ବନ୍ଦ ପାଳନ ବେଳେ ବରମୁଣ୍ଡାରେ ସାଇକେଲ୍‌ ରଖି ରାସ୍ତା ଅବରୋଧ

ଭୁବନେଶ୍ବର : ବନ୍ଦ ପାଳନ ବେଳେ ସୋମବାର ବରମୁଣ୍ଡାଠାରେ ଏକ ଅଭିନବ ପ୍ରତିବାଦର ଦୃଶ୍ୟ ଦେଖିବାକୁ ମିଳିଥିଲା। ବିକ୍ଷୋଭକାରୀମାନେ ରାସ୍ତା ଉପରେ ସାଇକେଲ୍‌ ରଖି ରାସ୍ତା ଅବରୋଧ କରିଥିଲେ। ଶତାଧିକ ସାଇକେଲ୍‌କୁ ଧାଡ଼ିରେ ସଜେଇ ରଖି ରାଜପଥ ଅବରୋଧ ମଧ୍ୟ କରିଥିଲେ। ସାଇକେଲ୍‌ଗୁଡ଼ିକରେ କଂଗ୍ରେସ ପତାକା ଲାଗିଥିଲା। ବିକ୍ଷୋଭକାରୀମାନେ ତୈଳଦର ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ବିଭିନ୍ନ ସ୍ଲୋଗାନ ଦେଇଥିଲେ। କିନ୍ତୁ ଏଠାରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାକୁ ଦେଇନଥିଲେ। ସେମାନେ ଜରୁରୀ କାମରେ ଯାଉଥିବା ଲୋକଙ୍କୁ ବାଟ ଛାଡ଼ି ଦେବା ଦେଖିବାକୁ ମିଳିଥିଲା।

ବାଇକ୍‌ରେ ନିରଞ୍ଜନ, ସାଇକେଲରେ ସୁର
ବନ୍ଦ ପାଳନ ବେଳେ ବାଇକ୍‌ରେ ସହର ବୁଲିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପ୍ରଥମେ ‌େସ ନିଜ ଘରୁ ଏକ ବାଇକ୍‌ ପଛରେ ବସି କଂଗ୍ରେସ ଭବନକୁ ଆସିଥିଲେ। କଂଗ୍ରେସ କାର୍ଯ୍ୟାଳୟରୁ ଦଳର ଅନ୍ୟ ନେତୃବୃନ୍ଦ ଓ କର୍ମୀମାନଙ୍କ ସହ ପଦଯାତ୍ରାରେ ବାହାରି ମାଷ୍ଟରକ୍ୟାଣ୍ଟିନ୍ ପର୍ଯ୍ୟନ୍ତ ଯାଇ ତେଲ ଦରବୃଦ୍ଧିର ପ୍ରତିବାଦ କରିଥିଲେ।

ଅନ୍ୟପକ୍ଷରେ ବନ୍ଦ ବେଳେ ଆକର୍ଷଣ ସାଜିଥିଲେ ବିଧାୟକ ସୁର ରାଉତରାୟ। ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ସାଇକେଲ ଚଳାଇ ତେଲ ଦର ବୃଦ୍ଧିର ପ୍ରତିବାଦ କରୁଥିବା ଦେଖା ଯାଇଥିଲା। ଗଲାବେଳେ କହୁଥିଲେ ମାଡ଼ି ଚାଲ….। ସେହିପରି ପୂର୍ବତନ ବିଧାୟକ ଜୟଦେବ ଜେନା ମଧ୍ୟ ସାଇକେଲ ଚଳାଇ ପ୍ରତିବାଦ ଜଣାଇଥିଲେ।

ଗାଡ଼ି ଖରାପ କହି ଠେଲିଲେ, କିଛି ବାଟ ପରେ ଷ୍ଟାର୍ଟ କରି ପଳାଇଲେ
ବନ୍ଦ ସମୟରେ ରାଜଧାନୀ ସତ୍‌ସଙ୍ଗ ବିହାରରେ ଆଜି ଏକ ରୋଜକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିକ୍ଷୋଭକାରୀଙ୍କ କବଳରୁ ଗାଡ଼ିକୁ ଖସାଇନେବା ପାଇଁ ଏକ ଫନ୍ଦି ବାହାର କରିଥିଲେ କିଛି ଲୋକ। ଏକ ଟାଟା ଏସ୍‌ ଗାଡ଼ିକୁ ସେମାନେ ଠେଲିଠେଲି ନେଉଥିବାରୁ ଦେଖିବାକୁ ମିଳିଥିଲା। ପିକେଟିଂ କରୁଥିବା କଂଗ୍ରେସ କର୍ମୀମାନେ ପଚାରିବାରୁ ଗାଡ଼ି ଖରାପ ଥିବାରୁ ଠେଲିଠେଲି ନେଉଥିବା କହିଥିଲେ। ଫଳରେ ଗାଡ଼ିକୁ କେହି ଅଟକାଇ ନ ଥିଲେ। ତେବେ ବିକ୍ଷୋଭ ହେଉଥିବା ସ୍ଥାନରୁ ଗାଡ଼ିକୁ ଠେଲିଠେଲି କିଛି ଦୂରକୁ ନେଇଯିବା ପରେ ସେମାନେ ଗାଡ଼ିକୁ ଷ୍ଟାର୍ଟ କରି ପଳାଇଥିଲେ।

ଡା‌କ୍ତରଖାନା ଯିବାକୁ ନାକେଦମ୍‌
ବନ୍ଦ ପାଳନ ଯୋଗୁଁ ରୋଗୀଙ୍କୁ ଡାକ୍ତରଖାନା ନେଇଯିବାକୁ ରାଜଧାନୀବାସୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଳା। ‘ବନ୍ଦ’ରୁ ଆମ୍ବୁଲାନ୍ସ ସେବାକୁ ବାଦ୍ ଦିଆଯାଇଥିଲେ ହେଁ ବିଭିନ୍ନ ସ୍ଥାନରେ ଏହା ରୋଗୀଙ୍କ ପାଖକୁ ପହଞ୍ଚି ପାରି ନ ଥିଲା। ବିଭିନ୍ନ ସ୍ଥାନରେ ଲୋକେ ନିଜ ପରିଜନଙ୍କୁ ବାଇକ୍‌ କିମ୍ବା ସାଇକେଲରେ ବସାଇ ଡାକ୍ତରଖାନା ନେଉଥିବା ଦେଖିବାକୁ ମିଳିଥିଲା। ନିୟମ ଭା‌ଙ୍ଗି ଗୋଟିଏ ଗାଡ଼ିରେ ତିନି ଜଣ ଯାଉଥିଲେ ମଧ୍ୟ ରାସ୍ତାରେ ପୁଲିସ ସେମାନଙ୍କୁ ବାଧା ଦେଇନଥିଲା।

ସମ୍ବନ୍ଧିତ ଖବର