ରୋଜ ଡେ’ରେ ଜମିଲା ଗୋଲାପ ଦିଆନିଆ

ଆରମ୍ଭ ହେଲା ଭାଲେଣ୍ଟାଇନ୍‌ ସପ୍ତାହ

ଭୁବନେଶ୍ୱର: ଆସନ୍ତା ୧୪ ତାରିଖରେ ଭାଲେଣ୍ଟାଇନ ଡେ’ ପୂର୍ବରୁ ଏହି ପୂରା ସପ୍ତାହକୁ ନେଇ ରାଜଧାନୀର ପ୍ରେମିକ/ପ୍ରେମିକାଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅପୂର୍ବ ଉତ୍ସାହ। ପ୍ରେମର ଭିନ୍ନ ଭିନ୍ନ ପରିପ୍ରକାଶ ପାଇଁ ସପ୍ତାହର ସାତ ଦିନ ଯାକ ଅଭିପ୍ରେତ ଥିବାରୁ ଏହି ଦିନଗୁଡ଼ିକରେ ନିଜ ପ୍ରେମକୁ ବ୍ୟକ୍ତ କରିବା ଓ ପରସ୍ପର ସହ କିଛି ସମୟ ବିତାଇବା ପାଇଁ ଏହାକୁ ଏକ ଉପଯୁକ୍ତ ସମୟ ରୂପେ ବାଛି ନେଇଥାଆନ୍ତି ପ୍ରେମୀ ଯୁଗଳମାନେ। ସପ୍ତାହର ପ୍ରଥମ ଦିନ ଭାବେ ଆଜି ରୋଜ୍‌ ଡେ’ରେ ଗୋଲାପ ଦିଆନିଆରୁ ଆରମ୍ଭ ହୋଇଛି ଏହି ଭାଲେଣ୍ଟାଇନ ସପ୍ତାହ। ଯୁଗେ ଯୁଗେ ଗୋଲାପ ପାଲଟିଛି ପ୍ରେମର ପ୍ରତୀକ। ନିଜ ପ୍ରେମକୁ ଅନ୍ୟ ନିକଟରେ ପ୍ରକାଶ କରିବା ପାଇଁ ସଦାବେଳେ ଲାଲ୍‌ ଗୋଲାପକୁ ମାଧ୍ୟମ କରିଥାନ୍ତି ପ୍ରେମୀଯୁଗଳ। ତେଣୁ ଆଜି ମଧ୍ୟ ଏଭଳି ସୁଯୋଗକୁ ହାତଛଡ଼ା କରିନାହାନ୍ତି ରାଜଧାନୀର ପ୍ରେମୀଯୁଗଳ। କିଏ ଲୁଚାଛପାରେ ତ ଆଉ କିଏ ଖୁଲମଖୋଲା ଗୋଲାପ ଦେଇ ପ୍ରେମ ନିବେଦନ କରିଛି। ଏବେ ପ୍ରେମୀଯୁଗଳ ଆଗ୍ରହର ସହ ଅପେକ୍ଷା କରିଛନ୍ତି ଆସନ୍ତାକାଲିର ପ୍ରପୋଜ୍‌ ଡେ’କୁ । ଆଜି ରୋଜ୍‌ ଡେ’ ପାଇଁ ଆଜି ଚଳଚ୍ଞଳ ହୋଇ ଉଠିଥିଲା ରାଜଧାନୀର ପାର୍କ, ମଲ୍‌ ଓ ରେଷ୍ଟୁରାଣ୍ଟ। ଅନେକ ଯୁବକଯୁବତୀଙ୍କ ହାତରେ ଥିଲା ଲାଲ ଗୋଲାପ। ତେଣୁ ରାଜଧାନୀର ଫୁଲ ବଜାର ବେଶ ଭିଡ଼ ଜମିଥିଲା। ରୋଜ୍‌ ଡେ’କୁ ଆଖିରେ ରଖି ଫୁଲ ଦେକାନୀମାନେ କୋଲକାତା, ବେଙ୍ଗାଲୁରୁ, ଥାଇଲାଣ୍ଡ ସମେତ ଓଡ଼ିଶାର ବ୍ରହ୍ମପୁର ଓ ବାଲେଶ୍ୱରରୁ ଫୁଲ ମାଗାଇଥିଲେ। ଗତକାଲିଠାରୁ ଆରମ୍ଭ ହୋଇ ଯାଇଥିବା ଗୋଲାପ ଫୁଲ ବେପାର ଆଜି ଜୋର ଧରିଥିଲା। ଗତକାଲି ଯାଏ ୧୦ ଟଙ୍କାରେ ବିକ୍ରି ହେଉଥିବା ଗୋଲାପ ଫୁଲ ଆଜି ୨୦ରୁ ୩୦ ଟଙ୍କାରେ ହୋଇଥିଲା। ଚଢ଼ା ଦର ସତ୍ତ୍ୱେ ଫୁଲ ବେପାର ମାନ୍ଦା ପଡ଼ିନଥିଲା। ସିଆରପି ଛକରେ ଫୁଲ ଦୋକାନୀ ସଂଗ୍ରାମ କେଶରୀ କୁହନ୍ତି ବିଭିନ୍ନ ରଙ୍ଗର ଗୋଲାପ ଆମ ଦୋକାନରେ ମିଳୁଥିଲେ ବି ବ୍ରହ୍ମପୁର ଗୋଲାପର ଚାହିଦା ଭଲ ରହିଛି। ରୋଜ୍‌ ଡେ’ ସରୁ ସରୁ ଆସିଯିବ ପ୍ରପୋଜ୍‌ ଡେ’ । ରୋଜ ଡେ’ ଆରମ୍ଭ ହୋଇଥିବା ଖୁସି ଓ ସଂର୍ପକକୁ ଆଉ ଟିକେ ଆଗକୁ ନେବା ପାଇଁ ସୁଯୋଗ ସୃଷ୍ଟି କରିବ ପ୍ରପୋଜ୍‌ ଡେ’। ତେଣୁ ଆସନ୍ତାକାଲି ଜଣେ ଅନ୍ୟ ଜଣକୁ କେମିତି ପ୍ରେମ ନିବେଦନ କରିବେ ତାହାକୁ ନେଇ ଆଶ ଓ ଆଶଙ୍କା ଭିତରେ ଅଛନ୍ତି ପ୍ରେମୀଯୁଗଳ।

ସମ୍ବନ୍ଧିତ ଖବର