ରୋବୋଟ୍‌ କରିବ ଅସ୍ତ୍ରୋପଚାର, ପ୍ରସ୍ତୁତ ହେଉଛି ଭୁବନେଶ୍ବର ଏମ୍ସ

ଖର୍ଚ୍ଚ ହେବ ୨୦ କୋଟି ଟଙ୍କା

ଭୁବନେଶ୍ବର : ଓଡ଼ିଶାରେ ରୋବୋଟ୍‌ କରିବ ଅସ୍ତ୍ରୋପଚାର। ଖୁବ ଶୀଘ୍ର ଏମ୍ସ ଭୁବନେଶ୍ବରରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ସରିଲାଣି। ୬ ମାସ ପୂର୍ବରୁ ଏ ସଂକ୍ରାନ୍ତରେ ସମସ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି। ଏଥିପାଇଁ ୨୦ କୋଟି ଟଙ୍କା ଖର୍ଚ ହେବ। ଏହି ସୂଚନା ଦେଇଛନ୍ତି ଏମ୍ସ ଭୁବନେଶ୍ବରର ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି। ଏହି ପ୍ରକ୍ରିୟା କାର୍ଯ୍ୟକାରୀ ହେଲେ ରାଜ୍ୟ ଚିକିତ୍ସା ବିଜ୍ଞାନରେ ନୂତନ ସମ୍ଭାବନା ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

କିଛି ବର୍ଷ ପୂର୍ବରୁ ରିଲିଜ ହୋଇଥିଲା ରଜନୀକାନ୍ତ ଓ ଐଶ୍ବର୍ଯ୍ୟା ରାୟ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ରୋବୋଟ୍‌। ଆଖି ପିଛୁଳାକେ ସବୁ କିଛି କରିପାରୁଥିବା ଚିଟ୍ଟି ନାମକ ରୋବୋଟ୍‌ ଦର୍ଶକଙ୍କୁ ବେଶ୍‌ ଆମୋଦିତ କରୁଥିଲା। ଚଳଚ୍ଚିତ୍ରର କଳ୍ପନା କିନ୍ତୁ ଦେଶରେ ଅନେକ ବର୍ଷ ହେଲା ବାସ୍ତବିକ ରୂପ ନେଇ ସାରିଛି। କେବଳ ସାଧାରଣ କାର୍ଯ୍ୟ ନୁହେଁ; ଚିକିତ୍ସା କ୍ଷେତ୍ରରେ ମଧ୍ୟ ରୋବୋଟ୍‌ ଅନେକ ଦିନ ହେଲା ପ୍ରବେଶ କରି ସାରିଛି। ୨୦୦୮ ମସିହାରୁ ଏମ୍ସ ଦିଲ୍ଲୀରେ ବିଭିନ୍ନ ସମୟରେ କରାଯାଉଥିବା ରୋବୋଟିକ୍‌ ଅସ୍ତ୍ରୋପଚାର ଦେଶରେ ଚର୍ଚାର ବିଷୟ ହୋଇଛି। କିଛି ନୂତନ ଏମ୍ସରେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇ ସାରିଛି।

