୧୮ ମାସରେ ୩ ଥର ଖୋଳା ହେଲାଣି ରାସ୍ତା

ଚନ୍ଦ୍ରଶେଖରପୁର : କେତେବେଳେ କେବୁଲ ପାଇଁ ତ କେତେବେଳେ ସ୍ବେରେଜ୍‌ ଲାଇନ୍‌ ପାଇଁ, ପୁଣି କେତେବେଳେ ପାନୀୟ ଜଳଯୋଗାଣ ପାଇଁ; ଏମିତିରେ ୮ ମାସରେ ୩ ଥର ଗାଁ କଂକ୍ରିଟ୍‌ ରାସ୍ତାକୁ ଖୋଳି ପକେଇଲେଣି। ମାତ୍ର ପୋତିବା ବେଳକୁ ନାଁ ଗନ୍ଧ ନାହିଁ। ମାସ ମାସ ଧରି ଖୋଳିକି ପକାଇ ଦିଆଯାଉଛି। ମାଟି ଗଦା ହୋଇ ଗାଁ ଦାଣ୍ଡରେ ପଡ଼ି ରହୁଛି। ରାସ୍ତା ସଂକୁଚିତ ହୋଇ ରହିବାରୁ ଲୋକେ ଯାତାୟାତ ପାଇଁ ଘୋର ସମସ୍ୟାରେ ପଡ଼ୁଛନ୍ତି। ଏହା ହେଉଛି ରାଜଧାନୀ ଉପକଣ୍ଠ ଗାଡ଼କଣ, ରଙ୍ଗମାଟିଆ ଓ ଡମଣାର ଅଞ୍ଚଳର ଅବସ୍ଥା।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପ୍ରଥମେ ଜଳ ଯୋଗାଣ ପାଇଁ ପାଇପ୍ ବିଛାଇବାକୁ ରାସ୍ତା ଖୋଳାଗଲା। କିଛି ମାସ ପରେ ପୋତାଗଲା। ପୋତା ହେବାର ୧୫ ଦିନ ଯାଇଛି କି ନାହିଁ, ପୁଣି ଟେଲିଫୋନ୍‌ କେବୁଲ ପାଇଁ ଗାଁ ଦାଣ୍ଡ ରାସ୍ତାକୁ ଖୋଳି ପକାଇଦେଲେ। ମାସ ମାସ ଧରି ରାସ୍ତା ସେମିତି ପଡ଼ି ରହିବା ପରେ କେବୁଲ୍‌ ଲାଇନ୍‌ ପଡ଼ିଲା ଓ ରାସ୍ତା ପୋତା ହେଲା। ବର୍ତ୍ତମାନ ସ୍ବେରେଜ ଲାଇନ୍‌ କାମ ଚାଲିଛି। ରାସ୍ତା ଖୋଳା ହୋଇ ପଡ଼ିରହିଛି। ଡମଣା ଅଟାକଳ ରାସ୍ତା, ଗାଡ଼କଣ ତଳସାହି ଓ ରଙ୍ଗମାଟିଆ ମଞ୍ଚେଶ୍ବର ଷ୍ଟେସନ୍ ରାସ୍ତାରେ ଏବ‌େ କାମ ଚାଲିଛି। ରାସ୍ତା ଖୋଳା ହୋଇ ପଡ଼ିଥିବାରୁ ସ୍ଥାନୀୟଲୋକେ ଯାତାୟାତରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ତେବେ ଠିକାଦାରଙ୍କ କହିବା ଅନୁଯାୟୀ ବିଳଳ୍ପ ରାସ୍ତା କରାଯାଉଥିଲେ ବି କାର୍ଯ୍ୟ ଚାଲୁଥିବା ସ୍ଥାନରେ ଥିବା କିଛି ‌ପରିବାର ଲୋକେ କିଛି ଦିନ ପାଇଁ ସମସ୍ୟାରେ ପଡ଼ୁଛନ୍ତି। ଗାଁ ଦାଣ୍ଡ ରାସ୍ତା କାମ ଶୀଘ୍ର ସାରିବା ପାଇଁ ଚେଷ୍ଟା କରାଯାଉଛି।

ସମ୍ବନ୍ଧିତ ଖବର