ରାଜ୍ୟରେ ପ୍ରଥମ : ରାଜଧାନୀରେ ରୋବୋଟିକ୍ ଚିକିତ୍ସା

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲସ୍ଥିତ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ କ୍ୟାମ୍ପସ୍‌ରେ ସ୍ନାୟୁଗତ ସମସ୍ୟା ଓ ଟ୍ରମାର ଶିକାର ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ ଅତ୍ୟାଧୁନିକ ରୋବୋଟିକ୍ ଚିକିତ୍ସା ଆରମ୍ଭ ହୋଇଛି। ରାଜ୍ୟରେ ଏଭଳି ରୋବୋଟିକ୍ ଚିକିତ୍ସା ହେଉଛି ପ୍ରଥମ। ଦେଶରେ ମାତ୍ର ୮ଟି ସ୍ଥାନରେ ଏଭଳି ବ୍ୟବସ୍ଥା ରହିଛି। ଗତମାସଠାରୁ ଆରମ୍ଭ ହୋଇଥିବା ଏହି ଅତ୍ୟାଧୁନିକ ଚିକିତ୍ସା କିଭଳି ଢଙ୍ଗରେ କରାଯାଉଛି ଓ ଏହା ପାରମ୍ପରିକ ଚିକିତ୍ସାଠାରୁ କିପରି ଭିନ୍ନ ତାହା ଜାଣିବା ପାଇଁ ଚେଷ୍ଟା କରିଥିଲା ‘ସମ୍ବାଦ’ ଟିମ୍।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗରେ ‌ଅଧୀନରେ ଥିବା ଏସଆଇଡିଆର ପରିସରରେ ନୂତନ ଭାବେ ଆରମ୍ଭ ହୋଇଛି ଉନ୍ନତ ପୁନର୍ବାସ କେନ୍ଦ୍ର ବା ଏଆର୍‌ସି। ଏଥିରେ ଭିନ୍ନକ୍ଷମ ହୋଇ ଯାଇଥିବା ବ୍ୟକ୍ତିମାନଙ୍କ ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ସହାୟତାରେ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ତିଆରି ହେବା ସହିତ ସ୍ନାୟୁଗତ ସମସ୍ୟା ଯୋଗୁଁ ଚଲାବୁଲା କରିପାରୁ ନ ଥିବା ବ୍ୟକ୍ତିମାନଙ୍କ ପାଇଁ ଖୋଲିଛି ରୋବୋଟିକ୍ ଅର୍ଥୋସିସ୍ ମେସିନ୍ ଲୋକୋମାଟ୍ ପ୍ରୋ। ରୋବୋଟିକ୍ ଅର୍ଥୋସିସ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମେସିନ୍ ସହାୟତାରେ ଜଣକୁ ଚଲାଇବା। ଏହାସହ ଅକ୍ଷମତାର ଶିକାର ହୋଇଥିବା ଲୋକଟିକୁ ଅଧିକ ଉତ୍ସାହିତ କରିବା ପାଇଁ ଗେମ୍ ଲଗାଯାଇଥାଏ। ଉଭୟ ଶିଶୁ ଓ ବୟସ୍କ ବ୍ୟକ୍ତିଙ୍କ ପାଇଁ ଦୁଇଟି ଭିନ୍ନ ଭିନ୍ନ ରୋବୋଟିକ୍ ମେସିନ୍ ରହିଛି। ଦୈନିକ ୮/୧୦ଜଣ ବ୍ୟକ୍ତି ଏହି ଚିକିତ୍ସା ଦିଆଯାଇ ପାରିବ।

ମେରୁଦଣ୍ଡ ଆଘାତ, ଟ୍ରମା, ଷ୍ଟ୍ରୋକ୍, ପାର୍କିନସନ୍ ବା ହାତ ଥରିବା, ମସ୍କୁଲାର ଡିଷ୍ଟ୍ରୋପିର ଶିକାର ହୋଇଥିବା ବ୍ୟକ୍ତିମାନେ ରୋବୋଟିକ ଅର୍ଥୋସିସ୍ ଫାଇଦା ନେଇପାରିବେ। ମେସିନ୍‌ରେ ଏକ ଟ୍ରେଡ୍‌ ମିଲ୍ ରହିଛି। ଲୋକର ଓଜନ ଓ ଉଚ୍ଚତା ମପାଯିବା ପରେ ଏଥିରେ ଚାଲିବା ପାଇଁ ଗୋଡ଼ ଓ ଦେହ ବନ୍ଧା ଯାଇଥାଏ। ଏହାପରେ ମେସିନ୍ ସଂପୃକ୍ତ ବ୍ୟକ୍ତିଙ୍କୁ ଚଲାଇବାକୁ ଆରମ୍ଭ କରିଥାଏ। ଯାହାଫଳରେ ସଂପୂର୍ଣ୍ଣଭାବେ ଚାଲିପାରୁ ନ ଥିବା ବ୍ୟକ୍ତିଟିଏ ଚାଲିବାକୁ ଆରମ୍ଭ କରିଥାଏ। ବ୍ୟକ୍ତିଙ୍କୁ ସହାୟତା କରିବା ପାଇଁ ଫିଜିଓଥେରାପିଷ୍ଟ ରହିଛନ୍ତି। ଜଣେ ବ୍ୟକ୍ତିଙ୍କୁ ୪୫ ମିନିଟ୍‌ରୁ ୧ଘଣ୍ଟା ପର୍ଯ୍ୟନ୍ତ ଏଥିରେ ଚାଲିବାକୁ ପଡ଼ିଥାଏ। ଏହାସହ ସଂପୃକ୍ତ ବ୍ୟକ୍ତିଙ୍କ ସମସ୍ତ ତଥ୍ୟ କମ୍ପ୍ୟୁଟର ଜରିଆରେ ରେକର୍ଡ ହୋଇଥାଏ। ପରବର୍ତୀ ସମୟରେ ଏହା ଚିକିତ୍ସାରେ ସହାୟତା କରିଥାଏ। ଜଣେ ବ୍ୟକ୍ତିଙ୍କୁ ୨/୩ମାସ ଧରି ଏହି ରୋବୋଟିକ୍ ଟ୍ରେଡ୍‌ ମିଲ୍‌ରେ ଚାଲିବାକୁ ପଡ଼ୁଥିବା ଜଣାପଡ଼ିଛି। ସେହିପରି ହାତ ପକ୍ଷାଘାତ ପାଇଁ ଆର୍ମିଓ ସ୍ପ୍ରିଙ୍ଗ ମେସିନ୍ ରହିଛି। ରୋବୋଟିକ୍ ଅର୍ଥୋସିସ୍ ପାଇଁ ୫ଜଣ ଫିଜିଓଥେରାପିଷ୍ଟ ରହିଛନ୍ତି। ଏହି ମେସିନ୍ ଚଳାଇବା ପାଇଁ ସୁଇଜରଲାଣ୍ଡର ଟ୍ରେନର ଫିଜିଓଥେରାପିଷ୍ଟଙ୍କୁ ୩ଦିନ ତାଲିମ୍ ଦେଇଥିବା ଜଣାପଡ଼ିଛି।

ହାତରେ ନୁହେଁ ମେସିନ୍‌ରେ ତିଆରି ହେବ କୃତ୍ରିମ ଅଙ୍ଗ

ରୋବୋଟିକ୍ ‌ଅର୍ଥୋସିସ୍ ବାଦ୍ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ପାଇଁ ମଧ୍ୟ ଅତ୍ୟାଧୁନିକ ମେସିନ୍ ଲଗାଯାଇଛି। ପୂର୍ବରୁ ଦୁର୍ଘଟଣା କିମ୍ବା ଅଘଟଣର ଶିକାର ହୋଇ ଅଙ୍ଗ ହରାଇଥିବା ବ୍ୟକ୍ତିମାନଙ୍କ ପାଇଁ ମାନୁଆଲି କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ପ୍ରସ୍ତୁତ କରାଯାଉଥିଲା। ମାତ୍ର ଅଙ୍ଗପ୍ରତ୍ୟେଙ୍ଗ ତିଆରିକୁ ଅଧିକ ତ୍ବରାନ୍ବିତ କରିବା ଓ ମାନୁଆଲି ପ୍ରସ୍ତୁତ ହେଉଥିବା ଅଙ୍ଗରେ ଅନେକ ସମୟରେ ରହୁଥିବା ତ୍ରୁଟିକୁ ସୁଧାରିବା ପାଇଁ କମ୍ପ୍ୟୁଟର ଏଡେଡ୍‌ ଡିଜାଇନ୍ ବା କ୍ୟାଡ୍‌ ଓ କମ୍ପ୍ୟୁଟର ଏଡେଡ୍‌ ମାନୁଫ୍ୟାକ୍‌ଚରିଂ ବା କ୍ୟାମ୍ ମେସିନ୍ ଲଗାଯାଇଛି। ଏହି ମେସିନ୍‌ରେ ଯେଉଁ ବ୍ୟକ୍ତିଙ୍କ କୃତ୍ରିମ ଅଙ୍ଗ ଦରକାର ତାହାର ଏକ ଥ୍ରିଡି ଇମେଜ୍ ନେବା ପରେ ଆବଶ୍ୟକ ଅଙ୍ଗର ସାଇଜ୍ ପାଇବା ପାଇଁ କ୍ୟାଡ୍‌-କ୍ୟାମ୍ ଆକ୍ସିସ୍ ୪ ମେସିନ୍‌ରେ ମୁଲ୍‌ଡ ବା ଛାଞ୍ଚକୁ ରଖାଯାଇଥାଏ। ଏହି ମେସିନ୍ ଆବଶ୍ୟକ ମାପ ଅନୁସାରେ ଏହାକୁ କାଟିଥାଏ। ପରେ ପଜିଟିଭ୍ ମୁଲ୍‌ଡକୁ ହଟ୍ ଚାମ୍ବରେ ରଖାଯାଇ କୃତ୍ରିମ ଅଙ୍ଗ ପ୍ରସ୍ତୁତ କରାଯାଇଥାଏ। ପୂର୍ବରୁ ଏହା ମାନୁଆଲି ହେଉଥିବା ବେଳେ ମାସକୁ ୬୦ କୃତ୍ରିମ ଅଙ୍ଗ ପ୍ରସ୍ତୁତ ହେଉଥିଲା। ଏବେ ଏହି ମେସିନ୍‌ର ୧୦୦ରୁ ଅଧିକ ପ୍ରୋସ୍ଥେସିସ୍ ଓ ୧୫୦ରୁ ଅଧିକ ଅର୍ଥୋସିସ୍ ଅଙ୍ଗ ପ୍ରସ୍ତୁତ କରିବାର କ୍ଷମତା ରହିଛି‌। ଏଥିରେ ଆଣ୍ଠୁ ତଳ, ଆଣ୍ଠୁ ଉପର, ସ୍ପାଇନ୍ ଅର୍ଥୋସିସ୍, ଆଣ୍ଠୁ ଅର୍ଥୋସିସ୍, କଷ୍ଟମ୍ ଫୁଟୱେୟାର, କେଏଏଫ୍‌ଓ/ଏଏଫ୍‌ଓ, ହିପ୍ ପେଲଭିକ୍ ଭଳି ଅଙ୍ଗ ପ୍ରସ୍ତୁତ ହୋଇପାରିବ।

ଏଆର୍‌ସି ପାଇଁ ଖର୍ଚ ହୋଇଛି ୨୦କୋଟି

ଏଆରସି ପାଇଁ ଖର୍ଚ ହୋଇଛି ୧୯.୪୯ କୋଟି ଟଙ୍କା। ଏଥିପାଇଁ ଦିଲ୍ଲୀର ଏକ ଏଜେନ୍‌ସିକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଚୟନ କରିଛି। ଏହି ଏଜେନ୍‌ସି ଆସନ୍ତା ୫ବର୍ଷ ପାଇଁ ଏହାର ଦାୟିତ୍ବ ନେବ। ଆବଶ୍ୟକ ଫାଷ୍ଟସ୍କାନ୍, ବାଇଓସେପ୍ ସଫ୍‌ଟୱେୟାର, ବାଇଓ-ମିଲ, ହଟ ଏୟାର ଓଭନ୍, ଗ୍ରାଇଣ୍ଡିଂ ଓ ଡ୍ରିଲିଂ ମେସିନ୍ ମଧ୍ୟ ଯୋଗାଇବ। ଏହାସହ ଏଜେନ୍‌ସି ପକ୍ଷରୁ ୧୫ ପ୍ରତିଶତ ରିହାତି ଦରରେ କୃତ୍ରିମ ଅଙ୍ଗ ଯୋଗାଇବା ପାଇଁ ନିଷ୍ପତ୍ତି ହୋଇଛି। ୨୦୧୮/୧୯ ଆର୍ଥିକ ବର୍ଷରେ ଏଜେନ୍‌ସି ପକ୍ଷରୁ ଯନ୍ତ୍ରପାତି ସହିତ କର୍ମଚାରୀମାନଙ୍କୁ ତାଲିମ୍ ମଧ୍ୟ ଦେବାକୁ ଧାର୍ଯ୍ୟ ହୋଇଛି। ଏଆରସି ଏବେ ଫିଜିଓ-ଅକ୍ୟୁପେସନାଲ ଥେରାପି ସର୍ଭିସ୍, ରିହାବିଲେସନ୍ ଜିମ୍‌ନାସିୟମ୍ ସର୍ଭିସ୍, ରୋବୋଟିକ୍ ନ୍ୟୁରୋ ରିହାବିଲେସନ୍ ସର୍ଭିସ୍ ଫର ଅପର ଏଣ୍ଡ ଲୋୟର ଲିମ୍ବସ, ଫାବ୍ରିକେସନ୍ ଏଣ୍ଡ ଫିଟମେଣ୍ଟ ଅଫ ଆଟିର୍ଫିସିଆଲ ଲିମ୍ବସ୍, ଜେରିଆଟିକ୍ ରିହାବିଲେସନ୍, ‌କାଉନସେଲିଂ ସେବା, ଡାଏଟାରି କନସ‌ଲଟେସନ୍ ସେବା ଯୋଗାଇ ଦିଆଯାଉଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏଆର୍‌ସି ପାଇଁ ବଳି ପଡ଼ିଲା ବହୁ ଯନ୍ତ୍ରପାତି

ଏଆର୍‌ସି ପାଇଁ ପୂର୍ବରୁ ଚାଲୁଥିବା ଫିଜିଓଥେରାପି ସେଣ୍ଟର/ୱାର୍କସପ୍‌ରୁ ବହୁ ଜିନିଷ ବଳି ପଡ଼ିଛି। ଟ୍ରେଡ୍‌ମିଲ୍, ଓଭନ୍, ଟେବୁଲ, ସକସନ୍ ମେସିନ୍ ଏଣେତେ‌‌ଣେ ପଡ଼ିଛି। କିଛି ଜିନିଷକୁ ଖୋର୍ଧ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରକୁ ପଠାଇ ଦିଆଯାଇଥିବା ବେଳେ ଆଉ କିଛି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଲ୍ଡିଂ ପରିସରରେ ପଡ଼ି ରହିଛି। ବିଲ୍ଡିଂର ଉପର ମହଲାରେ ଦାମୀ ଟ୍ରେଡ୍‌ ମିଲ୍‌ ସହିତ ଅନ୍ୟାନ୍ୟ ଯନ୍ତ୍ରପାତି କାର୍ଯ୍ୟକ୍ଷମ ନ ହୋଇ ପଡ଼ି ରହିଛି। ତେବେ ସରକାରୀ ଅର୍ଥରେ କିଣା ଯାଇଥିବା ଲକ୍ଷାଧିକ ଟଙ୍କାର ଜିନିଷର ଭାଗ୍ୟ କ’ଣ ହେବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର