ଭୁବନେଶ୍ବର: ଦୁଇ ଭାଇଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ଅଭି‌ଯୋଗରେ ମଞ୍ଚେଶ୍ବର ଥାନା ପୁଲିସ୍‌ ଆଜି ଦୁର୍ଦ୍ଦାନ୍ତ ରୋହିତ ଭଞ୍ଜ(୨୩)କୁ ଗିରଫ କରିଛି। ତା’ ଘର ପାଣ୍ଡରା ଭୋଇସାହିରେ। ପୁଲିସ ସୂଚନାନୁସାରେ, ଗତବର୍ଷ ଡିସେମ୍ବର ୨୨ ତାରିଖ ଅପରାହ୍ନରେ ବିକ୍ରମ ଶ୍ରୀଚନ୍ଦନ ପାଣ୍ଡରା ଛକରେ ତିଆରି ହୋଇଥିବା ତାଙ୍କ ନୂଆ ଦୋକାନକୁ ଯାଇଥିଲେ। ସେଠାରେ କିଛି ସହଯୋଗୀ ସହ ରୋହିତ ତାଙ୍କ ଦୋକାନକୁ ପଥର ମାରି ଭାଙ୍ଗୁଥିବା ଦେଖିଥିଲେ। ବିକ୍ରମ ବିରୋଧ କରିବାରୁ ଅଭିଯୁକ୍ତମା‌ନେ କାଠଫାଳିଆ ଏବଂ ପଥରରେ ତାଙ୍କୁ ଆକ୍ରମଣ କରିଥିଲେ।

Advertisment

ଦୁଇ ଭାଇଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା

ଖାଲି ମଞ୍ଚେଶ୍ବର ଥାନାରେ ୭ ଆପରାଧିକ ମାମଲା

ବିକ୍ରମଙ୍କ ସାନ ଭାଇ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ସେ ବି ଆକ୍ରମଣର ଶିକାର ହୋଇଥିଲେ। ତେବେ ସୌଭାଗ୍ୟବଶତଃ ମଞ୍ଚେଶ୍ବର ପିସିଆର୍‌ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ଦୁଇ ଭାଇ ବର୍ତ୍ତି ଯାଇଥିଲେ। ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏ ସଂପର୍କରେ ଅଭିଯୋଗ ହେବାରୁ ମଞ୍ଚେଶ୍ୱର ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଆଜି ପୁଲିସ୍‌ ରୋହିତକୁ କାବୁ କରିଥିଲା। ଥାନାରେ ତାକୁ ପଚରାଉଚରା କରିବାରୁ ସେ ଜଣେ ପେସାଗତ ଅପରାଧୀ ବୋଲି ଜାଣିବାକୁ ପାଇଥିଲା। ୨୦୧୫ରୁ ୨୦୨୩ ମସିହା ମଧ୍ୟରେ କେବଳ ମଞ୍ଚେଶ୍ୱର ଥାନାରେ ୭ଟି ଆପରାଧିକ ମାମଲା ଥିବା ଜଣାଯାଇଛି। ଅଭ୍ୟାସଗତ ଅପରାଧୀ ହୋଇଥିବାରୁ ତା’ ବିରୋଧରେ ସିଆରପିସି-୧୧୦ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍‌ କହିଛି।