ଭୁବନେଶ୍ୱର: ଲଣ୍ଡା ଛାତରୁ ଆରମ୍ଭ କରି ବାଲକୋନି ପର୍ଯ୍ୟନ୍ତ ଯେଉଁଠି ଦେଖିବ ସେଠି ରଙ୍ଗବେରଙ୍ଗ ଫୁଲର ସମ୍ଭାର। ଦୂରରୁ ଯିଏ ଦେଖିବ ଏହି ସୁନ୍ଦର ଫୁଲରେ ଝଲସୁଥିବା ଘର ଦେଖି ତା ଆଖି ଲାଖିଯିବ। କୌଣସି ଉପାନ୍ତ ଅଞ୍ଚଳର ନୁହେଁ ବରଂ ରାଜଧାନୀର ଛାତି ଉପରେ ଥିବା ଆଚାର୍ଯ୍ୟ ବିହାର ସ୍ଥିତ ନିଜ ବାସଭବନରେ ଏହି ଫୁଲ ବଗିଚା କରି ଉଦାହରଣ ପାଲଟିଛନ୍ତି ପୂର୍ବତନ ରିଜର୍ଭ ବ୍ୟାଙ୍କ ଅଧିକାରୀ ପ୍ରତାପ କୁମାର ମହାପାତ୍ର। ଅବସର ପରେ ୨୦୧୨ ମସିହାରୁ ସେ ନିଜର ଅଧିକାଂଶ ସମୟ ବଗିଚା ପାଇଁ ଦେଉଛନ୍ତି। ଦୁଇ ହଜାର ବର୍ଗ ଫୁଟ ଛାତ ଓ ବାଲକୋନିରେ ୨ ଶହରୁ ଅଢ଼େଇଶହ କୁଣ୍ଡରେ ଋତୁ ଅନୁସାରେ ଫୁଲ ଲଗାଇଛନ୍ତି। ଟଗର, ମଲ୍ଲୀ, ମନ୍ଦାର, ତରାଟ, ଗୋଲାପ, ସେବତୀ ଠାରୁ ଆରମ୍ଭ କରି ଜେରାନିୟମ, ମରୁଭୂମି ଗୋଲାପ ପର୍ଯ୍ୟନ୍ତ ଶୋଭା ପାଉଛି ଏଇ ବଗିଚାରେ। ନିଜର ଆବଶ୍ୟକତା ପୂରଣ ସହିତ ଅନ୍ୟକୁ ଫୁଲ ଓ ଚାରା ଦେଉଛନ୍ତି। 

Advertisment

କେବଳ ପ୍ରତାପ ମହାପାତ୍ର ନୁହନ୍ତି ରାଜଧାନୀରେ ତାଙ୍କ ଭଳି ଅନେକେ‌ ଛାତ ଉପରେ ବଗିଚା କରି ନିଜର ଆବଶ୍ୟକତା ପୂରଣ କରୁଛନ୍ତି। ପ୍ଲାଣ୍ଟ ଲଭର୍ସ ଆସୋସିଏସନ ସଭାପତି କ୍ଷୀରୋଦ ପଟ୍ଟନାୟକଙ୍କ କହିବା କଥା ହେଉଛି, ଏକାମ୍ର କାନନରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ପ୍ରଦର୍ଶନୀରେ ବଗିଚା ପ୍ରତିଯୋଗିତାରେ ୨୦୨୨ରେ ୯୭ ଜଣ ଅଂଶଗ୍ରହଣ କରିଥିଲା ବେଳେ ୨୦୨୩ରେ ୧୦୩ ଓ ଚଳିତ ବର୍ଷ ୧୦୭ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଅର୍ଥାତ୍‌ ବର୍ଷକୁ ବର୍ଷ ଏଭଳି ବଗିଚା ପ୍ରତି ଲୋକଙ୍କର ଆଗ୍ରହ ବଢ଼ୁଛି। 

ସୌଭାଗ୍ୟନଗରରେ ଚାଲିଛି ଗବେଷଣା 
ଉଦ୍‌ଘାଟିତ ହେବ ପୋର୍ଟାଲ

ସେଣ୍ଟର ଫର୍‌ ହର୍ଟିକଲଚରାଲ ଏକ୍ସପେରିମେଣ୍ଟ ଷ୍ଟେସନ ବୈଜ୍ଞାନିକ ପି ଶ୍ରୀନିବାସଙ୍କ କହିବା କଥା ହେଉଛି, ରାଜ୍ୟର ପାଞ୍ଚଟି ସହର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ୱଲପୁର ଓ ଜୟପୁରରେ ବଗିଚା ପାଇଁ ପ୍ରୋତ୍ସାହନ ଦିଆଯାଉଛି। ସହରୀକରଣ ଯୋଗୁଁ ଯେଉଁ କଂକ୍ରିଟ୍‌ ଜଙ୍ଗଲ ବଢ଼ୁଛି ତାହା ଦ୍ୱାରା ତାପମାତ୍ରା ବୃଦ୍ଧି ହେଉଛି। ସହରରେ ବଡ଼ ଗଛ ଲଗାଇବାକୁ ଜାଗା ନାହିଁ। ତେଣୁ ତାହାର ବିକଳ୍ପ ଭାବରେ ଛାତ ଉପର ହେଉ ଅଥବା ଘର ନିକଟରେ ଥିବା ଖାଲି ଜାଗାରେ କ୍ଷୁଦ୍ର ବଗିଚା ସୃଷ୍ଟି କରିବା ଅନୁଷ୍ଠାନର ଲକ୍ଷ୍ୟ ରହିଛି। ସହରଗୁଡ଼ିକରେ ଛାତ ଉପର ହେଉ ଅଥବା ଘର ବଗିଚା ପାଇଁ ଆବଶ୍ୟକୀୟ ସମସ୍ତ ତଥ୍ୟ ଓ ଉପକରଣ ଯୋଗାଇଦେବା ପାଇଁ ଏକ ସ୍ୱତନ୍ତ୍ର କେନ୍ଦ୍ର ସହିତ ଜଣେ ଅଧିକାରୀଙ୍କ ମଧ୍ୟ ନିୟୋଜିତ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଛାତ ଉପର ବଗିଚା ଗବେଷଣା ପାଇଁ ‘ସୌଭାଗ୍ୟନଗର’କୁ ଚିହ୍ନଟ କରାଯାଇଛି।  ସେଠାରେ କିଚେନ ଗାର୍ଡେନ ଆସୋସିଏସନ ଓ ପ୍ଲାଣ୍ଟ ଲଭର ଆସୋସିଏସନର ମିଳିତ ଆନୁକୁଲ୍ୟରେ ଆମେ ୮୦ଟି ଘରେ ବଗିଚା ପାଇଁ ଆବଶ୍ୟକ ହେଉଥିବା ଉପକରଣ ପ୍ରଦାନ କରିଛୁ। ସେଠାରେ ନୂଆ ନୂଆ ଗଛ ଲଗାଯାଇ କେଉଁ ଗଛଟି ପରିବେଶରେ ଖାପଖୁଆଇ ପାରୁଛି ତାହାର ମଧ୍ୟ ପରୀକ୍ଷଣ କରୁଛୁ। ଏହାବ୍ୟତୀତ ଲୋକମାନଙ୍କୁ ବଗିଚା ଉପରେ ସବିଶେଷ ତଥ୍ୟ ଦେବା ପାଇଁ ଏକ ପୋର୍ଟାଲ ଉଦ୍‌ଘାଟନ କରିବାକୁ ଯାଉଛୁ।