ମୃତ୍ୟୁମୁଖରୁ ଟାଣି ଆଣିଲେ କନେଷ୍ଟବଳ

ଭୁବନେଶ୍ବର : ଚଳନ୍ତା ଟ୍ରେନ୍‌‌ରେ ଚଢ଼ୁଥିଲେ। ଗୋଡ଼ ଖସିଗଲା, ତଳେ ପଡ଼ିଗଲେ। ଚକା ଆଉ ମାତ୍ର ଗୋଟିଏ ଫୁଟ୍‌ ଦୂରତାରେ ଥିଲା। ଆଖି ତାଙ୍କର ବନ୍ଦ ହୋଇଯାଇଥିଲା, ଚେତା ବୁଡ଼ି ବୁଡ଼ି ଯାଉଥିଲା। ଆଉ ଟିକେ ଯାଇଥିଲେ କ’ଣ ଯେ ହୋଇଥା’ନ୍ତା! ହେଲେ ଏତିକିବେଳେ ଦେବଦୂତ ସାଜି ଜଣେ ଯୁବତୀଙ୍କୁ ଯମ ମୁହଁରୁ ଟାଣି ଆଣିଲେ ଆର୍‌ପିଏଫ କନେଷ୍ଟବଳ। ଆଜି ସଂଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ଭୁବନେଶ୍ବର ରେଳ ଷ୍ଟେସନ୍‌ର ଏକ ନମ୍ବର ପ୍ଲାଟ୍‌ଫର୍ମରେ ଘଟିଥିବା ଏହି ଘଟଣା କିଛି ସମୟ ପାଇଁ ସମସ୍ତଙ୍କୁ ଆବାକ୍‌ କରି ଦେଇଥିଲା।

ସୂଚନା ଅନୁଯାୟୀ, ରମାଦେବୀ ବିଶ୍ବବିଦ୍ୟାଳୟର ଆଇଟି ଶିକ୍ଷୟିତ୍ରୀ ନିବେଦିତା ସାହୁ ପୁରୀ-ସମ୍ବଲପୁର ଇଣ୍ଟରସିଟି ଯୋଗେ ଭୁବନେଶ୍ବରରୁ ମେରାମଣ୍ଡଳୀ ଯାଉଥିଲେ। ସେ ନିଜ ଭାଇ ସହ ଟ୍ରେନ୍‌ରେ ଚଢୁଥିବା ବେଳେ ଟ୍ରେନ୍‌ଟି ହଠାତ୍‌ ଛାଡ଼ି ଦେଇଥିଲା। ଭାଇ ଚଢ଼ି ଯାଇଥିଲେ, କିନ୍ତୁ ନିବେଦିତା ଚଢ଼ିବା ବେଳକୁ ତାଙ୍କ ପାଦ ଖସି ଯାଇଥିଲା। ଏହା ଦେଖି ସେଠାରେ କାର୍ଯ୍ୟରତ କନେଷ୍ଟବଳ ସୁବ୍ରତ ତାଙ୍କୁ ପ୍ଲାଟ୍‌ଫର୍ମ ଉପରକୁ ଘୋଷାରି ଆଣିଥିଲେ। ନିବେଦିତା ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଜୀବନ ବଞ୍ଚାଇଥିବାରୁ ସେ କନେଷ୍ଟବଳ ସୁବ୍ରତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ, ସୁବ୍ରତ ୨୦୧୫ ମସିହାରୁ ପ୍ଲାଟଫର୍ମ କନେଷ୍ଟବଳ ଭାବେ କାର୍ଯ୍ୟ କରି ଆସୁଛନ୍ତି। ଆସନ୍ତାକାଲି ନିବେଦିତାଙ୍କର ନିର୍ବନ୍ଧ ରହିଛି। ସେଥିପାଇଁ ସେ ଘରକୁ ଯାଉଥିଲେ।

ସମ୍ବନ୍ଧିତ ଖବର