ବାଲିଅନ୍ତା : କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ବାଲିଅନ୍ତା ବ୍ଲକ ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨ଟି ରାପିଡ୍ ରେସପନ୍ସ ଟିମ୍ (ଆର୍ଆର୍ଟି) ଗାଡ଼ି ବୁଲୁଛି। ଗୋଟିଏ ଗାଡ଼ିରେ ଦୁଇଜଣ ଲେଖାଏ ଆୟୁଷ ଓ ହୋମିଓପାଥିକ ଡାକ୍ତର ଏବଂ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ବୁଲୁଛନ୍ତି। ପଞ୍ଚାୟତସ୍ତରରେ ବି ଆଶାକର୍ମୀ, ୱାର୍ଡ ସଭ୍ୟ, ସ୍ବାସ୍ଥ୍ୟ କର୍ମୀ ଓ ଶିକ୍ଷକମାନଙ୍କୁ ନେଇ ସ୍ବତନ୍ତ୍ର ଟିମ୍ ଗଠିତ ହୋଇଛି। ଏହି ଟିମ୍ ଘରକୁ ଘର ବୁଲି ଥଣ୍ଡା, କାଶ, ଜ୍ବର ଲାଗି ରହିଥିବା ରୋଗୀଙ୍କୁ ପରୀକ୍ଷା କରି ପ୍ରାଥମିକ ଭାବେ ଔଷଧପତ୍ର ବଣ୍ଟନ କରୁଛନ୍ତି। ସନ୍ଦେହ ହେଲେ ଆର୍ଆର୍ଟି ଗାଡ଼ିକୁ ଫୋନ୍ କରିବା ସହ ସନ୍ଦିଗ୍ଧଙ୍କୁ ସ୍କୁଲ ଘରେ ଖୋଲିଥିବା ସଙ୍ଗରୋଧ କେନ୍ଦ୍ରକୁ ନେଇ ଚିକିତ୍ସା କରୁଛନ୍ତି। କରୋନା ସଂକ୍ରମଣକୁ ସଂପୂର୍ଣ୍ଣ ପ୍ରତିହତ କରିବା ଲାଗି ଗତ ୯ ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଶୁଭାରମ୍ଭ ହୋଇଥିବା ଏହି ଅଭିଯାନରେ ବର୍ତ୍ତମାନ ସୁଦ୍ଧା ଅସୁସ୍ଥ ଥିବା ୨୫୦ରୁ ୩୦୦ ଲୋକଙ୍କୁ ଔଷଧ ବଣ୍ଟନ କରାଯାଇଛି। ହେଲେ ସେମାନଙ୍କ ମଧ୍ୟରୁ କାହାର କରୋନା ଲକ୍ଷଣ ନାହିଁ ବୋଲି କୁହାଯାଇଛି। ତେବେ ଜ୍ବର ଲାଗି ରହିଲେ କିମ୍ବା ସନ୍ଦେହ ହେଲେ ଚିହ୍ନଟ ସନ୍ଦିଗ୍ଧଙ୍କ ରକ୍ତ ଓ ସ୍ବାବ ପରୀକ୍ଷା କରିବା ନେଇ ସରଦେଇପୁରସ୍ଥିତ ସ୍ବାବ୍ ସଂଗ୍ରହ କେନ୍ଦ୍ରକୁ ପଠାଯିବ। ସୂଚନାଯୋଗ୍ୟ, ବିଡିଓ ଆଦିକନ୍ଦ ବେହେରା ଓ ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ତନ୍ମୟ ତ୍ରିପାଠୀ ଏହି ଅଭିଯାନ ଦାୟିତ୍ବରେ ଅଛନ୍ତି।
ସେହିପରି ବାହାରୁ ଆସି ଗ୍ରାମରେ ଲୁଚିଥିବା ସନ୍ଦିଗ୍ଧଙ୍କୁ ଖୋଜି ବାହାର କରି ସଙ୍ଗରୋଧ କେନ୍ଦ୍ରକୁ ନେବା ପାଇଁ ଆର୍ଆର୍ଟି ଯାଞ୍ଚ କରୁଛି। ବ୍ଲକର ୧୬ଟି ଯାକ ପଞ୍ଚାୟତରେ ଏଭଳି ତନାଘନା ଜାରି ରଖିଛି। ଏଥିରେ ଖିଲାପ କରିବା ନେଇ ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ, କାର୍ଯ୍ୟରତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଦପ୍ତରର ଜଣେ ବରିଷ୍ଠ ଅଧିକାରୀ ଜଣାଇଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଯାଏ ପଞ୍ଚାୟତସ୍ତରରେ କାର୍ଯ୍ୟ କରୁଥିବା ସଂପୃକ୍ତ କାର୍ଯ୍ୟକର୍ତ୍ତା ଓ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯଥା ମାସ୍କ, ସାନିଟାଇଜର୍ ଆଦି ଯୋଗାଇ ଦିଆଯାଇନାହିଁ। ମାସ୍କ ମିଳି ନଥିବାରୁ ମୁହଁରେ ଓଢ଼ଣୀ ଦେଇ କାମ କରିବାକୁ ପଡ଼ୁଛି ବୋଲି ଜଣେ ଆଶାକର୍ମୀ କହିଛନ୍ତି। ସୂଚନାଯୋଗ୍ୟ, ବାଲିଅନ୍ତା ଅଞ୍ଚଳରେ ୧୪ ଦିନ ଧରି ସଙ୍ଗରୋଧରେ ଥିବା ୧୭୧ଜଣ ସନ୍ଦିଗ୍ଧଙ୍କୁ ରୋଗମୁକ୍ତ କୁହାଯାଇଥିବା ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀ ତ୍ରିପାଠୀ କହିଛନ୍ତି।