ସଫ୍ଟୱେର୍‌ ଇଞ୍ଜିନିୟରଙ୍କଠାରୁ ଡକାୟତି: ହକି ଷ୍ଟିକ୍‌ରେ ପିଟିଲେ, ଲାପଟପ୍ ଲୁଟିନେଲେ

ଭୁବନେଶ୍ବର: ବିଜେବିନଗର କ୍ୟାରମ୍‌ ପଡ଼ିଆ ନିକଟରେ ଆଜି ଅପରାହ୍‌ଣରେ ଜଣେ ସଫ୍ଟୱେର ଇଞ୍ଜିନିୟର୍‌ଙ୍କୁ ଆକ୍ରମଣ କରି ଡକାୟତି ଅଭିଯୋଗ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଲୁଟ୍‌ର ଶିକାର ହୋଇଥିବା ବଡ଼ଗଡ଼ ବ୍ରିଟ୍ କଲୋନି ଅଞ୍ଚଳର ଅମିୟ ମହାନ୍ତି ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ, ଅମିୟ ଆଜି ଅପରାହ୍‌ଣରେ ଲୁଇସ୍ ରୋଡ୍‌ରୁ ଗାଡ଼ି ଯୋଗେ ବଡ଼ଗଡ଼ ବ୍ରିଟ୍ କଲୋନିକୁ ଆସୁଥିଲେ। କ୍ୟାରମ୍‌ ପଡ଼ିଆ ନିକଟରେ ୫ରୁ ୬ଜଣ ତାଙ୍କୁ ରାସ୍ତା ଉପରେ ଅଟକାଇଥିଲେ। ସେମାନଙ୍କ ସହ ଜଣେ ଯୁବତୀ ମଧ୍ୟ ଥିଲେ। ଅସାମାଜିକ ଯୁବକମାନେ ତାଙ୍କୁ ୫ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ଦାଦାବଟି ନ ଦଲେ ଯୁବତୀ ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା କରିବେ ବୋଲି ଧମକ ଦେଇଥିଲେ। ଏପରିକି ଜୀବନରୁ ମାରି ଦେବାକୁ କହିଥିଲେ। ଅମିୟ ସେମାନଙ୍କୁ ବିରୋଧ କରିବାରୁ ଜଣେ ଯୁବକ ହକି ଷ୍ଟିକ୍‌ରେ ଆକ୍ରମଣ କରିଥିଲା।

ଆକ୍ରମଣ ଘଟଣାକୁ ଅନ୍ୟ ଜଣେ ମୋବାଇଲରେ ରେକର୍ଡିଂ ମଧ୍ୟ କରିଥିଲା ବୋଲି ଅମିୟ ଅଭିଯୋଗରେ ଦର୍ଶାଇଛନ୍ତି। ଏହା ପରେ ଲାପଟପ୍ ଲୁଟି ନେଇ ସେମାନେ ଫେରାର୍‌ ହୋଇଯାଇଛନ୍ତି ବୋଲି ଅମିୟ ପୁଲିସକୁ କହିଛନ୍ତି। ଅନ୍ୟପକ୍ଷରେ ସେହି ଗ୍ୟାଙ୍ଗର ମୁଖ୍ୟ ନାଁରେ ପୂର୍ବରୁ ମଧ୍ୟ ମାମଲା ରହିଛି। ଗତବର୍ଷ ମାର୍କେଟ ବିଲ୍‌ଡିଂରେ ଭଙ୍ଗାରୁଜା, ଗଣ୍ଡଗୋଳ ଘଟଣାର ମଧ୍ୟ ଅଭିଯୁକ୍ତ ଥିଲା। ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି।

ସମ୍ବନ୍ଧିତ ଖବର