ରୋଗୀ ଶଯ୍ୟା ନିକଟକୁ ଡାକ୍ତର, ନର୍ସଙ୍କୁ ଯିବାକୁ ପଡ଼ିବନି

ଖପୁରିଆ ଆଇଟିଆଇ ପ୍ରସ୍ତୁତ କଲା ରୋବଟ୍‌

କଟକ: କଟକର ଖପୁରିଆସ୍ଥିତ ସରକାରୀ ଆଇଟିଆଇ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥାରେ ବିନିଯୋଗ ପାଇଁ ପ୍ରସ୍ତୁତ କରାଯାଇଛି ରୋବଟ୍। ପୂର୍ବରୁ ସ୍ବାବ ସଂଗ୍ରହ ପାଇଁ ଅତ୍ୟାଧୁନିକ କିଓସ୍କୋ ପ୍ରସ୍ତୁତ କରି ଚର୍ଚ୍ଚାରେ ରହିଥିବା କଟକର ସରକାରୀ ଆଇଟିଆଇର ଏଭଳି ପ୍ରସ୍ତୁତିକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ୪ଲକ୍ଷ ଟଙ୍କା ବ୍ୟୟରେ ପ୍ରସ୍ତୁତ କୋବଟ୍ ଓ ନିଗାବୋଟ୍‌କୁ କରୋନା ସଂକ୍ରମିତଙ୍କ ଚିକିତ୍ସା ହେଉଥିବା ହସ୍ପିଟାଲରେ ବ୍ୟବହାର କରିହେବ। ଫଳରେ, ରୋଗୀଙ୍କ ଶଯ୍ୟା ନିକଟକୁ ଡାକ୍ତର ଅଥବା ନର୍ସଙ୍କୁ ବାରମ୍ବାର ଯିବାକୁ ପଡ଼ିବ ନାହିଁ। ରୋବଟ ରୋଗୀଙ୍କୁ ଔଷଧ, ଖାଦ୍ୟ ଦ୍ରବ୍ୟ ଶଯ୍ୟା ନିକଟରେ ପହଞ୍ଚାଇ ଦେବ। ଶରୀର ତାପମାତ୍ର ମଧ୍ୟ ରୋବଟ୍ ଦ୍ବାରା ମପାଯିବ। ଏଥିପାଇଁ ପରୀକ୍ଷାମୂଳକ ଭାବେ କଟକ ଖପୁରିଆ ଆଇଟିଆଇ ପକ୍ଷରୁ ଦୁଇଟି ରୋବଟ୍ ପ୍ରସ୍ତୁତ କରାଯାଇଛି। କଟକର ଖପୁରିଆ ଆଇଟିଆଇ ଏବଂ ଭୁବନେଶ୍ବରସ୍ଥିତ ସ୍ୟାକ୍ ରୋବଟିକ୍ସ ଲ୍ୟାବର ମିଳିତ ଉଦ୍ୟମରେ ଏହି ଦୁଇଟି ରୋବଟକୁ ମାତ୍ର ୨୦ ଦିନ ଭିତରେ ପ୍ରସ୍ତୁତ କରାଯାଇଛି। ‘କୋବଟ୍’ ନାଁ ଦିଆଯାଇଥିବା ରୋବଟ୍ ହାତରେ ଗୋଟିଏ ଟ୍ରେ ରହିଛି। ୨୦ କେଜି ଯାଏ ସାମଗ୍ରୀ ଏହି ରୋବଟ୍ ସ୍ଥାନାନ୍ତର କରିପାରିବ। ଏଥିରେ ରୋଗୀଙ୍କ ବେଡ୍ ନିକଟକୁ ପାଣି, ଫଳ, ସାନିଟାଇଜାର, ଔଷଧ, ମାସ୍କ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପଠା ଯାଇପାରିବ। ସେହିପରି ଆଉ ଏକ ରୋବଟ୍ ହେଉଛି ‘ନିଗାବୋଟ୍’। ଏହି ରୋବଟ୍ ଦେହରେ ଗୋଟିଏ କ୍ୟାମେରା, ସ୍ପିକର ଓ ଡିସପ୍ଲେ ସ୍କ୍ରିନ ରହିଛି। ଡାକ୍ତର କରୋନା ରୋଗୀଙ୍କ ତାପମାତ୍ର କିମ୍ବା ସ୍ବାସ୍ଥ୍ୟ ଯାଞ୍ଚ କରିବାକୁ ବାରମ୍ବାର ରୋଗୀର ବେଡ୍ ନିକଟକୁ ଯିବାକୁ ପଡ଼ିବ ନାହିଁ। ଏହି ରୋବଟ୍ ମାଧ୍ୟମରେ ଇଣ୍ଟରନେଟ୍ ସଂଯୋଗ ଦ୍ବାରା ଭିଡିଓ କଲ୍ କରି ଚାମ୍ବରରୁ ଡାକ୍ତର ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବେ। ଡିସପ୍ଲେରେ ପରସ୍ପରକୁ ଦେଖିପାରିବେ। କେବଳ ସେତିକି ନୁହେଁ, ରୋଗୀର ଶରୀରର ତାପମାତ୍ରା ମଧ୍ୟ ‘ନିଗାବୋଟ୍’ ରୋବଟ୍ ମାପି ଡାକ୍ତରଙ୍କୁ ସୂଚନା ଦେଇପାରିବ। ରୋଗୀ ଶଯ୍ୟାରେ ଥାଇ ଡାକ୍ତରଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରିପାରିବ ଏବଂ ସ୍ବାସ୍ଥ୍ୟଗତ ସମସ୍ୟା ସମ୍ପର୍କରେ ଡାକ୍ତରଙ୍କୁ ଅବଗତ କରିପାରିବ।

ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣର ପିପିଇ (ପର୍ସନାଲ ପ୍ରୋଟେକ୍ଟିଭ୍ ଇକ୍ୟୁପମେଣ୍ଟ) ନଥିବା ବେଳେ ରୋବଟ୍ ମାଧ୍ୟମରେ ଏଭଳି ଚିକିତ୍ସା ଅଧିକ ସହଜ ହୋଇପାରିବ ବୋଲି କୁହାଯାଉଛି। ତେବେ ଦୁଇଟି ରୋବଟ୍ ପ୍ରାଥମିକ ପର୍ଯ୍ୟାୟରେ ରିମୋଟ୍ ମାଧ୍ୟମରେ ଓୟାରଲେସ୍ ଟେକନୋଲଜି ବ୍ୟବହାର କରି ନିୟନ୍ତ୍ରିତ କରାଯାଉଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ସ୍ବୟଂ ଚାଳିତ କରାଯିବାକୁ ଆଇଟିଆଇ ପକ୍ଷରୁ ଯୋଜନା କରାଯାଇଛି। ଅର୍ଥାତ ରୋବଟକୁ କେବଳ କମାଣ୍ଡ ମିଳିଲେ ସେହି ଅନୁଯାୟୀ କାର୍ଯ୍ୟ କରିବ। ଏହି ଦୁଇଟି ରୋବଟ୍ କେଉଁ କୋଭିଡ-୧୯ ହସପିଟାଲରେ ବ୍ୟବହାର କରାଯିବ, ସେ ନେଇ କୌଣସି ସୂଚନା ମିଳିପାରିନାହିଁ। ଏଥିରେ ମଟର ଲାଗିଥିବା ବେଳେ ଚଟାଣରେ ଗତି କରିବା ପାଇଁ ଚକା ବ୍ୟବହାର କରାଯାଇଛି। ରୋବଟ୍ ପିଛା ପାଖାପାଖି ୨ ଲକ୍ଷ ଟଙ୍କା ହିସାବରେ ୪ ଲକ୍ଷ ଟଙ୍କା ବ୍ୟୟ ହୋଇଛି। ଆଇଟିଆଇର ଆଇଟି, ଇଲୋକ୍ଟ୍ରୋନିକ୍ସ ବିଭାଗର ବିଶେଷଜ୍ଞ ଏବଂ ସ୍ୟାକ୍ ରେବଟିକ୍ସ ଲ୍ୟାବ୍ ବିଶେଷଜ୍ଞ ମାନେ ଏହି ଦୁଇଟି ରୋବଟ୍ ପ୍ରସ୍ତୁତ କରିଛନ୍ତି। ଏହି ଦୁଇଟି ରୋବଟ୍ କୋଭିଡ-୧୯ ହସପିଟାଲରେ ସଫଳ ହେଲେ ପ୍ରତ୍ୟେକ ମାସରେ ୨୦ଟି ଲେଖାଏ ଏହି ପ୍ରକାର ରୋବଟ୍ ପ୍ରସ୍ତୁତ କରାଯିବାକୁ ଯୋଜନା କରାଯାଉଛି। ତେବେ ରୋବଟ୍ ପ୍ରସ୍ତୁତ କରିବା ପାଇଁ ବର୍ତ୍ତମାନ ସମୟରେ ଆବଶ୍ୟକ ଉପକରଣ ମିଳିବା ସମ୍ଭବପର ହୋଇପାରୁ ନାହିଁ। ଉପକରଣ ମିଳିବା ପରେ ଅଧିକ ସଂଖ୍ୟାରେ ପ୍ରସ୍ତୁତ କରିବାକୁ ଯୋଜନା କରିଥିବା ଆଇଟିଆଇର ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ସୁଧାସ୍ମିତା ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର