୍ୱାରା ଟ୍ରକ୍‌କୁ କାଢ଼ି ଥାନାକୁ ନେଇଥିଲା। ଫଳରେ ରାସ୍ତାରେ ଯାତାୟାତ ସମ୍ଭବ ହୋଇଥିଲା। ଅନ୍ୟପକ୍ଷରେ ମୁଣ୍ଡ ଉପରେ ବିପଦ ଝୁଲୁଥିବା ଦେଖି ବସ୍ତିବାସିନ୍ଦା ଘରଦ୍ୱାର ଛାଡ଼ି ରାସ୍ତା ଉପରେ ଜମା ହୋଇଯାଇଥିଲେ। ପୁଲିସ ସୂଚନା ଅନୁଯାୟୀ ଟ୍ରକ୍‌ଟି ବରମୁଣ୍ଡାରୁ ରସୁଲଗଡ଼ ଦିଗରେ ଆସୁଥିଲା। ଠିକ୍‌ ଓଭରବ୍ରିଜ୍‌ ପୂର୍ବରୁ ଟ୍ରକ୍‌ଟି ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱ ବଡ଼କୁ ଧକ୍କା ଦେଇଥିଲା। ତେବେ ଏଥିରେ କେହି ମୃତାହତ ହୋଇ ନଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର