ଭୁବନେଶ୍ୱର: ରୟାଲ୍ ହାୟର ସେକେଣ୍ଡାରି ସ୍କୁଲ୍ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜିର ପ୍ରତିଷ୍ଠା ଦିବସ ଏହାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ୍ର ଚେୟାରମ୍ୟାନ ବିଷ୍ଣୁମୋହନ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଆଇଏଏସ ଅଶୋକ କୁମାର ତ୍ରିପାଠୀ, ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର, ଆଧ୍ୟାତ୍ମିକ ଚେତନାର ପ୍ରବର୍ତ୍ତକ ବି.କେ ଗୀତା, ପୂର୍ବତନ ପ୍ରାଧ୍ୟାପକ ଜୟକୃଷ୍ଣ ପାଣିଗ୍ରାହୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟୟନ, ଅଧ୍ୟବସାୟ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ।
ଅତିଥିମାନେ ସ୍କୁଲ୍ର ମୁଖପତ୍ର ‘ଦି ଏଲାନ ଭାଇଟାଲ’ ଉନ୍ମୋଚନ କରିଥିଲେ। ଏହି ଅବସରରେ ପୂର୍ବତନ ନିର୍ଦ୍ଦେଶକ ଅମୂଲ୍ୟ କୁମାର ପଣ୍ଡାଙ୍କ ଦ୍ୱାରା ସ୍ଥାପିତ ‘ରୟାଲ ଟିଚର ଅଫ୍ ଦି ଇୟର ଆଵାର୍ଡ ୨୦୨୨-୨୩ ’ ଜୟଦେବ କଲେଜର ଉଦ୍ଭିଦ ବିଜ୍ଞାନର ମୁଖ୍ୟ ଆଶୀର୍ବାଦ ମହାପାତ୍ର ଓ ସର୍ବୋଦୟ ଉଚ୍ଚ ବିଦ୍ୟାପୀଠ, ଲୋଇସିଙ୍ଗା, ବଲାଙ୍ଗୀରର ପ୍ରଧାନ ଶିକ୍ଷକ ରାଧାକାନ୍ତ ସୁଆରଙ୍କୁ ପ୍ରଦାନ କରାଯାଇଥିଲା। ଛାତ୍ରୀ ସ୍ନିଗ୍ଧା ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ସମ୍ୱିତ କୁମାର ମିଶ୍ର ସଭା ପରିଚାଳନା କରିଥିଲେ। ନିର୍ଦ୍ଦେଶକ ପ୍ରଶାନ୍ତ ରଥ ଧନ୍ୟବାଦ ଦେଇଥିଲେ।