ଭୁବନେଶ୍ବର : ଇନ୍‌ଫୋଭ୍ୟାଲି ଥାନା ଯାଁଳା ଅଞ୍ଚଳର କୁଖ୍ୟାତ ଲୁଟେରା ସୋନୁ ପୂଜାପଣ୍ଡା ଗ୍ୟାଙ୍ଗ୍‌କୁ ପୁଣି ଗିରଫ କରାଯାଇଛି। ସେମାନେ ହେଲେ, ଦେବାଶିଷ ପୂଜାପଣ୍ଡା ଓରଫ୍ ସୋନୁ(୨୪), ଖଣ୍ଡଗିରି ଡୁମୁଡୁମା ଅଞ୍ଚଳର ରାଜା ରଞ୍ଜନ ଦାଶ ଓରଫ୍‌ ବିଜ୍ଞାନ(୨୨) ଓ କୋଳଥିଆ ଅଞ୍ଚଳର ଦିପୁନ୍‌ ବିଶ୍ବାଳ(୨୮)। ସେମାନଙ୍କ ପାଖରୁ ୧୨ ଚୋରା ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି। ତଳଖେତା ଛକ ଓଭରବ୍ରିଜ୍ ନିକଟରେ ଏମାନେ ଚୋରା ମୋବାଇଲ୍‌ ବିକ୍ରି କରିବାକୁ ଗ୍ରାହକମାନଙ୍କୁ ଅପେକ୍ଷା କରିଥିବା ବେଳେ ଇନ୍‌ଫୋଭ୍ୟାଲି ଥାନା ପୁଲିସ ହାବୁଡ଼ରେ ପଡ଼ିଥିଲେ। ଏହି ଗ୍ୟାଙ୍ଗ୍‌ ୧୬ ନମ୍ବର ଜାତୀୟ ରାଜପଥରେ ଖଣ୍ଡଗିରିରୁ ଖୋର୍ଦ୍ଧା ମଧ୍ୟରେ ଛିନ୍‌ତାଇ କରନ୍ତି।

Advertisment

ଏହି ଗ୍ୟାଙ୍ଗ୍‌ ନାଁରେ ପ୍ରାୟ ୧୫ରୁ ଅଧିକ ଲୁଟ୍‌ ମାମଲା ଥିବା ବେଳେ ଏମାନେ ଅନେକଥର ଜେଲ୍‌ ଯାଇଥିବା ପୁଲିସ ସୂଚନା ଦେଇଛି। ସେହିଭଳି ସହିଦନଗର ଥାନା ପୁଲିସ ହାତରେ ଆଉ ଏକ ଲୁଟେରା ଗ୍ୟ‌ାଙ୍ଗ୍‌ ଧରାପଡ଼ିଛି। ସେମାନେ ହେଲେ, ଝାରପଡ଼ା ମୁସଲିମ ବସ୍ତିର ଫରାଜ ଖାଁ ଓରଫ୍‌ ରାଜୁ(୨୧), ସାହିଦ୍‌ ଖାଁ ଓରଫ୍‌ ରାଜା(୨୦) ଓ ଧଉଳି ଅଞ୍ଚଳର ସାଗର ଶମ୍ଭୁ ବରାଳ ଓରଫ୍‌ କାଶିଆ(୨୦)। ସେମାନଙ୍କ ନିକଟରୁ ୧୦ ମୋବାଇଲ ଜବତ କରାଯାଇଛି। ପୁଲିସ ସୂଚନାନୁସାରେ ଗତ ୧୧ ତାରିଖ ଦିନ ସାହିଲ ଖିଲାର ଆଚାର୍ଯ୍ୟବିହାରସ୍ଥିତ ଓମ୍‌ଫେଡ୍‌ ବୁଥ୍‌ ଆଗରେ ଫୋନ୍‌ରେ କଥା ହେଉଥିବା ସମୟରେ ଅଭିଯୁକ୍ତମାନେ ତାଙ୍କ ମୋବାଇଲ୍‌ ଛଡ଼ାଇ ପଳାଇଥିଲେ।