ଉଡେନ୍‌ ଓ୍ଵାଚ୍‌ରେ ରୟାଲ ଲୁକ୍‌

ନିଆରା ଢଙ୍ଗରେ ପ୍ରସ୍ତୁତ କାଠ ଘଣ୍ଟା ଏବେ ଘରର ଶୋଭା ବଢ଼ାଉଛି। ଡେରାଡୁନରୁ ଆସିଥିବା ଜୁନେଦ ଶାହା କାଠରେ ନିଖୁଣ କାରିଗରୀ ସ୍ପର୍ଶ ଦେଇ ନୂଆ ଲୁକ୍‌ରେ ଭେଟି ଦେଉଛନ୍ତି ବବୁଲ କାଠରେ ପ୍ରସ୍ତୁତ ଏହି କାଠ ଘଣ୍ଟା।

ଏହି କାଠଟି ମଜଭୁତ୍‌ ହୋଇଥିବାରୁ ଏହାକୁ କାଟିଲେ କି ଏଥିରେ କୌଣସି ଆକୃତି କଲେ କାଠରେ ଫାଟ ହୁଏ ନାହିଁ। ଏହି କଳା ସେ ଉତ୍ତର ପ୍ରଦେଶର ସାହାରନପୁର ବୁଲିବାକୁ ଯାଇଥିବା ବେଳେ ଶିଖିଥିଲେ। ଏହାପରେ ସେ ଏହାକୁ ନିଜେ କରିବାକୁ ଚେଷ୍ଟା କରି ସଫଳ ହୋଇଥିଲେ। ମାଛ, ସୂର୍ଯ୍ୟ, ହରିଣର ଆକୃତି ଦେଇ ସେ ଘଣ୍ଟା ପ୍ରସ୍ତୁତ କରିବା ପରେ ଧୀରେଧୀରେ ଏହାର ଚାହିଦା ଓ ଲୋକପ୍ରିୟତା ବଢ଼ିଥିଲା। ତେଣୁ ବିଭିନ୍ନ ରାଜ୍ୟରେ ସେ ଏହାର ବିକ୍ରିବଟା କରିବା ପରେ ଏବେ ଭୁବନେଶ୍ୱରସ୍ଥିତ ରାମମନ୍ଦିର ନିକଟରେ ପସରା ଖୋଲିଛନ୍ତି। ତାଙ୍କର କହିବାନୁଯାୟୀ ଏହି ଉତ୍ପାଦ ଲୋକମାନଙ୍କୁ ଦୁଇଟି ଫାଇଦା ଦେଉଛି। ପ୍ରଥମତଃ ଯେଉଁମାନେ ଘରେ ଘଣ୍ଟା ଥାଇ ମଧ୍ୟ ଦେଖୁନଥିଲେ ସେମାନେ ଏହାର ରୟାଲ ଲୁକ ଦେଖି ଆକୃଷ୍ଟ ହେଉଛନ୍ତି। ଦ୍ୱିତୀୟରେ ଏହା ଘର ସଜାଇବାର ମୁଖ୍ୟ ଆକର୍ଷଣ ପାଲଟୁଛି। ଘରର ଶୋଭା ବଢ଼ାଉଛି ଏହି କାଠ ତିଆରି ଘଣ୍ଟା। ସେ ଓ ତାଙ୍କ ପୂରା ପରିବାର ଏହି ବ୍ୟବସାୟ କରନ୍ତି। ଏହି କାଠ ଘଣ୍ଟାଗୁଡ଼ିକର ସେ ନିଜେ ହିଁ ବିନ୍ଧାଣୀ। ୧୫ଦିନ ତଳେ ତାଙ୍କର କିଛି ସହଯୋଗୀଙ୍କ ସହ ସେ ଭୁବନେଶ୍ୱର ଆସିଥିଲେ। ଏଠି ଲୋକଙ୍କ ମଧ୍ୟରେ ଏହାର ଚାହିଦା ବଢ଼ିବାରୁ ସେ ଏଠାରେ ବିକ୍ରିବଟା ଜାରି ରଖିଛନ୍ତି। ଏହାର ଦାମ ୬୦୦ ଟଙ୍କାରୁ ଆରମ୍ଭ ହୋଇ ୨ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ତେଣୁ ଏହାକୁ ସବୁ ବର୍ଗର ଲୋକ କିଣିପାରିବେ ବୋଲି ସେ କହିଛନ୍ତି। ସେ କୁହନ୍ତି, ଆଗରୁ ଏଠାକୁ ଅନେକ ଥର ଆସିଛି। ଓଡ଼ିଶାର ଖାଦ୍ୟ ବି ତାଙ୍କର ବହୁତ ପସନ୍ଦ। ତେଣୁ ଏଠାରେ ବ୍ୟବସାୟ କରିବାର ଇଏ ବି ଅନ୍ୟ ଏକ କାରଣ।

ସମ୍ବନ୍ଧିତ ଖବର