ଅଟଳାଗଡ଼ାରେ ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ, ମାରଣାସ୍ତ୍ର ଜବତ

ବାଲିଅନ୍ତା: ପାହଳ ଥାନା ଅଧୀନ ଅଟଳାଗଡ଼‌ ନିକଟରେ ଥିବା ଏକ ନିର୍ମାଣାଧୀନ ଘରେ ଡକାୟତି ପାଇଁ ପ୍ରସ୍ତୁତି ଚଳାଇଥିବା ଏକ ଗ୍ୟାଙ୍ଗର ୫ଜଣଙ୍କୁ ଆଜି ଉକ୍ତ ଥାନା ପୁଲିସ କାବୁ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପିଣ୍ଟୁ ଦାସ ଓରଫ ପିଣ୍ଟୁ(୨୯), ଆୟୁବ ଖାନ(୩୮), ବଳରାମ ନାୟକ(୩୦), ଏସକେ ସରିଫ(୩୬) ଓ ବିକ୍ରମ ଜେନା ଓରଫ ବିକି(୨୮)। ତେବେ ପୁଲିସ ଚଢ଼ଉ ସମୟରେ ବାବୁ ଖାନ ନାମକ ଅନ୍ୟ ଜଣେ ଲୁଟେରା ଘଟଣାସ୍ଥଳରୁ ଖସି ପଳାଇଥିବା ଜଣାଯାଇଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପାହାଳ ଥାନା ଆଇଆଇସି ସୁଚିତ୍ରା ପରିଡ଼ା ଓ ଏସଆଇ ଅମିୟ ମଲ୍ଲିକ ସଦଳବଳେ ଘଟଣାସ୍ଥଳରେ ଚଢ଼ଉ କରି ସେମାନଙ୍କୁ ଗିରଫ କରିଥିଲେ। କୋର୍ଟରେ ଜାମିନ ଖାରଜ ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଘଟଣାସ୍ଥଳରୁ ଏକ କଳା ରଙ୍ଗର ଖେଳନା ବନ୍ଧୁକ, ୩ଟି ଟର୍ଚ୍ଚ ଲାଇଟ, ୩ ଛୁରି, ୩ ମାସ୍କ, ୨୧ ଶହ ଟଙ୍କା, ଏକ ଚୋରି ବୁଲେଟ୍‌, ଏକ ବାଇକ୍‌, ୩ଟି ମଶାଲ ଲାଇଟ, ୨ଟି ଲୁହା ରଡ଼, ଗୋଟିଏ ଖଣ୍ଡା ଓ ଦୁଇ ପ୍ୟାକେଟ ଲଙ୍କା ପାଉଡର ଜବତ ହୋଇଛି।

ପୁଲିସ ସୂଚନା ଅନୁସାରେ ପିଣ୍ଟୁ ଏବଂ ବାବୁ ଗ୍ୟାଙ୍ଗର ମୁଖ୍ୟ ଏବଂ ଉଭୟଙ୍କ ନାମରେ ବିଭିନ୍ନ ଥାନାରେ ଅନେକ ଆପରାଧିକ ମାମଲା ରହିଛି। ପିଣ୍ଟୁ ନାଁରେ ବାଲିଅନ୍ତା ଥାନାରେ ସର୍ବାଧିକ ୮ଟି ମାମଲା ରହିଥିବା ବେଳେ କଟକ ସଦର ଥାନାରେ ୫ଟି ଏବଂ ପାହାଳ ଥାନାରେ ଦୁଇଟି, ଜଗତପୁର ଥାନାରେ ଗୋଟିଏ ଏବଂ ବାରଙ୍ଗ ଥାନାରେ ଆଉ ଗୋଟିଏ ମାମଲା ରହିଛି। ସେହିପରି ଏସକେ ସରିଫ ନାମରେ ନୂଆପଲ୍ଲୀ ଏବଂ ବାଲିଅନ୍ତା ଥାନାରେ ମାମଲା ରହିଛି। ଆୟୁବ ଖାନ ନାମରେ ସଦର ଥାନାରେ ୫ଟି , ବାଲିପାଟଣା, ଓଲଟପୁର ଥାନା ଏବଂ କ୍ୟାଣ୍ଟନମେଣ୍ଟ ଥାନାରେ ମାମଲା ରହିଛି। ଅନୁରୂପ ଭାବେ ଗ୍ୟାଙ୍ଗର ଅନ୍ୟତମ ମାଷ୍ଟରମାଇଣ୍ଡ କୁହାଯାଉଥିବା ବାବୁ ନାମରେ କମିସନରେଟ ପୁଲିସ ଅଞ୍ଚଳରେ ୨୨ଟି ମାମଲା ରହିଛି।

ସମ୍ବନ୍ଧିତ ଖବର