ସେଗ୍‌ୱେରେ ପାଟ୍ରୋଲିଂ କରିବେ ଆର୍‌ପିଏଫ୍‌, ଭୁବନେଶ୍ବର ରେଳ ଷ୍ଟେସନରେ ଉଦ୍‌ଘାଟିତ ହେଲା ଯାନ

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର, କଟକ, ପୁରୀ

ଭୁବନେଶ୍ବର: ରେଳ ଷ୍ଟେସନ୍‌ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଆର୍‌ପିଏଫ୍‌ ଅଣ୍ଟା ଭିଡ଼ିଛି। ଷ୍ଟେସନ୍‌ରେ ଘଟୁଥିବା ଅଘଟଣ ଓ ଅପ୍ରୀତିକର ପରିସ୍ଥିତିରେ ଘଟଣାସ୍ଥଳରେ ଶୀଘ୍ର ପହଞ୍ଚି ଲୋକଙ୍କୁ ତ୍ବରିତ ସେବା ଯୋଗାଇ ଦେବା, ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି ପାଇଁ ରେଳଷ୍ଟେସନ୍‌ ଗୁଡ଼ିକରେ ସେଗ୍‌ୱେ ଦୁଇ ଚକିଆ ଯାନ ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର, କଟକ ଓ ପୁରୀ ଷ୍ଟେସନ୍ ପାଇଁ ସେଗୱେ ଯାନ ପ୍ରଚଳନ କରାଯାଇଛି।

ପ୍ରଥମ ଥର ପାଇଁ ଭୁବନେଶ୍ବର ରେଳଷ୍ଟେସନ୍‌ରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ, ପ୍ରମୁଖ ନିରାପତ୍ତା ଆୟୁକ୍ତ ରାଜା ରାମ ଓ ଖୋର୍ଦ୍ଧାରୋଡ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶଶିକାନ୍ତ ସିଂହଙ୍କ ଉପସ୍ଥିତିରେ ଏହି ଅତ୍ୟାଧୁନିକ ଦୁଇଚକିଆ ଯାନକୁ ଉଦ୍‌ଘାଟନ କରାଯାଇଛି। ବ୍ୟାଟେରି ପରିଚାଳିତ ଓ ପରିବେଶ ଉପଯୋଗୀ ସେଗ୍‌ୱେ ପ୍ରଣାଳୀ ଦ୍ୱାରା ଆର୍‌ପିଏଫ୍‌ କର୍ମଚାରୀ ପାଟ୍ରୋଲିଂ ସମୟରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଖୁବ କମ ସମୟରେ ଯାଇପାରିବେ। ଏହା ଦ୍ୱାରା ମଧ୍ୟ ଆରପିଏଫ କର୍ମଚାରୀମାନେ ରେଳ ସମ୍ପତ୍ତିର ସୁରକ୍ଷା ସହିତ ଯାତ୍ରୀ ନିରାପତ୍ତା ପ୍ରତି ବିଶେଷ ଧ୍ୟାନ ଦେଇପାରିବେ। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ୬ଟି ଯାନ ବ୍ୟବସ୍ଥା କରାଯାଇଛି। କଟକ, ପୁରୀ ଓ ଭୁବନେଶ୍ବରକୁ ୨ଟି ଲେଖାଏ ଯାନ ପ୍ରଦାନ କରାଯାଇଛି। ଏଥିପାଇଁ ୧୨ଜଣ କର୍ମଚାରୀଙ୍କୁ ତାଲିମ୍‌ ଦିଆଯାଇଛି। ତାଲିମ୍‌ପ୍ରାପ୍ତ କର୍ମଚାରୀ ଅନ୍ୟ କର୍ମଚାରୀଙ୍କୁ ତାଲିମ୍‌ ଦେବେ। ସେହିପରି ଏହାର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଏକ ବର୍ଷିଆ ଚୁକ୍ତି ହୋଇଛି। ଏହି ଯାନର ମୂଲ୍ୟ ପାଖାପାଖି ୮୨ ହଜାର ଟଙ୍କା ରହିଛି। ଏହି ଯାନର ବିଶେଷତ୍ବ ହେଲା ଥରେ ଚାର୍ଜ କଲେ ତାହା ୫-୬ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ। ଯାହାକି ୩୦ କିମି ପର୍ଯ୍ୟନ୍ତ ଚଳାଚଳ କରିପାରିବ। ଏହାର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୮ କିମି ରହିଛି। ଯାନଟି ସହଜରେ ଚାରିପଟକୁ ବୁଲିପାରେ। ଆଉ ଏହାକୁ ସହଜରେ ଚୋରି କରି ହେବ ନାହିଁ। ଏହା ସଫଳ ହେଲେ ସାରା ରାଜ୍ୟରେ ଥିବା ଗୁରୁତ୍ବପୂର୍ଣ୍ଣ ଷ୍ଟେସନ ଗୁଡ଼ିକରେ ଏହି ଯାନକୁ ବ୍ୟବହାର କରାଯିବ ବୋଲି ଆର୍‌ପିଏଫ୍‌ ପକ୍ଷରୁ କୁହାଯାଇଛି। ଯାତ୍ରୀମାନେ ଚୋରି, ଛିନତାଇ ବା କୌଣିସ ପ୍ରକାର ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଲେ ତୁରନ୍ତ ଟୁଇଟର କିମ୍ବା ନିରାପତ୍ତା ହେଲ୍ପଲାଇନ ନମ୍ବର-୧୮୨ରେ ଅଭିଯୋଗ କରି ଜଣାଇ ପାରିବେ। ଏହ‌ାର ତୁରନ୍ତ ସମାଧାନ ପାଇଁ ଏହି ସେଗ୍‌ୱେ ପ୍ରଣାଳୀ ସହାୟକ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର