ଜମି କିଣାଇବା ବାହାନାରେ ୧.୧୮କୋଟି ଚଳୁ, ଧୂର୍ତ୍ତ ଗିରଫ

ସିଏମ୍‌ସି କମିସନରଙ୍କ ନକଲି ଷ୍ଟାମ୍ପ୍, ସିଲ୍ ଜବତ, ଡାକ୍ତର ନକଲି ପରିଚୟପତ୍ର ବି ଜବତ

ଭୁବନେଶ୍ବର: କଟକ ସିଡିଏରେ ଇଚ୍ଛାଧୀନ କୋଟାରେ ବ୍ୟାବସାୟିକ ଜମି କିଣାଇଦେବାକୁ କହି ଜଣେ ଅବସରପ୍ରାପ୍ତ ବ୍ୟାଙ୍କ୍ କର୍ମଚାରୀଙ୍କ ଠାରୁ ୧କୋଟି ୧୮ଲକ୍ଷ ଟଙ୍କା ଚଳୁ କରିବା ଅଭିଯୋଗରେ ଇଓଡବ୍ଲୁ ଜଣେ ଧୂର୍ତ୍ତକୁ ଗିରଫ କରିଛି। ସେ ହେଲା ଭୁବନେଶ୍ବର ଆର୍‌ଡି ଗ୍ରୁପ୍ ଅଫ୍ କମ୍ପାନିର ମାଲିକ ରଶ୍ମିରଂଜନ ଦାଶ। ତାକୁ ଗତକାଲି ଭୁବନେଶ୍ବରରୁ ଗିରଫ କରାଯିବା ପରେ ଆଜି କଟକ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଇଛି। ଏସ୍‌ବିଆଇର ଅବସରପ୍ରାପ୍ତ ବ୍ୟାଙ୍କ୍‌ କର୍ମଚାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଅଭିଯୋଗ ଅନୁଯାୟୀ ୨୦୨୧ରେ ତାଙ୍କ ସାନଭାଇ ସମରେନ୍ଦ୍ର କୌଣସି ଏକ ଘଟଣାକ୍ରମରେ ଧୂର୍ତ୍ତ ରଶ୍ମି ସହିତ ଦେଖା ହୋଇଥିଲେ। ନିଜକୁ ବିଲ୍ଡର୍ ବୋଲି ପରିଚୟ ଦେବାରୁ ସମରେନ୍ଦ୍ର କଟକରେ ବ୍ୟବସାୟ କରିବା ପାଇଁ ଏକ ଜାଗା ଖୋଜୁଥିବା କହିଥିଲେ। ରଶ୍ମି ତାଙ୍କୁ ସିଡିଏରେ ଜମି କିଣାଇଦେବ ବୋଲି କହିଥିଲା। ପରେ ସମରେନ୍ଦ୍ର ଓ ତାଙ୍କ ବଡ଼ଭାଇ ଅନ୍ତର୍ଯ୍ୟାମୀ ଧୂର୍ତ୍ତ ରଶ୍ମି ଭେଟ ହୋଇଥିଲେ। ରଶ୍ମି ନିଜକୁ କଟକ ମହାନଗର ନିଗମର କମିସନର୍ ଅନନ୍ୟା ଦାଶଙ୍କ ପରିବାର ଲୋକ ବୋଲି ପରିଚୟ ଦେଇଥିଲା। ତେଣୁ ସେ ଅନ୍ତର୍ଯ୍ୟାମୀଙ୍କ ପାଇଁ ଇଚ୍ଛାଧୀନ କୋଟାରେ ଜମି କରାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲା।

