ଭୁବନେଶ୍ବର: ଯୁକ୍ତ ୨ ବୋର୍ଡ ପରୀକ୍ଷା ବାତିଲ୍ ଦାବିରେ ଆଜି ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାସ୍ତାରୋକ କରାଯାଇଥିଲା। ବିକ୍ଷୋଭକାରୀମାନେ ପ୍ରାୟ ୧ଘଣ୍ଟା ଧରି ରାସ୍ତା ଅବରୋଧ କରିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏହା ପରେ ସେମାନେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବାସଭବନ ଘେରାଉ କରୁଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ଏହି ଅବସରରେ ବିକ୍ଷୋଭକାରୀଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ।

Advertisment

ଦଶମ ଓ ଦ୍ବାଦଶ ପରୀକ୍ଷା ହେବ ବୋଲି ଗତ କିଛି ଦିନ ପୂର୍ବେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ। ଏହାକୁ ନେଇ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ନେତୃତ୍ବରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଶହେରୁ ଅଧିକ ଯୁକ୍ତ ୨ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ ଅନ୍‌ଲାଇନ୍‌ କିମ୍ବା ଅଫ୍‌ଲାଇନ୍‌ ମାଧ୍ୟମରେ ସେମାନଙ୍କ ପାଠ୍ୟକ୍ରମ ଶେଷ କରାଯାଇନାହିଁ। ମାତ୍ର ୧୫ ପ୍ରତିଶତ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ପଢ଼ିବା ସୁଯୋଗ ପାଇଛନ୍ତି। ମୟୂରଭଞ୍ଜ, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନୂଆପଡ଼ା ଆଦି ୨୦ ରୁ ଅଧିକ ଜିଲ୍ଲାରେ ଅନ୍‌ଲାଇନ୍‌ ପାଠପଢ଼ା ଠିକ୍ ଭାବେ ହୋଇନାହିଁ। ତେଣୁ ରାଜ୍ୟ ସରକାର ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାକୁ ବାତିଲ କରି ତିନୋଟି କ୍ବାର୍ଟର ଏଣ୍ଡ୍‌ ପରୀକ୍ଷାର ମୂଲ୍ୟାୟନ କରି ପରୀକ୍ଷା ଫଳାଫଳ ଘୋଷଣା କରନ୍ତୁ ବୋଲି ଦାବି କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମନୋରଞ୍ଜନ ନାୟକ, ରାଜଲକ୍ଷ୍ମୀ ସାହୁ, ବାସୁଦେବ ନାଥଶର୍ମା, ଅର୍ପିତା ଖମାରୀ ଓ ଆଶାରାଣୀ ବେଉରା ପ୍ରମୁଖ ଆନ୍ଦୋଳନର ନେତୃତ୍ବ ନେଇଥିଲେ। ପ୍ରଦେଶ ଛାତ୍ର କଂଗ୍ରେସ ମୁଖପାତ୍ର ବିଶ୍ବଭୂଷଣ ମହାପାତ୍ର, ସଂପାଦକ ମୁନା ପରିଡ଼ା, ଅଖିଳେଶ ଯାଦବ, ଅଭିରାମ ଗୌଡ଼, ରଞ୍ଜିତ ସେନାପତି ଓ କାର୍ତ୍ତିକେଶ୍ବର କାଣ୍ଡି ପ୍ରମୁଖ ଅଂଶଗ୍ରହଣ କରିଥିଲେ।