ଡକାୟତି ‌ଯୋଜନା ପଣ୍ଡ, ୪ ଗିରଫ

ବନ୍ଧୁକ, ଭୁଜାଲି, ଶାବଳ, ନିଶା ସ୍ପ୍ରେ, ଲଙ୍କାଗୁଣ୍ଡ ଜବତ

ଚନ୍ଦ୍ରଶେଖରପୁର : ଗତ ରାତିରେ ସ୍ଥାନୀୟ ବିଡିଏ କଲୋନିରୁ ଡକାୟତି କରିବାକୁ ଯୋଜନା କରୁଥିବାବେଳେ ଏକ କୁଖ୍ୟାତ୍‌ ଗ୍ୟାଙ୍ଗ୍‌କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ୍। ଅଭିଯୁକ୍ତମାନେ ହେଲେ ବିଶ୍ବନାଥ ବାରିକ(୨୩), ଅର୍‌ବାଜ ଖାନ୍(୨୦), ଲିପୁନ୍ ସେଠୀ(୨୦) ଓ ମଙ୍ଗୁ ବେହେରା(୨୩)। ସେମାନଙ୍କଠାରୁ ଏକ ବନ୍ଧୁକ, ଗୋଟିଏ ଭୁଜାଲି, ଏକ ଶାବଳ, ତିନିଟି ସୁନାଚେନ୍, ଦୁଇଟି ମୁଦି, ଦୁଇଟି ମୋବାଇଲ୍ ଫୋନ୍‌, ଲଙ୍କାଗୁଣ୍ଡ ପ୍ୟାକେଟ୍ ଓ ନିଶା ସ୍ପ୍ରେ ଜବତ ହୋଇଛି।

ଗତକାଲି ବିଳମ୍ବିତ ରାତିରେ ଏହି ଗ୍ୟାଙ୍ଗ୍‌ ସ୍ଥାନୀୟ ଦୁର୍ଗାପୂଜା ମଣ୍ଡପ ନିକଟ ଅନ୍ଧାରିଆ ନିଛାଟିଆ ସ୍ଥାନରେ ଏକାଠି ହୋଇଥିଲେ। ‌ ଏନେଇ ପୁଲିସକୁ ସୂଚନା ମିଳିବା ପରେ ଦୁଇଟି ଟିମ୍‌ ସେମାନଙ୍କୁ କାବୁ କରିବା ପାଇଁ ପ୍ରସ୍ତୁତ ହୋଇଥିଲା। ଦୁଇ ପୁଲିସ୍ ଟିମ୍‌ ଉକ୍ତ ସ୍ଥାନକୁ ଟାର୍ଗେଟ୍‌ କରି ସେଠାରେ ସାଦାପୋଷାକରେ ଓ ସାଧାରଣ ଗାଡ଼ିରେ ପହଞ୍ଚିଥିଲେ। ଡକାୟତ ଗ୍ୟାଙ୍ଗ୍‌ ସେମାନଙ୍କୁ ଦେଖିଥିଲେ ବି ପୁଲିସ ବୋଲି ଅନୁମାନ କରିପାରିନଥିଲେ। ତେଣୁ ପୁଲିସ ଟିମ୍‌ ଅତର୍କିତଭାବେ ସେମାନଙ୍କୁ ଘେରି ଯାଇଥିଲେ। ଫଳରେ ସେଠାରୁ କେହି ଖସି ପଳାଇବାକୁ ବାଟ ପାଇନଥିଲେ। ସୂଚନା ଥାଉକି, ଗତ ସପ୍ତାହରେ ଏହି ଥାନା ପୁଲିସ୍ ଠିକ୍ ସମାନ ଢ଼ଙ୍ଗରେ ଏକ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ମଧ୍ୟ ବିଭିନ୍ନ ମାରଣାସ୍ତ୍ର ସହ ଲଙ୍କା ଗୁଣ୍ଡା ଓ ନିଶା ସ୍ପ୍ରେ ଜବତ ହୋଇଥିଲା।

ସମ୍ବନ୍ଧିତ ଖବର