ଭୁବନେଶ୍ବର: ଆମ ଭାରତ ମା’ ହେଉଛି ଜଣେ ଜୀବନ୍ତ ଦେବୀ। ସେ ତା’ ପସନ୍ଦ ଅନୁଯାୟୀ ରୂପ ନେଇପାରେ। ଯେମିତି ଏବେ ସେ ଶ୍ରୀଜଗନ୍ନାଥଙ୍କ ରୂପ ଧାରଣ କରିଛି। ଭାରତୀୟମାନେ ହେଉଛନ୍ତି ଆଧ୍ୟାତ୍ମବାଦୀ। ସେମାନେ ଯେଉଁଠାକୁ ବି ଯାଆନ୍ତି ଏହି ଆଧ୍ୟାତ୍ମିକତାର ବାହକ ସାଜନ୍ତି ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଆଜି ହୋଟେଲ ସ୍ବସ୍ତି ପ୍ରିମିୟମ୍ଠାରେ ଆୟୋଜିତ ଏନ୍ଆଇଟି ରାଉର୍କେଲାର ପୁରାତନ ଛାତ୍ର ସଂଘର ଗ୍ଲୋବାଲ୍ ମିଟ୍ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଲାଲ୍ ଏହା କହିଛନ୍ତି। ସାରା ବିଶ୍ବରେ ସୁନାମ ଅର୍ଜନ କରି ଦେଶ ତଥା ରାଜ୍ୟକୁ ଗୌରବlନ୍ବିତ କରିଥିବାରୁ ଏନ୍ଆଇଟି ରାଉର୍କେଲାର ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ସେ ଏହି ଅବସରରେ ସାଧୁବାଦ ଜଣାଇ ଥିଲେ।
ଏହି ପରିପ୍ରେକ୍ଷୀରେ ରାଜ୍ୟପାଳ କହିଲେ, ଭାରତୀୟମାନେ ଯେକୌଣସି କଥାକୁ ବହୁତ ଶୀଘ୍ର ଗ୍ରହଣ କରିବାରେ ନିପୂଣ। ନୂଆ ପରିବେଶରେ ସେମାନେ ଖୁବ୍ଶୀଘ୍ର ନିଜକୁ ଖାପ ଖୁଆଇ ପାରନ୍ତି। ବିବିଧତାରେ ଏକତା ଭାରତୀୟମାନଙ୍କର ସ୍ବତନ୍ତ୍ରତା। ଏଣୁ ଭାରତୀୟତାର ମହକରେ ସାରା ବିଶ୍ବକୁ ମହକାଇ ଦେବା ପାଇଁ ରାଜ୍ୟପାଳ ଏହି ଅବସରରେ ପୁରାତନ ଛାତ୍ର ସଂଘର ସଦସ୍ୟମାନଙ୍କୁ ଆହ୍ବାନ ଦେଇଥିଲେ। ଏନ୍ଆଇଟି ରାଉର୍କେଲାର ପୁରାତନ ଛାତ୍ର ସଂଘର ଗ୍ଲୋବାଲ୍ ମିଟ୍ର ଆଜି ଉଦ୍ଘାଟନୀ ଉତ୍ସବରେ ପରିଚାଳନା କମିଟିର ଅଧ୍ୟକ୍ଷ ସଞ୍ଜୟ କୁମାର ମହାନ୍ତି, ପୁରାତନ ଛାତ୍ର ସଂଘର ସଭାପତି ପ୍ରବୋଧ ପାଢ଼ୀ, ଉପଦେଷ୍ଟା ପଦ୍ମଶ୍ରୀ ନଳିନୀ ରଞ୍ଜନ ମହାନ୍ତି, ପରିଚାଳନା କମିଟି ସଦସ୍ୟ ମଧୁସୂଦନ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ।