ଭୁବନେଶ୍ୱର : ବରମୁଣ୍ଡାସ୍ଥିତ ଓୟୁଏଟିର କୃଷି ଫାର୍ମ ପରିସରରେ ଗୋଲାପ ଫୁଲ ପ୍ରଦର୍ଶନୀ ଓ ଆଲୋଚନାଚକ୍ର ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓୟୁଏଟିର ଉଦ୍ୟାନ ବିଭାଗ, ଓଡ଼ିଶାର ହର୍ଟିକଲ୍ଚର୍ ସେସାଇଟି, ଓଡ଼ିଶା ଗୋଲାପ ସୋସାଇଟି ଏବଂ ଓୟୁଏଟିର ଫ୍ଲୋରିକଲ୍ଚର୍ ଓ ଲ୍ୟାଣ୍ଡ ସ୍କେପିଂର ମିଳିତ ଉଦ୍ୟମରେ ଏଥିରେ ୨୬୦ ପ୍ରକାର ଗୋଲାପ ପ୍ରଦର୍ଶନ କରାଯାଇଥିଲା ଓ ୧୦୪ ପ୍ରତିଯୋଗୀ ଭାଗ ନେଇଥିଲେ। ଏହାକୁ କୁଳପତି ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ଓ ତାଙ୍କ ପତ୍ନୀ ବିଶିଷ୍ଟ ଶିକ୍ଷାବିତ ନମିତା ପଶୁପାଳକ ଯୋଗ ଦେଇଥିଲେ। ଉପସଭାପତି ତୁଷାରକାନ୍ତି ଦାସ ପ୍ରାରାମ୍ଭିକ ଭାଷଣ ଦେଇଥିଲେ। ସଭାପତି ଡ. ମୀନକେତନ ଜେନା ଓ ଫୁଲ ବିଶେଷଜ୍ଞ ଡ. ତ୍ରିନାଥ ମହାରଣା ଗୋଲାପ ଫୁଲକୁ ଚାଷ କରିବା ଉପରେ ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ଓଡ଼ିଶାରୁ ବିଭିନ୍ନ ଜିଲ୍ଲାର ଚାଷୀ କାର୍ଯ୍ୟକ୍ରମରେ ଭାଗନେଇ ଫୁଲ ବଗିଚା ଓ ଲାବୋରେଟାରି ବୁଲିଥିଲେ। ଏହା ପରେ ପୂର୍ବତନ କୁଳପତି ଦେବୀ ପ୍ରସାଦ ରାୟଙ୍କ ଅଧ୍ୟକ୍ଷତାରେ ଏକ ବୈଜ୍ଞାନିକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା। ଏଥିରେ ଡ. ପ୍ରଭୁ ଚରଣ ଲେଙ୍କା, ଡ. ସୂର୍ଯ୍ୟନାରାୟଣ ବେହେରା, ଡ. ସୁର୍ଦଶନ ପଣ୍ଡା, ଡ. ଚିତ୍ତରଞ୍ଜନ ମହାନ୍ତି ଓ ଅନେକ ଫୁଲ ବିଶେଷଜ୍ଞ, ଛାତ୍ରଛାତ୍ରୀ ପ୍ରମୁଖ ଯୋଗଦେଇଥିଲେ। ଓୟୁଏଟିର କୃଷି ବିଭାଗର ଡିନ୍ ଡ. ଲଳିତ ମୋହନ ଗଡ଼ନାୟକ, କୃଷି ସଂପ୍ରସାରଣ ଡିନ୍ ଡ. ପ୍ରଭାତ କୁମାର ରାଉଳ, କୃଷି ଗବେଷଣା ଡିନ ଡ. ପ୍ରେମ ନାରାୟଣ ଜଗଦେବ ଓ ଅନେକ ବିଭାଗୀୟ ମୁଖ୍ୟ, ଅଧ୍ୟାପକ ଯୋଗଦେଇଥିଲେ। ପ୍ରଫେସର ଶଶୀକଳା ବେଉରା ଧନ୍ୟବାଦ ଅର୍ପଣ କରିଥିଲେ।