ଭୁବନେଶ୍ବର: ହକି ବିଶ୍ବକପ୍‌କୁ ନଜରରେ ରଖି ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏହି କ୍ରମରେ ଆଜି ଭୁବନେଶ୍ବର ତପୋବନ ହାଇସ୍କୁଲର ୧୩୭ଜଣ ଛାତ୍ରଛାତ୍ରୀଙ୍କୁ ବିମାନ ଯୋଗେ ରାଉରକେଲା ନିଆଯାଇଛି। ସେମାନେ ସେଠାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ ବୁଲିବାର କାର୍ଯ୍ୟକ୍ରମ ରହିଛି। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପ୍ରଥମେ ଆଜି ସକାଳେ ସ୍ବତନ୍ତ୍ର ବସ୍‌ରେ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ନିଆଯାଇଥିଲା।

Advertisment

ସ୍କୁଲରୁ ବାହାରିବା ସମୟରେ ସେମାନଙ୍କ ହାତରେ ହକି ଷ୍ଟିକ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ହକି ବିଶ୍ବକପ୍‌ର ଏକ ପୋଷ୍ଟର, ପେଣ୍ଟିଂ ରହିଥିଲା। ବିଭାଗୀୟ ଅଧିକାରୀମାନେ ପିଲାଙ୍କୁ ବିମାନରେ ବସାଇବା ପରେ ଝାରସୁଗୁଡ଼ା ବିମାନବନ୍ଦର ଅଭିମୁଖେ ବିମାନଟି ଉଡ଼ାଣ ଭରିଥିଲା। ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯିବା ସହ ‘ଆମେ ତ ଭାଗ୍ୟବାନ ପିଲାରେ ଆଉ କିଏ ଆମ ପରି ଥିଲାରେ... ଆମେ ତ ଉଡୁ ଆଜି ଆକାଶେ ରବିର କର ଯହିଁ ଝଲସେ’ ବୋଲି ଟୁଇଟ୍‌ରେ ଉଲ୍ଲେଖ କରାଯାଇଛି।