ଭୁବନେଶ୍ୱର: ଜେଲରୁ ଫେରି ନିର୍ଭୟ ଭାବେ ନିଜର ଗ୍ୟାଙ୍ଗ ସହିତ ଶୋଭାଯାତ୍ରାରେ ସାମିଲ ହେବା ହତ୍ୟା ଅଭିଯୁକ୍ତ ରୋଶନ ପାଇଁ ମହଙ୍ଗା ପଡ଼ିଛି । ସ୍ଥାନୀୟ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ବହୁଚର୍ଚ୍ଚିତ  ଅମରେଶ ନାୟକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରୋଶନ ଜେନା ନାଁରେ ଜାତୀୟ ନିରାପତ୍ତା ଆଇନ (ଏନ୍‌ଏସ୍‌ଏ) ଲାଗୁ ହୋଇଛି । ଏନ୍‌ଏସ୍‌ଏ ବଳରେ ରୋଶନକୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି ।

Advertisment

ସୂଚନାଯୋଗ୍ୟ, ଅଭିଯୁକ୍ତ ରୋଶନ ଜେନା ବେଲରେ ଆସି ଏକ ଖୋଲା ଜିପରେ ଶୋଭାଯାତ୍ରା କରିଥିଲା । ସେ ହିଁ ଶୋଭାଯାତ୍ରାର ମୁଖ୍ୟ ଥିଲା । ଏଥି ସହିତ ରୋଶନ ଏୟାରଫିଲ୍ଡ ଥାନା ଅଂଚଳରେ ଆତଙ୍କ ଖେଳାଇଥିଲା । ରାଲି ସମୟରେ ଜିପ ଉପରେ ବସିଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ତେବେ ଏୟାରଫିଲ୍ଡ ଥାନା ଅଂଚଳରେ ହୋଇଥିବା ଅମରେଶ ନାୟକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲା ରୋଶନ । ରୋଶନ ନାଁରେ ୮ଟି ମାମଲା ଥିବା ପୁଲିସ କହିଛି ।

publive-image

ଅମରେଶ ନାୟକ ହତ୍ୟା ମାମଲାରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ କୋର୍ଟରୁ ଜାମିନ୍ଆ ବେଦନ ମଂଜୁର ହେବା ପରେ ଗତ ଗୁରୁବାର ସେମାନେ ଝାରପଡ଼ା ଜେଲ୍‌ରୁ ମୁକୁଳିଛନ୍ତି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା, ସେମାନେ ଜେଲ୍‌ରୁ ମୁକୁଳିବା ପରେ ଶହଶହ ସମର୍ଥକଙ୍କ ଗହଣରେ ଏକ ଶୋଭାଯାତ୍ରାରେ ଘରକୁ ଫେରିଥିଲେ। ଏୟାରଫିଲ୍ଡ ଥାନାଠାରୁ ମାତ୍ର କେଇ ମିଟର ଦୂରରେ ଏହି ଶୋଭାଯାତ୍ରା ଆରମ୍ଭ ହୋଇ ଦୀର୍ଘ ୪ କିଲୋମିଟର ପର୍ଯ୍ୟନ୍ତ ଯାଇଥିଲା। ୪ ଅଭିଯୁକ୍ତ ଖୋଲା ଜିପ୍‌‌ରେ ବସି ନେତାଙ୍କ ଭଳି ହାତ ହଲାଇବା ସହ ସେମାନଙ୍କ ସମର୍ଥକଙ୍କୁ କୁଣ୍ଢାଇଥିଲେ। ‘ସ୍ବାଗତ ଭାଇ ସ୍ବାଗତ’ରେ ପୂରା ଅଞ୍ଚଳ କମ୍ପି ଉଠିଥିଲା। କାଁ ଭାଁ କେହି ମାସ୍କ ପିନ୍ଧିଥିବା ବେଳେ ଅନ୍ୟମାନଙ୍କ ମୁହଁରେ ନଥିଲା। ଖାଲି ସେତିକି ନୁହେଁ, ଶୋଭାଯାତ୍ରା ପରେ ବିଳମ୍ବିତ ରାତି ଯାଏ ଭୋଜିଭାତର ଆସର ମଧ୍ୟ ଜମିଥିଲା। 

ସୂଚନାଯୋଗ୍ୟ, ଗତବର୍ଷ ଦୀପାବଳି ରାତିରେ ଏୟାରଫିଲଡ୍‌ ଥାନା ଅଧୀନ ଏକାମ୍ର କଲେଜ ନିକଟରେ ବିଡିଏ କଲୋନିର ଅମରେଶ ନାୟକଙ୍କୁ ହତ୍ୟା କରାଯାଇଥିଲା। ବୋମା ମାଡ଼ ସହ କାଠ ଫାଳିଆରରେ ପିଟି ତାଙ୍କୁ ମାରି ଦିଆଯାଇଥିଲା। ପୁଲିସ ଏହି ଘଟଣାରେ ପୂର୍ବତନ କର୍ପୋରେଟର ଦେବୀ ପ୍ରସାଦ ନନ୍ଦ ଓରଫ ମଣ୍ଟୁଙ୍କୁ ଅଟକ ରଖିଥିଲା। ତେବେ ପ୍ରବଳ ବିରୋଧ ହେବାରୁ ପୁଲିସ ଛାଡ଼ି ଦେଇଥିଲା। ପରେ ଏହି ମାମଲାରେ ୯ ଜଣଙ୍କୁ ଗିରଫ କରିଥିଲା। ଗତ ଗୁରୁବାର ହାଇକୋର୍ଟରୁ ୪ ଜଣ ଜାମିନ ପାଇଥିବା ବେଳେ ଆଉ ୫ ଜଣ ଝାରପଡ଼ା ଜେଲ୍‌ରେ ରହିଛନ୍ତି।