ଆର୍‌ପିଏଫ୍‌କୁ ଅନ୍‌ଲାଇନ୍‌ ଠକ ଚିନ୍ତା: ଭୁବନେଶ୍ବରରେ ଖୋଲିବ ସାଇବର ସେଲ୍‌

୧୦୦୬ ନକଲି ଆଇଡି ବ୍ଲକ, ୧୫୪ ମାମଲାରେ ୧୬୪ ଦଲାଲ ଗିରଫ

ଭୁବନେଶ୍ୱର: ଆର୍‌ପିଏଫ୍‌ (ରେଳବାଇ ସୁରକ୍ଷା ବଳ)କୁ ଅନ୍‌ଲାଇନ୍‌ ଠକ ଚିନ୍ତା ଘାରିଛି। ଅନ୍‌ଲାଇନ୍‌ କାରବାରରେ ଯାତ୍ରୀଙ୍କର ଆଗ୍ରହ ବଢ଼ିଛି। ଅଧିକରୁ ଅଧିକ ଅନ୍‌ଲାଇନ୍ କାରବାର ହେଉଛି। ଏହାକୁ ଦେଖି ଦଲାଲ୍‌ମାନେ ମଧ୍ୟ ଅଧିକ ସକ୍ରିୟ ହୋଇଛନ୍ତି। ଦଲାଲ ମଧ୍ୟ ଏହି ଅନ୍‌ଲାଇନ୍‌ ବେପାରକୁ ଟାର୍ଗେଟ୍‌ କରିଛନ୍ତି। ଅନ୍‌ଲାଇନ୍‌ରେ ଠକିବା ସୁରକ୍ଷିତ ହେଉଥିବାରୁ ନକଲି ଆଇଡି ତିଆରି କରି ଦଲାଲ ଟିକେଟ୍‌ କାଟି ବେପାର କରୁଛନ୍ତି। ଏଭଳି ଠକେଇ ସହ ଅନ୍ୟାନ୍ୟ ଅନ୍‌ଲାଇନ୍‌ ଠକେଇ ଉପରେ ରୋକ୍‌ ଲଗାଇବା ପାଇଁ ଭୁବନେଶ୍ବର ଓ କଟକରେ ସାଇବର ସେଲ୍‌ ଖୋଲିବାକୁ ଯାଉଛି। ଏହି କାରବାର ରୋକିବା ପାଇଁ ଗତ ଦୁଇ ବର୍ଷରେ ମୋଟ ୧୦୦୬ଟି ନକଲି ଟିକେଟ୍‌ ବୁକିଂ ଆଇଡି ବ୍ଲକ କରାଯାଇଛି ଏବଂ ୧୫୪ ମାମଲାରେ ୧୬୪ ଦଲାଲ ବନ୍ଧା ହୋଇଛନ୍ତି।

ଆଜି ଭୁବନେଶ୍ବର ରେଳ ଷ୍ଟେସନ ପରିସରରେ ଆର୍‌ପିଏଫ୍‌ ଆଇଜି ତଥା ପ୍ରମୁଖ ସୁରକ୍ଷା ଆୟୁକ୍ତ ରାଜାରାମ ଆରପିଏଫ୍‌ର ବାର୍ଷିକ ବିବରଣୀ ଉପସ୍ଥାପନ କରିବା ଅବସରରେ ଏହି ସୂଚନା ଦେଇଛନ୍ତି। ବେଆଇନ ଭାବରେ ବନ୍ୟପ୍ରାଣୀ ଚାଲାଣ କରିବା ପାଇଁ ବେପାରୀ ଟ୍ରେନ୍‌କୁ ପ୍ରମୁଖ ମାଧ୍ୟମ ଭାବ‌ରେ ବାଛିଛନ୍ତି। ୨୦୧୮ ଓ ୨୦୧୯ ଦୁଇ ବର୍ଷରେ ୫୧୫ଟି ଶୁଆ ଓ ୫୫୦ଟି ପାରା ଚାଲାଣ ବେଳେ ଜବତ କରାଯାଇଛି। ଯାହାର ମୂଲ୍ୟ ୧୦ ଲକ୍ଷ ୫୭ ହଜାର ୫ଶହ ଟଙ୍କା ହେବ ବୋଲି ଆରପିଏଫ୍‌ ଆକଳନ କରିଛି। ଦୁଇଟି ମାମଲା ରୁଜୁ କରାଯାଇଥିବା ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ସେହିଭଳି ରେଳ ଧାରଣାରେ ମୃତ୍ୟୁ ସଂଖ୍ୟା କମିଥିବା ଆରପିଏଫ୍‌ ପକ୍ଷରୁ କୁହାଯାଇଛି। ୨୦୧୮ ମସିହାରେ ଏଭଳି ମୃତ୍ୟୁ ସଂଖ୍ୟା ୧୦୧୨ ରହିଥିବା ବେ‌ଳେ ୨୦୧୯ରେ ୯୮୯ରେ ସୀମିତ ରହିଛି। ତେବେ ଖୋର୍ଦ୍ଧାରୋଡ୍‌ ଡିଭିଜନ ଅଧୀନରେ ୨୦୧୮ରେ ୪୧୨ ଓ ୨୦୧୯ରେ ୪୩୧ ରହିଛି।

