ଭୁବନେଶ୍ବର: ସ୍ବଚ୍ଛ ଭୁବନେଶ୍ୱର ଅଭିଯାନକୁ ସାକାର କରିବା ଲାଗି ରାସ୍ତା ଓ ରାସ୍ତାକଡ଼ ସଫେଇକୁ ବିଏମ୍ସି ଗୁରୁତ୍ୱ ଦେଇଛି। ରାସ୍ତାପାର୍ଶ୍ବର ପରିତ୍ୟକ୍ତ ତଥା ପୁରୁଣା ଗାଡ଼ି, କ୍ୟାବିନ୍ ଆଦିକୁ ଦୂରେଇବା ନେଇ ଆଲୋଚନା ହୋଇଛି। ବିଏମ୍ସି ବୈଠକ ଗୃହରେ ସମ୍ପୃକ୍ତ ପରିମଳ ଓ ଇଞ୍ଜିରିୟରିଂ ଉପବିଭାଗର ସଫେଇ କାର୍ଯ୍ୟ ସମ୍ପର୍କିତ ସମୀକ୍ଷା କରିବା ସମୟରେ ବିଏମ୍ସି କମିସନର ବିଜୟ ଅମୃତା କୁଲାଙ୍ଗେ ଏହା କହିଛନ୍ତି।
ସେ ଆହୁରି କହିଛନ୍ତି ଯେ ସହରର ବିଭିନ୍ନ ସ୍ଥାନରେ ପୁରୁଣା ଭଙ୍ଗା ଗାଡ଼ି, କ୍ୟାବିନ୍, ଠେଲା, ବାଉଁଶ, ପଟି ଆଦି ପଡ଼ି ରହି ସହରର ଶୋଭାକୁ ନଷ୍ଟ କରୁଛି। ଏଥିସହ ପରିମଳରେ ବାଧକ ସାଜିଛି। ଗୋଟିଏ ପଟେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦିଆଯାଉଥିବା ବେଳେ ଏଭଳି ଅଦରକାରୀ ସାମଗ୍ରୀ ଅଳିଆ ଆବର୍ଜନାର ସ୍ଥାନ ପାଲଟିଛି। ଏଥିସହ ପରିତ୍ୟକ୍ତ ଆସବାବପତ୍ର ମଧ୍ୟ ବେଆଇନ ଭାବେ ସରକାରୀ ଜାଗା ଜବରଦଖଲ କରୁଛି। ତେଣୁ ଏସବୁର ସୁପରିଚାଳନା ପାଇଁ ସ୍ବତନ୍ତ୍ର ଯୋଜନା ହେଉଛି। ବିଏମ୍ସି ସହ କମିସନରେଟ୍ ପୁଲିସ ଓ ଅନ୍ୟ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଆଲୋଚନା ଓ ପଦକ୍ଷେପର ନକ୍ସା ପ୍ରସ୍ତୁତ କରଯାଉଛି। ଯଦି କୌଣସି ବ୍ୟକ୍ତିଙ୍କର ଏଭଳି କିଛି ସାମଗ୍ରୀ ରାସ୍ତା ଉପରେ ରହିଛି, ତେବେ ସେମାନେ ସମୟ ପୂର୍ବରୁ ତାହାକୁ ଉଠାଇ ନିଅନ୍ତୁ। ତେଣୁ ଏପରି ପରିତ୍ୟକ୍ତ ଆସବାବଗୁଡ଼ିକୁ ହଟାଇ ନେଇ ସମ୍ପୃକ୍ତ ବ୍ୟକ୍ତି ସହରର ସ୍ବଚ୍ଛତା ଏବଂ ସୌନ୍ଦର୍ଯ୍ୟରେ ସହଯୋଗୀମୂଳକ ଆଚରଣ ଦେଖାଇବାକୁ ବିଏମ୍ସି ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/26-4.jpg)