ଭୁବନେଶ୍ବର : ମଙ୍ଗଳବାର ବିଳମ୍ବିତ ରାତିରେ ଆଇଗିଣିଆ ଅଞ୍ଚଳରେ ଏକ ଡକାୟତି ହୋଇଥିବା ନେଇ ଭରତପୁର ଥାନାରେ ଅଭିଯୋଗ ହୋଇଛି। ଏକ ୫ ଜଣିଆ ଡକାୟତ ଦଳ ଦେବାଶିଷ ତ୍ରିପାଠୀଙ୍କ ଘରେ ପଶି ପ୍ରାୟ ୧୦ ଲକ୍ଷ ଟଙ୍କାର ଗହଣା ଓ ନଗଦ ୨୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଭରତପୁର ଥାନା ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ୍ କରିବା ସହ ଲୁଟେରାଙ୍କ ବାବଦରେ ତଥ୍ୟ ପାଇବାକୁ ଉଦ୍ୟମ ଆରମ୍ଭ କରିଛି।
ଖବର ଅନୁଯାୟୀ, ଦେବାଶିଷଙ୍କ ପରିବାର ଆଇଗିଣିଆ ପ୍ଲଟ୍ ନମ୍ବର ୩୫୪ରେ ରହୁଛନ୍ତି। ଗତକାଲି ରାତି ପ୍ରାୟ ୨ଟା ବେଳେ ଘର ଭିତରେ କିଛି ଅସ୍ବାଭାବିକ ଶବ୍ଧ ଶୁଣି ଦେବାଶିଷ ଉଠିପଡ଼ିଥିଲେ। ବେଡ୍ ରୁମ୍ରୁ ବାହାରି ସେ ପାଖ ରୁମ୍କୁ ଯିବା ବେଳେ ଦେଖିଲେ ୫ ଜଣ ଦୁର୍ବୃତ୍ତ ଘରୁ ବାହାରି ଯାଉଛନ୍ତି। ସେମାନେ ବିଭିନ୍ନ ମାରଣାସ୍ତ୍ରରେ ସଜ୍ଜିତ ଥିଲେ। ତେଣୁ ସେମାନଙ୍କୁ ମୁକାବିଲା କରିବାକୁ ତାଙ୍କ ଜୁ’ ପାଇନଥିଲା ଓ ସେ ବିକଳରେ ବେଡ୍ ରୁମ୍ କିଳି ଭିତରେ ରହିଯାଇଥିଲେ। ସେହିଭଳି ତାଙ୍କ ଉଠିପଡ଼ିବା ଦେଖି ଡକାୟତମାନେ ବି ପାଚେରି ଡେଇଁ ପଳାଇଥିଲେ। ପରେ ସେ ଦେଖିଲେ ଯେ ଲକର୍ ଓ ଆଲ୍ମିରା ଥିବା ରୁମ୍ର ଝରକା ଗ୍ରିଲ୍ ତାଡ଼ି ଲୁଟେରାମାନେ ପଶିଥିଲେ ଓ ଲକର୍ ୨ଟିକୁ ଭାଙ୍ଗି ସେଥିରୁ ୨ଟି ସୁନାହାର, ୬ଟି ସୁନାଚେନ୍, ୨ହଳ କାନଫୁଲ, ୨ପଟ ସୁନା ଚୁଡ଼ି, ୬ଟି ମୁଦି, ବ୍ରେସଲେଟ୍ ଆଦି ଗହଣା ଲୁଟି ନେଇଥିଲେ। ସେହିଭଳି ଆଲ୍ମିରା ଭାଙ୍ଗି ସେଥିରୁ ନଗଦ ୨୫ ହଜାର ଟଙ୍କା ମଧ୍ୟ ନେଇଯାଇଥିଲେ। ଲୁଟ୍ ହୋଇଥିବା ଗହଣାର ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ହେବ ବୋଲି ସେ ଏତଲାରେ ଉଲ୍ଲେଖ କରିଛନ୍ତି। ଭରତପୁର ଥାନା ପୁଲିସ ସିସିଟିଭି ଯାଞ୍ଚ୍ କରିବା ପରେ ଘରେ ୫ଜଣ ଡକାୟତ ପଶିଥିବା ସ୍ପଷ୍ଟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/loot-aigania.jpg)