ଚେନ୍‌ ଟାଣି ଟ୍ରେନ୍‌ ଅଟକାଇବା ଅପରାଧରେ ଆରପିଏଫ୍‌ ୨୦୧୮ ମସିହାରେ ୨୫୭୯ ଓ ୨୦୧୯ରେ ୨୮୪୧ଜଣଙ୍କୁ ଗିରଫ କରିଛି। ଦୁଇ ବର୍ଷରେ ଘଟିଥିବା ୮ ହଜାର ୮୪୦ ଘଟଣାରେ ୯୫୨୬ ଟି ଟ୍ରେନ୍‌ ପ୍ରଭାବିତ ହୋଇଛି। ସେହିଭଳି ଟ୍ରେନ୍‌କୁ ପଥର ମାଡ଼ ଅଭିଯୋଗରେ ଦୁଇ ବର୍ଷରେ ୩୨ମାମଲାରେ ୨୬ ଜଣ ଗିରଫ ହୋଇଛନ୍ତି। ‘ଅପରେସନ ଥ୍ରଷ୍ଟ’ରେ ଅଶୁଦ୍ଧ ପାଣି ବିକ୍ରି ଅଭିଯୋଗରେ ୩ଟି ମାମଲାରେ ୭ଜଣ ଗିରଫ ହୋଇଛନ୍ତି। ଅପରାଧରେ ବ୍ୟବହୃତ ବାଇକ୍‌କୁ ଦୁର୍ବୃତ୍ତମାନେ ରେଳବାଇ ପାର୍କିଂ ସ୍ଥାନରେ ଛାଡ଼ି ଚାଲି ଯାଉଥିଲେ। ଏଭଳି ପ୍ରମାଣ ପାଇବା ପରେ ଆର୍‌ପିଏଫ୍ ୨୦୧୯ ମସିହାରେ ‘ଅପରେସନ ନମ୍ବର ପ୍ଲେଟ୍‌’ କାର୍ଯ୍ୟକ୍ଷମ କରିଥିଲା। ଏଥିରେ ସମଗ୍ର ଦେଶରେ ୭୪ଗାଡ଼ି ଜବତ ହୋଇଥିବା ବେଳେ ୩୪ଟି ମୂଳ ମାଲିକଙ୍କୁ ଖୋଜି ଫେରାଇ ଦିଆଯାଇଛି। ଆଉ ୪୦ଟି ଗାଡ଼ିର ମାଲିକ ମିଳୁ ନ ଥିବାରୁ ପଡ଼ି ରହିଛି। ପଡ଼ି ରହିଥିବା ଗାଡ଼ି ମଧ୍ୟରୁ ଓଡ଼ିଶାର ରାୟଗଡ଼ା, ବଲାଙ୍ଗୀର, ଭଦ୍ରକ, କଟକ ଓ ବ୍ରହ୍ମପୁରରୁ ୨୧ଟି ରହିଛି। ଏହି ଅବସରରେ ଷ୍ଟେସନ ପରିସରରେ ବିଭିନ୍ନ ଉପକରଣ ଓ ସଚେତନତା କାର୍ଯ୍ୟକ୍ରମର ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର