ଭୁବନେଶ୍ବର: ଦୁଇ ବର୍ଷ ହେଲା ଭକ୍ତ ବଡ଼ଠାକୁରଙ୍କୁ ରଥରେ ଦେଖିନାହିଁ। ବ୍ୟାକୁଳ ମନ ଅପେକ୍ଷା କରିଥିଲା କୋଉଦିନ ପୁଣି ସେ ସୁଯୋଗ ଜୁଟିବ। ପ୍ରତୀକ୍ଷାର ଅନ୍ତ ଘଟିଛି। ରଥ ଅପେକ୍ଷା କରିଛି କୋଳରେ ଧରିବ ମହାବାହୁଙ୍କୁ। ରଥ ସଜେଇ ହୋଇ ବସିଛି ପହଣ୍ଡିକୁ ଚାହିଁ। ପଥ ବି ରଥାରୂଢ଼ ପ୍ରଭୁଙ୍କ ବାଟକୁ ଚାହିଁ ବସିଛି। ଦୁଇ ବର୍ଷ ପରେ ହେବ ମହାମିଳନ। ରଥରେ ଠାକୁର, ଦାଣ୍ଡରେ ଭକ୍ତ। ରଥରେ ବଡ଼ଠାକୁରଙ୍କୁ ଭକ୍ତ ଦେଖିବ। ତା’ ରଥକୁ ଟାଣିବାର ସୁଯୋଗ ପାଇବ। ଘୋଷଯାତ୍ରା ଅବସରରେ ପ୍ରଭୁ ମନ୍ଦିରରୁ ବାହାରି ରଥରେ ଚଢ଼ି ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ। ଭକ୍ତ ମନ ପୂରିଉଠିବ, ରଥ ମନବାଞ୍ଛା ପୂରଣ ହେବ ଓ ପଥ ବି ମୁକ୍ତି ପାଇଯିବ। ଶ୍ରୀକ୍ଷେତ୍ର ଭଳି ରାଜଧାନୀରେ ବି ରଥଯାତ୍ରାକୁ ନେଇ ନାହିଁ ନଥିବା ଉତ୍ସାହ। ପୁରୀରେ ପ୍ରଭୁଙ୍କ ରଥଯାତ୍ରାରୁ ବଞ୍ଚିତ ଭକ୍ତମାନେ ରାଜଧାନୀର ରଥଯାତ୍ରାରେ ପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିବେ।
କୋଳଥିଆ ଚିଦାନନ୍ଦ ବିହାରରେ ୨୦ ବର୍ଷ ହେଲା ଗଡ଼ୁଛି ରଥ
ଚିଦାନନ୍ଦ ବିହାର ଜଗନ୍ନାଥ ମନ୍ଦିରରୁ ରଥ ବାହାରି ଖଣ୍ଡଗିରି ପାହାଡ଼ ନିକଟ ସୁଧର୍ମା ମହାସଂଘ ମାଉସୀ ମା’ ମନ୍ଦିରକୁ ଯିବେ। ଶୁକ୍ରବାର ସକାଳ ୬ଟାରେ ଠାକୁରଙ୍କ ଦ୍ବାର ଫିଟା ପରେ ମଙ୍ଗଳ ଆଳତି, ଅବକାଶ, ଗୁରୁଡ଼ ସ୍ନାନ ଓ ଠାକୁରଙ୍କ ନୀତି ହେବ। ପରେ ଠାକୁରଙ୍କୁ ଖେଚୁଡି ଭୋଗ ହେବ। ସେନାପଟା ଲାଗି ହେବା ପରେ ୧୧.୩୦ରେ ଠାକୁରଙ୍କ ପହଣ୍ଡି ଅନୁଷ୍ଠିତ ହେବ। ଦିନ ଗୋଟାଏରେ ସଂଘ ସଭାପତି ସତ୍ୟବ୍ରତ ଦାସ ଛେରା ପହଁରା କରିବେ। ୩.୩୦ରୁ ରଥ ଟଣା ଆରମ୍ଭ ହେବ। ପରମ୍ପରା ଅନୁସାରେ ସୁଭଦ୍ରାଙ୍କ ରଥ କେବଳ ମହିଳା ମାନେ ଟାଣିବେ।
ଇସ୍କନ୍ରେ ୫୦ ହଜାର ଭକ୍ତଙ୍କ ପାଇଁ ଅନୁମତି
/sambad/media/post_attachments/wp-content/uploads/2022/06/Untitled-19-1.jpg)
ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ଇସ୍କନ ମନ୍ଦିରରେ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୫୦ ହଜାର ଲୋକଙ୍କ ସମାଗମ ପାଇଁ ମନ୍ଦିର ତରଫରୁ ପୁଲିସ ଅନୁମତି ଅଣାଯାଇଛି। ରଥ ସିଆରପି ଓ ୟୁନିଟ୍ ୮ ଡିଏଭି ସ୍କୁଲ୍ ଦେଇ ଗୁଣ୍ଡିଚା ମନ୍ଦିରକୁ ଯିବ। ସ୍ୱତନ୍ତ୍ର ଭାବେ ସଜା ଯାଇଥିବା ରଥକୁ ଶୁକ୍ରବାର ସକାଳ ୮ଟାରେ ପ୍ରତିଷ୍ଠା କରାଯିବ। ସକାଳ ୧୧ ଘଟିକା ସମୟରେ ପହଣ୍ଡି ହେବ ଓ ପରେ ଛେରା ପହଁରା ଅନୁଷ୍ଠିତ ହେବ। ଚଳିତ ବର୍ଷ ରଥଯାତ୍ରାକୁ ୩୨ ବର୍ଷ ପୁରୁଥିବା ବେଳେ ଭକ୍ତି ଗୌରବ ନାରାୟଣ ମହାରାଜ ରଥର ଛେରା ପହଁରା କରିବେ। ଅପରାହ୍ଣ ୩ଟାରେ ରଥ ଟଣା ଆରମ୍ଭ ହେବ ବୋଲି ମନ୍ଦିର ତରଫରୁ ସୂଚନା ଦିଆଯାଇଛି।
ଜାଗମରା ଓ ଧର୍ମ ବିହାରରେ ପୂର୍ବାହ୍ନ ୧୦ଟାରେ ପହଣ୍ଡି
୧୨ବର୍ଷ ହେଲା ଜାଗମରା, ଧର୍ମବିହାର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହେଉଛି। ରଥ ଜାଗମରା, ଧର୍ମବିହାର ଜଗନ୍ନାଥ ମନ୍ଦିରରୁ ବାହାରି ଗଣ୍ଡମୁଣ୍ଡା ଲକ୍ଷ୍ମୀ ନାରାୟଣ ମନ୍ଦିରକୁ ଯିବ। ଚଳିତ ବର୍ଷ ଗୁଣ୍ଡିଚା ଦିନ ସକାଳୁ ଦ୍ବାରଫିଟା,ଅବକାସ, ହୋମ ହେବା ପରେ ୮ଟା ୩୦ରେ ରଥ ପ୍ରତିଷ୍ଟା ଓ ସକାଳ ୧୦ରୁ ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ। ରଘୁନାଥ ମହାନ୍ତିଙ୍କ ଦ୍ବାରା ଅପରାହ୍ନ ୨ଟାରେ ଛେରା ପହଁରା ହେବା ପରେ ୩ଟାରେ ରଥଟଣା ଆରମ୍ଭ ହେବ ବୋଲି ମନ୍ଦିର କମିଟି ସମ୍ପାଦକ ଅଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଯାତ୍ରାପାଇଁ ୫ ସଂକୀର୍ତନ ମଣ୍ଡଳୀ ସାଙ୍ଗକୁ ମଙ୍ଗଳପୁରରୁ ୪ହଳ ଘୋଡ଼ା, ନାଗା, ଠାକୁରଣୀ ମେଢ଼, ବୁଢ଼ାବୁଢ଼ୀ, ବଗବଗୁଲି ନାଚ ହେବ। ଜୁଲାଇ ୧୨ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
୫୦ ବର୍ଷରେ ୟୁନିଟ-୮ ଜଗନ୍ନାଥ ମନ୍ଦିର ରଥଯାତ୍ରା
୧୯୭୨ ନବକଳେବର କଥା। ଶ୍ରୀକ୍ଷେତ୍ରରେ ଚତୁର୍ଧା ମୂର୍ତି ଗଢ଼ା ଯିବା ପରେ ବଳି ପଡ଼ିଥିଲା କିଛି କାଠ। ଆଉ ଏହି କାଠରେ ଗଢ଼ା ଯାଇଥିଲା ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କ ମୂର୍ତି। ଏହାକୁ ନିଜ ବାସଭବନକୁ ନେଇ ଆସିଥିଲେ ତତ୍କାଳୀନ ଓୟୁଏଟି ପ୍ରଫେସର ସୁପ୍ରସନ୍ନ ମହାନ୍ତି। ୧୯୭୩ ମସିହାରୁ ଏଠାରେ ଏହି ଦାରୁ ବିଗ୍ରହଙ୍କୁ ନେଇ ଅନୁଷ୍ଠିତ ହେଉଛି ରଥଯାତ୍ରା। ଚଳିତ ବର୍ଷ ରଥଯାତ୍ରା ୫୦ ବର୍ଷରେ ପଦାର୍ପଣ କରିବ। ଠାକୁର ଗୋଟିଏ ରଥରେ ବସି ବେସିକ୍ସାଇନ୍ସ ଝାଡ଼େଶ୍ବରୀ ମନ୍ଦିରକୁ ଯିବେ। ଦିନ ୧୧ଟାରେ ପହଣ୍ଡି ହେବା ପରେ ୩ଟାରେ ବାୟାବାବା ମଠ ମହନ୍ତ ଛେରା ପହଁରା କରିବେ ବୋଲି ପରିଚାଳନା କମିଟିର ଟ୍ରଷ୍ଟି ଅଜିତ୍ କର କହିଛନ୍ତି।
ତମାଣ୍ଡୋରେ ରଥଯାତ୍ରା
ରଥଯାତ୍ରା ପାଇଁ ତମାଣ୍ଡୋ ଜଗନ୍ନାଥ ମନ୍ଦିରରେ ସବୁ ପ୍ରସ୍ତୁତି ପ୍ରାୟ ସରିଛି। ଚଳିତ ବର୍ଷ ମହାଆଡ଼ମ୍ବରରେ ଏହା ଅନୁଷ୍ଠିତ ହେବ। ଶୁକ୍ରବାର ଦିନ ୨ଟାରେ ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ତିନୋଟି ରଥରେ ବିରାଜିତ ହେବେ। ଚଳିତ ବର୍ଷ ମୁଦିରଥ ଦିଗାମ୍ବର ମହାରାଜ ରଥରେ ଛେରା ପହଁରା କରିବେ। ପରେ ୩ଟା ୩୦ରେ ରଥଟଣା ହୋଇ ଜଗନ୍ନାଥ ମନ୍ଦିର ଠାରୁ ମେଳଣ ପଡ଼ିଆସ୍ଥିତ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ଯିବ। ଜଗନ୍ନାଥ ଓ ବଳଭଦ୍ରଙ୍କ ରଥକୁ ଗ୍ରାମବାସୀମାନେ ଟାଣୁଥିବା ବେଳେ ମା’ ସୁଭଦ୍ରାଙ୍କ ରଥକୁ ମହିଳା ଶ୍ରଦ୍ଧାଳୁମାନେ ଟାଣିବେ। ବାହୁଡ଼ା ଦଶମୀ ଓ ନୀଳାଦ୍ରିବିଜେ ଦିନ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଭଜନ ସମାରୋହ ଅନୁଷ୍ଠିତ ହେବ ବୋଲି ମନ୍ଦିର ସଭାପତି ଓ ତମାଣ୍ଡୋର ପୂର୍ବତନ ସରପଞ୍ଚ ଜଗମୋହନ ପ୍ରଧାନ ସୂଚନା ଦେଇଛନ୍ତି।
ଟିକି ରଥରେ ବଡ଼ଠାକୁର
/sambad/media/post_attachments/wp-content/uploads/2022/06/୪୪-1.jpg)
ପୁରୁଣା ଭୁବନେଶ୍ୱର: ବଡ଼ଠାକୁରଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଆସିଲେ ଭକ୍ତପ୍ରାଣ ବ୍ୟାକୁଳ ହୋଇଉଠେ। ରଥରେ ବିଶ୍ବନିୟନ୍ତା ବଡ଼ଠାକୁରଙ୍କୁ ଦେଖିବା ପାଇଁ ଭକ୍ତ ଭାବବିହ୍ବଳ ହୋଇପଡ଼େ। ସେହିଭଳି ଭକ୍ତ ଶିଳ୍ପୀର ନିହଣ, ମୁଗୁର ଓ ତୂଳୀ ଚଳଚଞ୍ଚଳ ହୋଇପଡ଼େ। ଏବେ ପୁରୁଣା ଭୁବନେଶ୍ବର ଅଞ୍ଚଳର ଶିଳ୍ପୀ ଶଙ୍କର ମହାରଣା ଟିକି ରଥଟିଏ ଗଢ଼ି ଚର୍ଚ୍ଚାକୁ ଆସିଛନ୍ତି। ମାତ୍ର ୨ ଫୁଟ୍ ଉଚ୍ଚତା ବିଶିଷ୍ଟ ଅବିକଳ ନନ୍ଦିଘୋଷ ରଥ ଗଢ଼ୁଛନ୍ତି। ଏହି କୁନି ରଥରେ କୁନି ରୂପରେ ବିରାଜମାନ କରିବେ ବଡ଼ଠାକୁର। ଅବଶ୍ୟ ଏହି ରଥ କୌଣସି ଦାଣ୍ଡରେ ଗଡ଼ିବାର ନାହିଁ, କିନ୍ତୁ ଶିଳ୍ପୀ ତାଙ୍କ ଘରେ ଯଥାରୀତି ପୂଜାର୍ଚ୍ଚନା କରିବେ।
ଶଙ୍କରଙ୍କ ପୁଅ ସୋମନାଥ ହେଉଛନ୍ତି ପୁରୀ ରଥର ଚିତ୍ରକର। ପ୍ରତିବର୍ଷ ସୋମନାଥ ପୁରୀରେ ତିନି ରଥରେ ଚିତ୍ର ଆଙ୍କିଥାଆନ୍ତି। ତେଣୁ ସ୍ବାଭାବିକ ଭାବେ ଶଙ୍କରଙ୍କ ପରିବାର ଜଗନ୍ନାଥ ମହାପ୍ରଭୁଙ୍କ ଭାବରେ ବନ୍ଧା। ପୁଅ ରଥରେ ଚିତ୍ର କରିବାକୁ ପୁରୀ ଯାଇଥିବା ବେଳେ ଘରେ ଶଙ୍କର ଲାଗିପଡ଼ିଛନ୍ତି ଏକ ଟିକି ରଥ ଗଢ଼ିବାରେ। କୁରୁମ, ଶାଗୁଆନ ଓ ଶାଳ କାଠରେ ସେ ଏହି ରଥ ଗଢ଼ୁଛନ୍ତି। ୨ ଫୁଟ୍ ୨ ଇଞ୍ଚ ଉଚ୍ଚତା ଓ ୨ ଫୁଟ୍ ୧ ଇଞ୍ଚ ପ୍ରସ୍ଥ ବିଶିଷ୍ଟ କୁନି ରଥଟି ଅବିକଳ ନନ୍ଦିଘୋଷର ରୂପ ନେବାକୁ ଯାଉଛି। କୁନି ରଥ ପାଇଁ ସେ ଗଢ଼ିଛନ୍ତି ବଡ଼ଠାକୁରଙ୍କ କୁନି ରୂପ। ରଥରେ ରହିଛି ୧୬ ଚକ, ୧୨ ସଖୀ, ପାର୍ଶ୍ବ ଦେବଦେବୀ, ସାରଥୀ, ୪ଟି ଘୋଡ଼ା, ଠାକୁରଙ୍କ ଆସନ, ମାଛ, ଜୟା ବିଜୟା। ସେହିପରି ରଥରେ ଦଣ୍ଡା, ଚକ୍ର, କଳସ, ଓଲଟା ଶୁଆ, ଖପୁରି, ରୂଷି ପଟା, ପିଢ଼ା, କନକ ମୁଣ୍ଡାଇ, ମକର ଦଣ୍ଡା, ଗଇପଟା, ଜାଲି, ସିଂହଦ୍ବାର, ବଙ୍କି, ପତାକା, ଦଧିନଉତି, ପାରା