ଭୁବନେଶ୍ବର: ବର୍ଷା ଆରମ୍ଭରୁ ରାଜଧାନୀ ରାସ୍ତାର ଅବସ୍ଥା ଖରାପ। ମୁଖ୍ୟରାସ୍ତାଠାରୁ ଆରମ୍ଭ କରି ବିଭିନ୍ନ ଗଳିକନ୍ଦି ସବୁଆଡ଼େ ଖାଲଖମା। କେଉଁଠି ପିଚୁ ଉଠିଗଲାଣି ତ କେଉଁଠି ପେଭର୍ବ୍ଲକ୍ ଦବି ଗଲାଣି। ଆଉ କେଉଁଠି କଂକ୍ରିଟ୍ ରାସ୍ତାରେ ଗୋଡ଼ି ବାହାରିଗଲାଣି। ରାଜଧାନୀ ରାଜରାସ୍ତାକୁ ଚକାଚକ୍ କରିବା ପାଇଁ ପ୍ରତି ବର୍ଷ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଏହାର ସୁଫଳ ମିଳୁନାହିଁ। ନିମ୍ନମାନର କାମ ପାଇଁ ପ୍ରତିବର୍ଷ ବର୍ଷାଋତୁ ଆରମ୍ଭରୁ ରାସ୍ତା ଧୋଇ ଯାଉଛି। ଆଉ ବର୍ଷାଋତୁରେ ରାଜଧାନୀବାସୀ ଖାଲଖମା ରାସ୍ତାରେ ଯନ୍ତ୍ରଣା ଭୋଗୁଛନ୍ତି।
ଭୁବନେଶ୍ବରରେ ମୁଖ୍ୟରାସ୍ତାଗୁଡ଼ିକ ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ବିମାନବନ୍ଦରରୁ କ୍ୟାପିଟାଲ୍ ହସ୍ପିଟାଲ୍, ରାଜମହଲରୁ ବାଣୀବିହାର, ଏଜି ଛକରୁ ଆଚାର୍ଯ୍ୟବିହାର, ରାଜଭବନରୁ ଜୟଦେବବିହାର, ଜୟଦେବବିହାରରୁ ନନ୍ଦନକାନନ, ମାଉସୀ ମା’ ଛକରୁ ଲିଙ୍ଗରାଜ ମନ୍ଦିର, ରବିଟକିଜ୍ରୁ ରସୁଲଗଡ଼ ପ୍ରମୁଖ ରାସ୍ତାର ରକ୍ଷଣାବେକ୍ଷଣ ପୂର୍ତ୍ତ ବିଭାଗ କରୁଛି। ପ୍ରତିବର୍ଷ ଦୁର୍ଗାପୂଜା ଏବଂ ମାର୍ଚ୍ଚ ମାସରେ ମରାମତି ନାମରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। ହେଲେ ଏବେ ଏହି ସବୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରବିଟକିଜ୍ରୁ ରସୁଲଗଡ଼ ରାସ୍ତା ଅବସ୍ଥା ଅତି ଶୋଚନୀୟ। ଲକ୍ଷ୍ମୀସାଗର ନିକଟରେ ରାସ୍ତାରୁ ବଜୁରି ଉଠିଯାଇଛି। ବମିଖାଲ ଚାର୍ଲି ହୋଟେଲ ପାଖରେ ରାସ୍ତାରେ ଅସଂଖ୍ୟ ଖାଲ ହୋଇଛି। ରାସ୍ତାରେ ରାସ୍ତା ଉଚ୍ଚାନୀଚା ହୋଇଥିବାରୁ ବର୍ଷାରେ ବାଇକ୍ ଚକ ଖସି ଦୁର୍ଘଟଣା ଘଟୁଛି। ବିଧାନସଭା ସମ୍ମୁଖ ରାସ୍ତାରେ ମଧ୍ୟ ବଜୁରି ଉଠି ଯାଇଛି।
ପୂର୍ତ୍ତ ସହ ବିଏମ୍ସି, ଜାତୀୟ ରାଜପଥର ରାସ୍ତା ରାଜଧାନୀରେ ରହିଛି। ବିଏମ୍ସିର ୬୭ ୱାର୍ଡରେ ପିଚୁ, କଂକ୍ରିଟ ଓ ପେଭର୍ବ୍ଲକ୍ ମିଶାଇ ମୋଟ୍ ୯୧୫.୧୨ କିଲୋମିଟର ରାସ୍ତା ରହିଛି। କଂକ୍ରିଟ୍ ରାସ୍ତାକୁ ତାଡ଼ି ଚଳିତ ବର୍ଷ ବିଏମ୍ସି ଅନେକ ସ୍ଥାନରେ ପେଭର୍ବ୍ଲକ୍ ପକାଇଥିଲା। କିନ୍ତୁ ବର୍ଷା ପରେ ଅନେକ ରାସ୍ତା ଦବି ଯାଇଛି। ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ଅବସ୍ଥା ମଧ୍ୟ ସଙ୍ଗିନ। ଜାତୀୟ ରାଜପଥ ସହ ସର୍ଭିସ୍ ରୋଡ୍ ଖରାପ ହୋଇ ଗଲାଣି। ପଳାଶୁଣୀ, ରସୁଲଗଡ଼, ଜୟଦେବବିହାର, ଫାୟାର୍ଷ୍ଟେସନ୍, ବରମୁଣ୍ଡା ପ୍ରମୁଖ ସ୍ଥାନରେ ରାସ୍ତାରୁ ପିଚୁ ଉଠିଯାଇଛି।
ଏନେଇ ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପିଚୁର କାଳ ହେଉଛି ବର୍ଷା। ଲଗାତାର ବର୍ଷା ହେଲେ ପିଚୁର ଅଠା ଅଂଶ କମି ଯାଇଥାଏ। ତେଣୁ ଗାଡ଼ି ଚଳାଚଳ ହେଲେ ରାସ୍ତାରୁ ପିଚୁ ଉଠିଯାଉଛି। ସେଥିପାଇଁ ଏବେ ପୂର୍ତ୍ତ ବିଭାଗ ପକ୍ଷରୁ ଜନଗହଳି ସ୍ଥାନ ତଥା ଟ୍ରାଫିକ୍ ଛକ, ଓଭରବ୍ରିଜ୍ମାନଙ୍କରେ ମାଷ୍ଟିକ୍ ଆସଫାଲ୍ଟ ତିଆରି କରାଯାଉଛି। ସାଧାରଣ ପିଚୁ ରାସ୍ତା ତୁଳନାରେ ଏହାର ଖର୍ଚ୍ଚ ଦୁଇଗୁଣା। ଏହା ବର୍ଷା ଦିନେ ମଧ୍ୟ ନଷ୍ଟ ହେବନାହିଁ। ବିଭିନ୍ନ ଛକମାନଙ୍କରେ ପରୀକ୍ଷାମୂଳକ ଭାବେ ଏହା କରାଯାଉଛି। ଆବଶ୍ୟକ ପଡ଼ିଲେ ରାଜଧାନୀ ସାରା ଏଭଳି ରାସ୍ତା କରାଯିବ।
ଖାଲଖମାରେ ଭର୍ତ୍ତି ରାଜଧାନୀ ରାସ୍ତା
ବର୍ଷା ଆରମ୍ଭରୁ ରାଜଧାନୀ ରାସ୍ତାର ଅବସ୍ଥା ଖରାପ। ମୁଖ୍ୟରାସ୍ତାଠାରୁ ଆରମ୍ଭ କରି ବିଭିନ୍ନ ଗଳିକନ୍ଦି ସବୁଆଡ଼େ ଖାଲଖମା। କେଉଁଠି ପିଚୁ ଉଠିଗଲାଣି ତ କେଉଁଠି ପେଭର୍ବ୍ଲକ୍ ଦବି ଗଲାଣି। ଆଉ କେଉଁଠି କଂକ୍ରିଟ୍ ରାସ୍ତାରେ ଗୋଡ଼ି ବାହାରିଗଲାଣି। ରାଜଧାନୀ...
/sambad/media/media_files/2025/07/15/pjwfjwbfihw-2025-07-15-07-11-10.jpg)