ଗନ୍ଧେଇଲାଣି ରାସ୍ତାଘାଟ

ଚନ୍ଦ୍ରଶେଖରପୁର : ବିଏମ୍‌ସି ସଫେଇ କର୍ମଚାରୀଙ୍କ କାମ ବନ୍ଦ ଆନ୍ଦୋଳନ ଯୋଗୁଁ ରାଜଧାନୀରେ ଚନ୍ଦ୍ରଶେଖରପୁର ଅଞ୍ଚଳର ରାସ୍ତାଘାଟ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇରହିଛି। ଡଷ୍ଟବିନ୍‌ଗୁଡ଼ିକରୁ ବାହାରୁଛି ନାକ ଫାଟିଗଲା ଭଳି ପଚା ଦୁର୍ଗନ୍ଧ। ଏହି ଅଞ୍ଚଳର ସଫେଇ ସ୍ଥିତି ସଂଗିନ୍‌ ହୋଇପଡ଼ିଛି। ଚାରିଆଡ଼େ ଗଦାଗଦା ଅଳିଆ। ବୁଲା ଗାଈ, ଷଣ୍ଢ ଓ କୁକୁର ଡଷ୍ଟବିନ୍‌ରୁ ଅଳିଆ ବାହାର କରି ରାସ୍ତା ସାରା ବିଛାଡ଼ି ଦେଉଛନ୍ତି। ଦୁର୍ଗନ୍ଧରେ ଫାଟିପଡୁଛି ରାସ୍ତା‌ଘାଟ। ବାଟଘାଟରେ ଯାତାୟତ କରିହେଉନାହିଁ।

ଏ ନେଇ ଆଜି ଗ୍ରାଉଣ୍ଡ୍‌ ଜିରୋରୁ ସ୍ଥିତି ପରଖିଥିଲା ‘ସମ୍ବାଦ’ ଟିମ୍‌। ଚନ୍ଦ୍ରଶେଖରପୁର ଅଞ୍ଚଳର ଶୈଳଶ୍ରୀବିହାର, ନୀଳାଦ୍ରିବିହାର, ଜୟଦେବବିହାର, ଡମଣା, ରେଲୱେବିହାର, ଲୁମ୍ବିନିବିହାର ଆଦି ଅଞ୍ଚଳରେ ସବୁଆଡ଼େ ରାସ୍ତାରେ ଅଳିଆ ଗଦା ହୋଇ ପଡ଼ିରହିଥିବା ଦେଖିବାକୁ ମିଳିଥିଲା। ବହୁ ଡଷ୍ଟବିନ୍ ଭର୍ତ୍ତି ହୋଇ ପଡ଼ିଥିବାରୁ ସେଗୁଡ଼ିକର ଚାରିକଡ଼ରେ ଆବର୍ଜନା ଗଦା ହୋଇ ରହିଥିଲା। ୪ ଦିନର ଆବର୍ଜନାରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିଲା। ବୁଲା ଗାଈ ଓ କୁକୁରମାନେ ଆବର୍ଜନାକୁ ବିଛାଡ଼ି ପକ‌ାଇଥିଲେ। ନୀଳାଦ୍ରିବିହାର ୮ନମ୍ଵର ୱାର୍ଡ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରାସ୍ତାରେ ଆରମ୍ଭରୁ ଗଦା ହୋଇଛି ଅଳିଆ। ଲୋକେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ବେଳେ ନାକରେ ରୁମାଲ ଦେଇ ଯା’ଆସ କରୁଛନ୍ତି। ସବୁଠୁ ବଡ଼ କଥା ହେଉଛି ଅଳିଆ ଗଦା ହୋଇଥିବା ଜାଗା ସାମ୍ନାରେ କ୍ଷୁଦ୍ର ଜୈବ ବିଘଟନ କେନ୍ଦ୍ର ଥିଲେ ମଧ୍ୟ କାହାର ନଜର ପଡୁନି। ସେହିପରି ନୀଳାଦ୍ରି ବିହାର ସେକ୍ଟର-୧ ଲେନ୍ ନମ୍ଵର୍ – ୮ର ଅରବିନ୍ଦ ପାଠଚକ୍ର ସାମ୍ନାରେ ପଡି ରହିଛି ଅଳିଆ ଆବର୍ଜନା। ଶୈଳଶ୍ରୀବିହାର ପେଜ୍-୬ ଭିଆଇଏମ୍ କଲୋନିକୁ ପ୍ରବେଶ କରିବା ପୂର୍ବରୁ ରାସ୍ତା କଡ଼ରେ କୁଢ଼କୁଢ଼ ଅଳିଆ ଗଦା ହୋଇ ରହିଛି। ସେହିପରି ଶୈଳଶ୍ରୀବିହାର ଫେଜ୍-୪/୬, ଫେଜ୍-୨କୁ ଯିବା ରାସ୍ତାର ମୁହଁରେ ଅଳିଆ ସାଙ୍ଗକୁ ପଚା ଖାଦ୍ୟ ପଡ଼ିରହିଛି। ଡମଣା-ଶୈଳଶ୍ରୀବିହାର ମୁଖ୍ୟ ରାସ୍ତାସ୍ଥିତ ଡ୍ରେନ୍ ପୋଲ ଉପରେ, ଜୟଦେବବିହାର ସ୍ଥିତ ୨୬ନମ୍ଵର୍ ୱାର୍ଡ ରାସ୍ତା କଡ଼, ଡମଣା ଟ୍ରାଫିକ୍ ଛକ ପୂର୍ବରୁ ରାସ୍ତା କଡ଼ରେ ପ୍ରଚୁର ଅଳିଆ ଗଦା ହୋଇ ରହିଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ସଫେଇ କର୍ମଚାରୀଙ୍କ ସମସ୍ୟା ପାଇଁ ପ୍ରତିବର୍ଷ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଥଚ ବିଏମ୍‌ସିରେ ଅଭିଯୋଗ କଲେ କିଛି ସୁଫଳ ମିଳୁନାହିଁ। ତେଣୁ ଏଣିକି ସଫେଇ କର୍ମଚାରୀମାନଙ୍କ ସହ ସାଧାରଣ ଲୋ‌କେ ବି ରାଜରାସ୍ତାକୁ ଆସିବେ। ଏ ନେଇ ବିଏମ୍‌ସିର ଉତ୍ତର ଜୋନ୍ ଡେପୁଟି କମିସନର ପୁରେନ୍ଦ୍ର ନନ୍ଦ କହିଛନ୍ତି ଯେ ଆଜି ସଫେଇ କର୍ମଚାରୀମାନଙ୍କ ସହ ଫଳପ୍ରଦ ଆଲୋଚନା ହେବା ପରେ କିଛି କିଛି ସ୍ଥାନରୁ ଅଳିଆ ଉଠାଯାଇଛି। ଖୁବ୍‌ ଶୀଘ୍ର ସବୁ ସ୍ଥାନ ସଫା କରାଯିବ।

ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ

ଭୁବନେଶ୍ବର : ସଫେଇ କର୍ମଚାରୀମାନେ ରାମ୍‌କି ସଂସ୍ଥାଠାରୁ ହକ୍‌ ଦାବି କରି ୪ ଦିନ ହେଲା କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ। ଫଳରେ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଅଳିଆ ଉଠିନଥିଲା ଓ ହଜାର ହଜାର ଲୋକ ଏକ ପୂତିଗନ୍ଧମୟ ପରିବେଶର ସାମ୍ନା କରିଥିଲେ। ତେବେ ଆଜି ରାମ୍‌କି ସହ କର୍ମଚାରୀଙ୍କ ଆଲେଚାନା ପରେ ଆନ୍ଦୋଳନ ସ୍ଥଗିତ ରହିଛି। ସଫେଇ କାମ ପୁଣି ଥରେ ଆରମ୍ଭ ହୋଇଛି। ତେବେ ଦାବି ପୂରଣ ନ ହେଲେ ପୁଣି କର୍ମଚାରୀମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ରାମ୍‌କି ପୂର୍ବରୁ ମଧ୍ୟ କର୍ମଚାରୀଙ୍କ ଦାବି ପୂରଣ କରିନଥିଲା। ଗତବର୍ଷ ମଧ୍ୟ ସଫେଇ କର୍ମଚାରୀ ଆନ୍ଦୋଳନ କରିଥିଲେ। ସରକାରଙ୍କ ଧାର୍ଯ୍ୟ ଅନୁଯାୟୀ ଏହି ଘରୋଇ ସଂସ୍ଥାମାନେ ମଜୁରି ଦେଉନଥିଲେ। ସେତେବେଳେ ମଧ୍ୟ ଆନ୍ଦୋଳନ ହେବାରୁ ଦୁଇ ଦିନ ହେବ ଚନ୍ଦ୍ରଶେଖରପୁର ଅଞ୍ଚଳର ୱାର୍ଡ ନଂ ୧, ୬, ୭, ୮, ୧୩ ଓ ୧୪ରେ ଆବର୍ଜନା ଉଠି ପାରିନଥିଲା। ବାରମ୍ବାର ଏଭଳି ହେଉଥିଲେ ମଧ୍ୟ ବିଏମ୍‌ସି କୌଣସି ପ୍ରତିକାର କରୁନାହିଁ। ଗତବର୍ଷ ରାମ୍‌କି ଏହି କର୍ମଚାରୀଙ୍କ ସମସ୍ୟା ସମାଧାନ ପାଇଁ ୧୫ ଦିନ ସମୟ ନେଇଥିଲା। ହେଲେ କୌଣସି ସମାଧାନ ନ କରିବାରୁ ଚଳିତ ବର୍ଷ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ପରିମଳ ବ୍ୟବସ୍ଥା ଘରୋଇ ସଂସ୍ଥା ହାତରେ ଟେକି ଦେଇ ବିଏମ୍‌ସି ବସି ଯାଇଛି। କ’ଣ ସମସ୍ୟା ହେଇଛି, ତାହା ରାମ୍‌କି ବୁଝିବ ବୋଲି ବିଏମ୍‌ସି ଅଧିକାରୀ କହିଛନ୍ତି। ରାମ୍‌କି ମଧ୍ୟ ଏ ନେଇ ମୁହଁ ଖୋଲିନାହିଁ। ଏଥର କର୍ମଚାରୀମାନେ ଦୁର୍ଗାପୂଜା ବୋନସ୍‌ ଦାବି କରିଥିଲେ। ବିଭିନ୍ନ ଘରୋଇ ସଂସ୍ଥା କର୍ମଚାରୀଙ୍କୁ ବୋନସ୍‌ ଦେଇଥିବା ବେ‌ଳେ ରାମ୍‌କି ଦେଉନଥିବାରୁ କେବଳ ଉତ୍ତର ଜୋନ୍‌ରେ କର୍ମଚାରୀମାନେ କାମ ବନ୍ଦ କରି ଦେଇଥିଲେ।

ସମ୍ବନ୍ଧିତ ଖବର