ଏ ନେଇ ଅଧୀକ୍ଷକ ପ୍ରଫେସର ମହାନ୍ତି କହନ୍ତି, ଏହି ଅସ୍ତ୍ରୋପଚାର କେବଳ ରୋବୋଟ୍‌ କରିବ ନାହିଁ; ବରଂ ଅଭିଜ୍ଞ ଡାକ୍ତରଙ୍କ ନିରୀକ୍ଷଣରେ ହିଁ ଏହି ଅସ୍ତ୍ରୋପଚାର ହେବ। କିଛି ବିଶେଷଜ୍ଞଙ୍କ କହିବା ଅନୁସାରେ ସାଧାରଣ ଅସ୍ତ୍ରୋପଚାର ବେଳେ ଡାକ୍ତରଙ୍କ ସହିତ ନର୍ସ ସମେତ ଅନ୍ୟାନ୍ୟ ସହଯୋଗୀଙ୍କ ଆବଶ୍ୟକ ହୁଏ। ମାତ୍ର ରୋବୋଟିକ୍‌ ଅସ୍ତ୍ରୋପଚାରରେ ଏତେ ସଂଖ୍ୟକ ସହଯୋଗୀଙ୍କ ଆବଶ୍ୟକତା ପଡ଼େ ନାହିଁ। ଏଥିଯୋଗୁଁ ରୋଗୀ ସଂକ୍ରମଣର ଶିକାର ହେବା ଆଶଙ୍କା ପ୍ରାୟତଃ ରହେ ନାହିଁ। ଏଥିସହିତ ଏହିଭଳି ଅସ୍ତ୍ରୋପଚାରରେ ସମ୍ପୂର୍ଣ୍ଣ ଠିକ୍‌ ମଧ୍ୟ ସମ୍ଭାବନା ରହିଥାଏ ବୋଲି କୁହାଯାଉଛି। ଜଟିଳ ଅସ୍ତ୍ରୋପଚାର ବେଳେ ଶରୀରରେ ଯେଉଁଭଳି କଟାକଟି କରାଯାଏ ଏବଂ ଏଥିଯୋଗୁଁ ରକ୍ତସ୍ରାବ ହୁଏ; ରୋବୋଟିକ୍‌ ଅସ୍ତ୍ରୋପଚାର ବେଳେ ଏହା ସେତେଟା ହୁଏ ନାହିଁ ବୋଲି ବିଶେଷଜ୍ଞମାନେ କହନ୍ତି। ରୋବୋଟିକ୍‌ ଅସ୍ତ୍ରୋପଚାରରେ ରୋବୋଟ୍‌ର ଗୋଟିଏ ହାତ କ୍ୟାମେରା ଧରି ଅନ୍ୟ ୩ଟି ହାତ ଅସ୍ତ୍ରୋପଚାର କରିଥାଏ। ହାଏ ଡେଫିନେସନ ଅଫ୍‌ ୩ଡି ଭିଜନରେ ଏହା କାର୍ଯ୍ୟକାରୀ କରାଯାଏ। ଏହି ସର୍ଜରି କରୁଥିବା ରୋବୋଟ୍‌କୁ ଏଭଳି ପ୍ରସ୍ତୁତ କରାଯାଏ ଯେ ଏହାର ହାତ ମଣିଷ ଶରୀର ଭିତରର ସମସ୍ତ ଅଙ୍ଗ ପାଖରେ ପହଞ୍ଚିପାରେ। ଯାହା ଅନେକ ସମୟରେ ମାଇକ୍ରୋସ୍କୋପିକ ଅସ୍ତ୍ରୋପଚାର ବେଳେ ସମ୍ଭବ ହୁଏ ନାହିଁ।

ଓଡ଼ିଶା ଭଳି ରାଜ୍ୟ ଯେଉଁଡି ଡାକ୍ତର ବେଳେବେଳେ ନିଜ ମୋବାଇଲ ଟର୍ଚରେ ଅସ୍ତ୍ରୋପଚାର କରନ୍ତି, ସେଠ‌‌ି ରୋବୋଟ୍‌ ଅସ୍ତ୍ରୋପଚାର କରିବା କଥା କାନକୁ ଅଖାଡ଼ୁଆ ଶୁଭୁଥିଲେ ମଧ୍ୟ ଖୁବ ଶୀଘ୍ର ଏମ୍ସ ଭୁବନେଶ୍ବରରେ ଏହା କାର୍ଯ୍ୟକାରୀ ହେବାର ଆଶା ରହିଛି। ଏମ୍ସ ଭଳି କଟକ ଏସ୍‌ସିବି ମେଡିକାଲରେ ମଧ୍ୟ ରୋବୋଟିକ ଅସ୍ତ୍ରୋପଚାର ପାଇଁ ଯୋଜନା ରହିଛି। ଏଥିପାଇଁ ୧୨ କୋଟି ଟଙ୍କାର ଖର୍ଚ୍ଚ ଆକଳନ କରାଯାଇଥିବାବେଳେ ବର୍ଷେ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଥିଲା। ମାତ୍ର ଇତିମଧ୍ୟରେ ଏକ ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇ ନାହିଁ।

ସମ୍ବନ୍ଧିତ ଖବର