ଭାଡ଼ି, କୁମ୍ଭପଟି, ଷୋଳ ନାହାକା, ସାରଥୀ ପିଢ଼ା, ଭୂମି, ହଂସ ପଟା, କଣି, ଦାଣ୍ଡିଆ, ଅରା ଆଦିରେ ସୂକ୍ଷ୍ମ କାରୁକାର୍ଯ୍ୟ କରିଛନ୍ତି। ପ୍ରଭୁଙ୍କ ପ୍ରେମରେ ସେ ଏହି ରଥ ଗଢ଼ି ବେଶ୍ ଆନନ୍ଦିତ ବୋଲି କହନ୍ତି ଶଙ୍କର।
ମହିଳା ଟାଣିବେ ଦେବଦଳନ
ଚନ୍ଦ୍ରଶେଖରପୁର: ଚଳିତ ବର୍ଷ ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଉତ୍ତର ଭୁବନେଶ୍ବର। ଏହି ଅଞ୍ଚଳରେ ଥିବା ସମସ୍ତ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ ରୂପ ନେବାକୁ ଯାଉଛି। କିସ୍ ଶ୍ରୀବାଣୀ କ୍ଷେତ୍ର, ପଟିଆ, ଚନ୍ଦ୍ରଶେଖରପୁର, ଶୈଳଶ୍ରୀବିହାର, ବିଡିଏ କଲୋନି, ରେଲୱେ କଲୋନି, ମୈତ୍ରୀବିହାର ଆର୍ସିଏମ୍, ମଞ୍ଚେଶ୍ବର, ରଙ୍ଗମାଟିଆ, ଗାଡ଼କଣ ଆଦି ବିଭିନ୍ନ ସ୍ଥାନରେ ମହାବାହୁଙ୍କ ଘୋଷଯାତ୍ରା ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖାଯାଇଛି। ପରମ୍ପରା ଅନୁସାରେ କିସ୍ ଶ୍ରୀବାଣୀ କ୍ଷେତ୍ର ଓ ଆର୍ସିଏମ୍ ରଥଯାତ୍ରାରେ ମା’ ସୁଭଦ୍ରାଙ୍କ ଦେବଦଳନ ରଥ ଟାଣିବାକୁ ମହିଳାମାନେ ବ୍ୟଗ୍ରତା ସହ ଅପେକ୍ଷା କରିଛନ୍ତି। ସେହିଭଳି ପ୍ରଥାନୁସାରେ ଏହି ଦୁଇ ରଥଯାତ୍ରାରେ ସ୍ଥାନୀୟ ଆଦିବାସୀମାନେ ସାମିଲ୍ ହେବା ପାଇଁ ସଜବାଜ ହେଉଛନ୍ତି। ରଥ ଆଗରେ ଆଦିବାସୀମାନେ ସେମାନଙ୍କ ପାରମ୍ପରିକ ବାଦ୍ୟ ଢୋଲ, ମହୁରୀ, ଚଡ଼ଚଡ଼ି, ତାସା ଆଦି ବଜାଇବା ସହ ନୃତ୍ୟ ପରିବେଷଣ କରିବେ।
କିସ୍ ଶ୍ରୀବାଣୀ କ୍ଷେତ୍ର ଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କ ପାଇଁ ତିନି ରଥ ପ୍ରସ୍ତୁତ ହୋଇସାରିଛି। ସେହିଭଳି ମୈତ୍ରୀବିହାର ଆର୍ସିଏମ୍ ଶ୍ରୀଜଗନ୍ନାଥ ମନ୍ଦିର ପକ୍ଷରୁ ମଧ୍ୟ ତିନି ରଥ ନିର୍ମାଣ କରାଯାଇଛି। ପ୍ରତିବର୍ଷ ଭଳି ପଟିଆରେ ଗୋଟିଏ ବିଶାଳ ରଥରେ ଚତୁର୍ଦ୍ଧାମୂର୍ତ୍ତି ଶୋଭା ପାଇବେ। ବିଭିନ୍ନ ମନ୍ଦିର କମିଟି ପକ୍ଷରୁ ନିର୍ମାଣ ହୋଇଥିବା ରଥଗୁଡ଼ିକର ଉଚ୍ଚତା ପାଖାପାଖି ୫ରୁ ୮ ଫୁଟ୍ ମଧ୍ୟରେ ରହିଥିବା ବେଳେ କିସ୍ ଜଗନ୍ନାଥ ମନ୍ଦିର ତିନି ରଥର ଉଚ୍ଚତା ପାଖାପାଖି ୧୨ରୁ ୧୬ ଫୁଟ୍ ରହିଛି। ଆର୍ସିଏମ୍ ରଥର ଉଚ୍ଚତା ୮ରୁ ୧୦ ଫୁଟ୍ ହୋଇଛି। ଶୈଳଶ୍ରୀବିହାର ରଥର ଉଚ୍ଚତା ୧୫ରୁ ୧୮ ଫୁଟ୍ ରହିଥିବା ବେଳେ ପଟିଆରେ ସ୍ଥାନୀୟ ଅଞ୍ଚଳର ସର୍ବାଧିକ ଉଚ୍ଚତା ବିଶିଷ୍ଟ ରଥ ନିର୍ମାଣ କରାଯାଇଛି। ପଟିଆ ରଥର ଉଚ୍ଚତା ୧୮ରୁ ୨୦ ଫୁଟ୍ ବୋଲି ସୂଚନା ରହିଛି।
/sambad/media/post_attachments/wp-content/uploads/2022/06/46-15.jpg)
ଆଜି କିଟ୍ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ, ଆର୍ସିଏମ୍ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ଏବଂ ଅନ୍ୟାନ ମନ୍ଦିର କମିଟି ପକ୍ଷରୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ। ଏହି ସମୟରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ ପାଇ ବେଶ୍ ଖୁସି ହୋଇଥିବା କହିଛନ୍ତି। ବହୁ ଭକ୍ତ ଓ ଶ୍ରଦ୍ଧାଳୁ ସଂଧ୍ୟା ଆଳତିରେ ଯୋଗଦେଇଛନ୍ତି।
ସୂଚନାଯୋଗ୍ୟ, ରଥଯାତ୍ରା ଦିନ ଉତ୍ତର ଭୁବନେଶ୍ବରର ସବୁ ସ୍ଥାନରେ ଶ୍ରୀକ୍ଷେତ୍ର ନିୟମାନୁସାରେ ରଥ ଗଡ଼ିବ। ସକାଳ ୧୦ ଟାରେ ପହଣ୍ଡି ଆରମ୍ଭ କରାଯିବ ଓ ଅପରାହ୍ଣ ୩ ଟାରୁ ୪ ମଧ୍ୟରେ ଛେରା ପହଁରା କରାଯିବ। ପାଖାପାଖି ସାଢ଼େ ଚାରିଟା ସୁଦ୍ଧା ଶ୍ରଦ୍ଧାଳୁମାନେ ରଥ ଟାଣିବେ। ଚଳିତ ବର୍ଷ ଶିଖରଚଣ୍ଡୀ ଛକରେ ନବନିର୍ମିତ ମାଉସୀ ମା’ ମନ୍ଦିରରେ ଶ୍ରୀବାଣୀ କ୍ଷେତ୍ରର ତିନି ଠାକୁର ରହିବା ପାଇଁ ସମସ୍ତ ପ୍ରକାର ଆୟୋଜନ କରାଯାଇଛି। ସେହିଭଳି ଆର୍ସିଏମ୍ ମନ୍ଦିର ରଥ ପ୍ରେସ୍ କଲୋନି କାଳୀମନ୍ଦିର ପରିସରସ୍ଥ ମାଉସୀ ମା’ ମନ୍ଦିରରେ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/39-15.jpg)