କଟକ ହାଡ଼ିଆପଠାରେ ଥିବା ୪ହଜାର ବର୍ଗଫୁଟ୍‌ର ଏକ ଜମି ସିଡିଏ ପାଖରୁ କିଣିବାକୁ ଚୁକ୍ତି କରାଇଥିଲା। ସିଏମ୍‌ସି କମିସନର ଅନନ୍ୟା ଦାଶଙ୍କ ନକଲି ସିଲ୍, ଡକ୍ୟୁମେଣ୍ଟ, ଦସ୍ତଖତ ଓ ଜମିର ଜାଲ୍ କାଗଜପତ୍ର ତିଆରି କରି ଅନ୍ତର୍ଯ୍ୟାମୀଙ୍କ ପତ୍ନୀଙ୍କ ନାମରେ ଜମି କିଣାଇଥିଲା ଓ କୋଟିଏ ୧୮ଲକ୍ଷ ଟଙ୍କା ନେଇଥିଲା। ନକଲି ଦସ୍ତାବିଜକୁ ସତ ଭାବି ଅନ୍ତର୍ଯ୍ୟାମୀ ୨୦୨୧ ଏପ୍ରିଲରୁ ନଭେମ୍ବର ମଧ୍ୟରେ ରଶ୍ମିଙ୍କୁ ପ୍ରାୟ ୧କୋଟି ୧୮ଲକ୍ଷ ୫୦ହଜାର ଟଙ୍କା ଦେଇଥିଲେ। ନଭେମ୍ବର ୧୫ ମଧ୍ୟରେ ଜମି ରେକର୍ଡପତ୍ର ପ୍ରକ୍ରିୟା ସରିବ ବୋଲି ରଶ୍ମି ପ୍ରତିଶ୍ରୁତି ଦେଇଥିଲା। ମାତ୍ର ପ୍ରତିଶ୍ରୁତି ଅନୁଯାୟୀ ଜମି ହସ୍ତାନ୍ତର ପ୍ରକ୍ରିୟା ହେଲା ନାହିଁ। ତେଣୁ ଅନ୍ତର୍ଯ୍ୟାମୀ ତାକୁ ଟଙ୍କା ଫେରସ୍ତ ମାଗିଥିଲେ। ମାତ୍ର ରଶ୍ମି ଆଉ ଧରାଛୁଆଁ ଦେଇନଥିଲା। ତେଣୁ ବାଧ୍ୟ ହୋଇ ଗତ ୧୬ତାରିଖରେ ଅନ୍ତର୍ଯ୍ୟାମୀ ଇଓଡବ୍ଲୁର ଦ୍ବାରସ୍ଥ ହୋଇଥିଲେ। ଇଓଡବ୍ଲୁ ରଶ୍ମିର ମୈତ୍ରୀବିହାରସ୍ଥିତ ଅଫିସରେ ଚଢ଼ଉ କରିଥିଲା। ସେଠାରୁ ଇଓଡବ୍ଲୁ କଟକ କମିସନରଙ୍କ ନାଁରେ କିଛି ଜାଲ୍ କାଗଜପତ୍ର, ଷ୍ଟାମ୍ପ୍, ସିଲ୍ ସମେତ ଅନ୍ତର୍ଯ୍ୟାମୀଙ୍କ ପତ୍ନୀଙ୍କ ସହିତ ରଶ୍ମି କରିଥିବା ନକଲି ଚୁକ୍ତିପତ୍ରର କାଗଜପତ୍ର ମଧ୍ୟ ଜବତ କରିଛି। ଏହା ସହିତ କଟକ ଏସ୍‌ସିବି ମେଡିକାଲର ଗାଏନାକୋଲୋଜିଷ୍ଟ୍‌ ଭାବେ ତିଆରି କରିଥିବା ନକଲି ଆଇକାର୍ଡ, ବିଏଚ୍‌ଏମ୍‌ଏସ୍‌ର ଡାକ୍ତର ଭାବେ ତିଆରି ହୋଇଥିବା ନକଲି ଆଇକାର୍ଡ ଆଦି ଜବତ କରିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଧୂର୍ତ୍ତ ରଶ୍ମି ଘରୁ ନକଲି ଡାକ୍ତରର ପରିଚୟ ପତ୍ର ଇଓଡବ୍ଲୁ ପାଇବା ପରେ ସମସ୍ୟା ପୁଣି ବଢ଼ିଯାଇଛି। କାରଣ ଡାକ୍ତର ପରିଚୟ ଦେଇ ଧୂର୍ତ୍ତ ଆହୁରି ଅନେକ ଲୋକଙ୍କୁ ଠକି ଥାଇପାରେ ବୋଲି ଇଓଡବ୍ଲୁ ସନ୍ଦେହ କରୁଛି।

ସିବିଆଇ ଅଫିସର୍‌ରୁ କମିସନରଙ୍କ ସଂପର୍କୀୟ

ମୁଁ ହେଲି ସିଏମ୍‌ସି କମିସନର ଅନନ୍ୟା ଦାଶଙ୍କ ସଂପର୍କୀୟ। ମୋର ସବୁଠି ଚିହ୍ନା। ଇଚ୍ଛାଧୀନ କୋଟାରେ ମୁଁ ଜମି କରାଇଦେବି। ଏହିଭଳି ମିଛ କଥା କହି ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ଠକିଥିବା ଧୂର୍ତ୍ତ ରଶ୍ମିର ଠକେଇର କଳା ଚିଠା ବେଶ୍ ଲମ୍ବା ବୋଲି ଜଣାପଡ଼ିଛି। ୨୦୧୬ରେ ରଶ୍ମି ନିଜକୁ ସିବିଆଇ ଅଫିସର୍‌ ବୋଲି ପରିଚୟ ଦେଇ କୁମ୍ଭାରପଡ଼ାରେ ଲୋକଙ୍କୁ ଠକିଥିବା ଇଓଡବ୍ଲୁ ସୂଚନା ଦେଇଛି। ସିବିଆଇ ଅଫିସର ହୋଇଥିବାରୁ ସେ ପୁଲିସ ଚାକିରି କରାଇଦେବ। କେବଳ ପୁଲିସ ନୁହେଁ, ରାଜସ୍ବ ବିଭାଗରେ ମଧ୍ୟ ତା’ର ଭଲ ପରିଚୟ ରହିଛି। ତେଣୁ ଏହିଭଳି ଶହ ଶହ ଯୁବକଙ୍କୁ ଠକେଇ କରିଥିବା ଅଭିଯୋଗରେ କୁମ୍ଭାରପଡ଼ା ଥାନା ପୁଲିସ ଗତ ୨୦୧୬ରେ ତାକୁ ଗିରଫ କରିଥିଲା। ପରେ ସେ ଜାମିନ୍‌ରେ ଆସି ଭୁବନେଶ୍ବରରେ ବିଲ୍ଡର୍ ସଂସ୍ଥା ଖୋଲି ପୁଣି ଠକେଇ ସାମ୍ରାଜ୍ୟ ବଢ଼ାଇଥିଲା। କାହାକୁ ସିଏମ୍‌ସି କମିସନରଙ୍କ ସଂପର୍କିତ ତ ଆଉ କାହାକୁ ଡାକ୍ତର ପରିଚୟ ଦେଇ ଲୋକଙ୍କ ଟଙ୍କା ଚଳୁ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର