ଜଟଣୀ: ଜଟଣୀ ବ୍ଲକ୍ ପଞ୍ଚୁପଲ୍ଲୀ ପଞ୍ଚାୟତକୁ ଦୟାୱେଷ୍ଟ୍ କେନାଲ୍ ବନ୍ଧରେ ରଥିପୁର ଦେଇ ଜଟଣୀ ଟାଉନ୍କୁ ସିଧାସଳଖ ଯୋଡ଼ିବା ପାଇଁ ରଙ୍ଗିଆ ନଈରେ ଏକ ବ୍ରିଜ୍ ନିର୍ମାଣ ଆବଶ୍ୟକ ହେଉଥିଲା। ଏଥିପାଇଁ ଦୀର୍ଘ ବର୍ଷ ହେଲା ଦାବି ହୋଇଆସୁଥିଲା। ଆଜି ଏହି ବେରୁହାଁ ବ୍ରିଜ୍ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି। ଏହି ବ୍ରିଜ୍ ନିର୍ମାଣ ସହ କେନାଲ ବନ୍ଧରେ ରଥିପୁର ପର୍ଯ୍ୟନ୍ତ ରାସ୍ତା ନବୀକରଣ ମଧ୍ୟ କରାଯିବ ବୋଲି ସୂଚନା ମିଳିଛି। ସୂଚନାନୁସାରେ, ଜଳ ସମ୍ପଦ ବିଭାଗର ପ୍ରାଚୀ ଡିଭିଜନ ପକ୍ଷରୁ ଉକ୍ତ ରାସ୍ତା ଓ ବ୍ରିଜ୍ ନିର୍ମାଣ କାର୍ଯ୍ୟ ଦାୟିତ୍ବ ନିଆଯାଇଛି।
ଏଥିପାଇଁ ୧କୋଟି ୨୯ଲକ୍ଷ ବ୍ୟୟ ଅଟକଳ କରାଯାଇଛି। ବେରୁହାଁଠାରେ ରଙ୍ଗିଆ ନଈ ଉପରେ ଏହି ବ୍ରିଜ୍ ନିର୍ମାଣ କରାଯିବ ଏବଂ ସେଠାରୁ ରଥିପୁର ଯାଏ ପ୍ରାୟ ୪ କିମି ଲମ୍ବର ରାସ୍ତା ମଧ୍ୟ ନବୀକରଣ କରାଯିବ। ଫଳରେ ଏଣିକି ପଞ୍ଚୁପଲ୍ଲୀ ପଞ୍ଚାୟତର ପଞ୍ଚୁପଲ୍ଲୀ, ବ୍ରହ୍ମକୁଣ୍ଡଳ, ତୃତୀୟାପଡ଼ା, ସାନ ନୂଆଗାଁ, ବେରୁହାଁ ଓ ବାଇରଙ୍ଗ ଗ୍ରାମବାସୀମାନେ ଏହି ରାସ୍ତାରେ ରଥିପୁର ଦେଇ ଜଟଣୀ ସହର ସହ ଯୋଡ଼ିହେବେ। ସେହିଭଳି ଭୁବନେଶ୍ୱର ବ୍ଲକ୍ ନଁପୁଟ ପଞ୍ଚାୟତ ରେତଙ୍ଗ, ମହୁରା, ନଁପୁଟ ଆଦି ଗ୍ରାମବାସୀମାନେ ଏହି ରାସ୍ତା ଦେଇ କମ୍ ସମୟରେ ଜଟଣୀ ସହରକୁ ଯାତାୟାତ କରିପାରିବେ।
ଏହି ବ୍ରିଜ୍ ଓ ରାସ୍ତା କାମ ବର୍ଷକ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରହିଛି। ଆଜି ଶିଳାନ୍ୟାସ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ବଳବନ୍ତରାୟ, ଜଟଣୀ ବ୍ଲକ୍ ଅଧ୍ୟକ୍ଷା ଜୟନ୍ତୀ ଛୋଟରାୟ, ଉପାଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ ଦାସ, ପଞ୍ଚୁପଲ୍ଲୀ ସରପଞ୍ଚ ବନଜା ଜେନା, ସମିତି ସଭ୍ୟା ଇତିଶ୍ରୀ ଜେନା, କନ୍ତିଆ ସରପଞ୍ଚ ମନୋଜ ବେହେରା, ସମିତି ସଭ୍ୟ ଭୀମସେନ ଭୁଜବଳ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/25-14.jpg)