ଚନ୍ଦ୍ରଶେଖରପୁର: ୪୦ ହଜାର ଲୋକଙ୍କୁ ନେଇ ରାଜଧାନୀ ଭୁବନେଶ୍ବରର ପରିକଳ୍ପନା କରାଯାଇଥିଲା। ସେହି ଅନୁଯାୟୀ ରୂପରେଖ ପ୍ରସ୍ତୁତ ସହ ଲୋକଙ୍କ ରହିବାକୁ ବ୍ୟବସ୍ଥା ମଧ୍ୟ ହୋଇଥିଲା। ୧୯୪୮ରେ ହୋଇଥିବା ପରିକଳ୍ପନାକୁ ୮୦ ବର୍ଷ ବିତିବାକୁ ବସିଲାଣି। ସହରର କାୟାକଳ୍ପ ବଢ଼ିବା ସହ ଜନସଂଖ୍ୟା ୧୫ ଲକ୍ଷ ଟପିଗଲାଣି। ନୂଆ ନୂଆ ଅଞ୍ଚଳ ଯୋଡ଼ି ହେଉଛି। ଗୋଟିଏ ପରେ ଗୋଟିଏ ବସ୍ତି ଗଢ଼ିଉଠୁଛି। ପରିଣାମ ସ୍ବରୂପ ରାଜ୍ୟର ସବୁଠାରୁ ଅଧିକ ବସ୍ତି ଓ ବସ୍ତିବାସିନ୍ଦା ଏବେ ଭୁବନେଶ୍ବରରେ। ସରକାରୀ ଭାବେ ସହରର ପ୍ରାୟ ୫୦୦ ବସ୍ତିରେ ୮୦ ୫୨୦ ପରିବାର ବାସ କରୁଛନ୍ତି। ଯଦି ଗୋଟିଏ ପରିବାରରେ ୫ ଜଣ ଲେଖାଏଁ ସଦସ୍ୟଙ୍କୁ ହିସାବକୁ ନିଆଯାଏ ତାହା ହେଲେ ପାଖାପାଖି ୪ ଲକ୍ଷ ଲୋକ କେବଳ ବସ୍ତିରେ ରହୁଛନ୍ତି। ସେହି ତୁଳନାରେ ବାକି ୪ଟି ମହାନଗର ନିଗମ ଯଥା ରାଉରକେଲାରେ ୩୮୯୭୦, ସମ୍ବଲପୁରରେ ୩୬୭୪୫, କଟକରେ ୨୩୨୯୬, ବ୍ରହ୍ମପୁରରେ ୧୫୫୬୪ ପରିବାର ବସ୍ତିରେ ରହୁଛନ୍ତି। ୫ଟି ସହରରେ ପାଖାପାଖି ଦୁଇ ଲକ୍ଷ ପରିବାର ରହୁଥିବା ସରକାରୀ ଭାବେ କୁହାଯାଉଥିଲେ ମଧ୍ୟ ସଂଖ୍ୟା ତା’ଠାରୁ ଢେର ଅଧିକ ହେବ।
ଚିନ୍ତାର କାରଣ ହେଉଛି ଯେ ପୂର୍ବ ସରକାର ଭୋଟ ବାୟା ହୋଇ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କଲେ ନାହିଁ। ବରଂ ଜବରଦଖଲକାରୀଙ୍କୁ ‘ଥଇଥାନ’ କଲେ। ଆବାସ ଯୋଜନାରେ ସେମାନଙ୍କ ପାଇଁ ବିଶାଳ ଘର ତିଆରି କରି ସେଠାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଅଜାଡ଼ି ପକାଇଲେ। ଆଶା ରଖିଥିଲେ ଯେ ବସ୍ତିବାସିନ୍ଦାଙ୍କୁ ଥଇଥାନ ପରେ ବସ୍ତି ଖାଲି ହୋଇଯିବ। ସହର ସୌନ୍ଦର୍ଯୀକରଣ ହେବ। ମାତ୍ର ତାହା ହେଲା ନାହିଁ। ସହରରେ ବସ୍ତି ବଢ଼ିଚାଲିଲା ପଛେ କମିଲା ନାହିଁ। ଏବେ ସହରର ପରିକଳ୍ପିତ ସୌନ୍ଦର୍ଯ୍ୟ ବିକୃତ ରୂପ ହୋଇଚାଲିଛି। ଚଣ୍ଡିଗଡ଼, ଇନ୍ଦୋର, ଅହମଦାବାଦ, ରାଜସ୍ଥାନର ଜୟପୁର, ବିଶାଖାପାଟଣା, ରାୟପୁର ପରି ସହର ଭୁବନେଶ୍ୱରକୁ ପଛରେ ପକାଇ ବହୁତ ଆଗକୁ ଚାଲିଗଲେଣି। ବାସଗୃହ ଶୂନ୍ୟଙ୍କୁ ବାସସ୍ଥାନ ଯୋଗାଇ ଦେବାରେ ଆଇନଗତ ବ୍ୟବସ୍ଥା ଥିଲେ ମଧ୍ୟ ନିର୍ବାଚନ ବୈତରଣୀ ପାର ହେବାକୁ ନେତାମାନେ ପରୋକ୍ଷ ଓ ପ୍ରଭାବଶାଳୀ ଅନୁମୋଦନରେ ଆଇନ୍କୁ ତା’ ବାଟରେ ଯିବାକୁ ଦେଲେ ନାହିଁ। ଯାହାକି ଯୋଜନା-କଳ୍ପିତ ଭୁବନେଶ୍ୱରକୁ ବିକୃତ କରିବାରେ ସହାୟକ ହେଲା ବୋଲି ଅବସରପ୍ରାପ୍ତ ପ୍ରଶାସକ ପ୍ରମୋଦ କୁମାର ପଟ୍ଟନାୟକ କହିଛନ୍ତି।
ଅନ୍ୟପକ୍ଷରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସହରର କେତେକ ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯାଇଥିଲା। ଆବାସ ଯୋଜନାରେ ଘର ଦିଆଯାଇଥିଲା ଏବଂ ପର୍ଯ୍ୟାୟକ୍ରମେ ସମସ୍ତ ବସ୍ତିବାସିନ୍ଦାଙ୍କୁ ଆପାର୍ଟମେଣ୍ଟ ଭଳି ଘର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ମିଳିଥିଲା। ତେବେ ନିର୍ବାଚନ ପରବର୍ତ୍ତୀ ସମୟରେ ରାଜ୍ୟରେ ସରକାର ପରିବର୍ତ୍ତନ ହେବା ସହ ସବୁ କିଛି ଏବେ ଠପ୍ ହୋଇଯାଇଛି। ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯାଉ ନାହିଁ କି ବାସଗୃହ ଦିଆଯାଉ ନାହିଁ। ବରଂ ଯେଉଁଠୁ ବସ୍ତି ହଟିଥିଲା ସେଠାରେ ନୂଆ ବସ୍ତି ମୁଣ୍ଡ ଟେକିବାକୁ ଯାଉଛି। କେବଳ ସେତିକି ନୁହେଁ, ବସ୍ତିବାସିନ୍ଦାଙ୍କ ଯୋଗୁଁ ଏବେ ରାସ୍ତାଘାଟରେ ଟ୍ରାଫିକ୍ ସମସ୍ୟା ଉପୁଜୁଛି। ସୈନିକ ସ୍କୁଲ ଛକରୁ ଆଚାର୍ଯ୍ୟ ବିହାର ହେଉ କି ନୂଆ କରି ତିଆରି ହୋଇଥିବା ଏକାମ୍ରକାନନରୁ ଓଇଆର୍ସି ଛକ ପର୍ଯ୍ୟନ୍ତ ୨୦୦ ଫୁଟିଆ ରାସ୍ତା। ରାସ୍ତାକୁ ଲାଗି ବସ୍ତି ରହିବା ଦ୍ବାରା ଛୋଟ ପିଲାମାନେ ରାସ୍ତାପାର୍ଶ୍ବକୁ ଧାଇଁ ଆସିବା ସହ ଦୁର୍ଘଟଣାର ଶିକାର ହେଉଛନ୍ତି। ଚଳିତ ମାସରେ ଏକାମ୍ରକାନନ-ଓଇଆରସି ରାସ୍ତାରେ ୪ରୁ ଅଧିକ ଛୋଟ ଦୁର୍ଘଟଣା ହୋଇଛି। ଅନୁରୂପ ଭାବେ ସୈନିକ ସ୍କୁଲ-ଆଚାର୍ଯ୍ୟବିହାର ରାସ୍ତା, ଭିଏସ୍ଏସ୍ ନଗର-ରେଳ କଲୋନି ରାସ୍ତା, ରେଳ କଲୋନି-ଡମଣା ଛକ ରାସ୍ତା ବି ଦୁର୍ଘଟଣା ପ୍ରବଣ ପାଲଟିଛି। ସ୍ଥିତି ଦିନକୁ ଦିନ ଜଟିଳ ହେଉଥିବାରୁ କେବେ ପ୍ରଶାସନ ନିଦ ଭାଙ୍ଗିବ ଓ କେବେ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବେ ତାହାକୁ ନେଇ ପ୍ରଶ୍ନ ଉଠିଛି। ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗତ ମାସରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଥିଲେ ଯେ ବସ୍ତିବାସିନ୍ଦାଙ୍କ ଥଇଥାନ ସମ୍ପର୍କରେ ରାଜ୍ୟ ସରକାର ଅବଗତ ଅଛନ୍ତି। ଯେତେଶୀଘ୍ର ସମ୍ଭବ ଏଦିଗରେ ପଦକ୍ଷେପ ନିଆଯିବ।