ଖଣ୍ଡଗିରି : ଭୁବନେଶ୍ବର ଏମ୍ସରେ ଚାକିରି କରାଇବା ବାହାନାରେ ପ୍ରାୟ ଦେଢ଼ କୋଟି ଟଙ୍କା ଚଳୁ କରି ଦେଇଥିବା ଏକ ରୢାକେଟ୍ର ମାଷ୍ଟର ମାଇଣ୍ଡ ନକଲି ନର୍ସଙ୍କୁ ପୁଲିସ ଗତ ମାସରେ ଗିରଫ କରିଥିଲା। ଏହି ମାମଲାରେ ସମ୍ପୃକ୍ତ ଅନ୍ୟ କେତେକ ଦଲାଲ ଏବେ ବି ଫେରାର୍ ଥିବା ବେଳେ ପୁଣି ଏକ ଅନୁରୂପ ଠକାମି ନଜରକୁ ଆସିଛି। ଆଉ ଜଣେ ଲେଡି-୪୨୦ ପ୍ରାୟ ୭ଜଣଙ୍କୁ ଚୂନ ଲଗାଇ ଅଧକୋଟିରୁ ଅଧିକ ଟଙ୍କା ନେଇ ପାର୍ ହୋଇଯାଇଥିବା ଜଣାପଡ଼ିଛି। ଅଭିଯୋଗ ପାଇବା ପରେ ଖଣ୍ଡଗିରି ଥାନା ପୁଲିସ ମାମଲାର ଖୋଳତାଡ଼ ଆରମ୍ଭ କରିଛି।
ସୂଚନାନୁସାରେ, ଅସ୍ତରଙ୍ଗ ଗଙ୍ଗପୁର ଅଞ୍ଚଳର ପ୍ରତାପ ସାହୁ, ପ୍ରକାଶ ଦାଶ, ଖୋର୍ଧା ଟାଉନ୍ର ରାକେଶ ଦାସ, ବରମୁଣ୍ଡାର ମହେଶ୍ବର ପ୍ରଧାନ, ଖଣ୍ଡଗିରି ସିଜୁଆର ସତ୍ୟବାନ ଛୋଟରାୟ ଓ କଟକ ବୈଦେଶ୍ବରର ସୁରେଶ ନାୟକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ଭୁବନେଶ୍ୱର ଏମ୍ସରେ ମହିଳା ଅଧିକାରୀ ବୋଲି ପରିଚୟ ଦେଇ ସାବିତ୍ରୀ ବେହେରା ନାମକ ଜଣେ ମହିଳା ସେମାନଙ୍କୁ ଚାକିରି କରାଇଦେବା ଲୋଭ ଦେଖାଇ ପ୍ରାୟ ୭୦ଲକ୍ଷ ଟଙ୍କା ଠକି ନେଇଛି। ଅଭିଯୋଗକାରୀମାନଙ୍କ କହିବା କଥା, ପ୍ରଥମେ ସତ୍ୟବାନ ୧୭ ଲକ୍ଷ ଟଙ୍କା ଦେଇଥିଲେ ଓ ପରେ ଅନ୍ୟମାନେ ସାବିତ୍ରୀଙ୍କୁ ଟଙ୍କା ଦେଇଥିଲେ। ପ୍ରାୟ ୬ ମାସ ତଳୁ ଏହି କାରବାର ଚାଲିଥିଲା। ସମସ୍ତେ ସାବିତ୍ରୀଙ୍କ ଆକ୍ସିସ୍ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଥିବା ଏତଲାରେ ଦର୍ଶାଇଛନ୍ତି। ୨ ମାସ ଭିତରେ ସମସ୍ତଙ୍କ ସମ୍ପର୍କୀୟମାନଙ୍କୁ ଭୁବନେଶ୍ବର ଏମ୍ସ ପକ୍ଷରୁ ନିଯୁକ୍ତିପତ୍ର ଡାକ ଯୋଗେ ଯିବ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ୨ ମାସ ବିତିବା ପରେ ସମସ୍ତଙ୍କ ମୁଣ୍ଡବ୍ୟଥା ଆରମ୍ଭ ହୋଇଥିଲା। ମରି ପଡ଼ି ଧାରକରଜ ଓ ଜମିବାଡ଼ି ବିକି ଲକ୍ଷ ଲକ୍ଷ ଟଙ୍କା ଯୋଗାଡ଼ କରିଥିବା ଏହି ଅଭିଯୋଗକାରୀମାନେ ଘନଘନ ସାବିତ୍ରୀଙ୍କୁ ଯୋଗାଯୋଗ କରିବାରେ ଲାଗିଲେ। ଶେଷରେ ସାବିତ୍ରୀଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଗଲା ଓ ସେ ପୂର୍ବରୁ ଜଣାଇଥିବା ଠିକଣା ମଧ୍ୟ ଉଭାନ୍ ହୋଇଗଲା। ତେଣୁ ଠକାମିର ଶିକାର ହୋଇଥିବା ନିଶ୍ଚିତ ହେବା ପରେ ଏବେ ସେମାନେ ପୁଲିସର ସହଯୋଗ ଲୋଡ଼ିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଜୁଲାଇ ୨୦ ତାରିଖରେ ଖଣ୍ଡଗିରି ଥାନା ପୁଲିସ ଠିକ୍ ଏଭଳି ଏକ ମାମଲାରେ କନ୍ଧମାଳର ମହିଳା କବିତା ଅଧିକାରୀ(ଏମ୍ସର ନକଲି ନର୍ସ)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେ ଖଣ୍ଡଗିରିବାରୀର ଶାନ୍ତି ସାହୁ ଓ ତାଙ୍କ ସମ୍ପର୍କୀୟମାନଙ୍କଠାରୁ ପ୍ରାୟ ଦେଢ଼ କୋଟି ଟଙ୍କା ହଡ଼ପ କରିଥିଲେ। ଏବେ ଅଭିଯୁକ୍ତା ସାବିତ୍ରୀଙ୍କ ଘର ମଧ୍ୟ କନ୍ଧମାଳ ବୋଲି କୁହାଯାଉଛି। ପୁଲିସ ଅଭିଯୋଗକାରୀମାନଙ୍କ ବ୍ୟାଙ୍କ ଜମା ଖାତାର ଟଙ୍କା ଦେଣନେଣ ଛାନ୍ଭିନ୍ କରିବା ସହ ସାବିତ୍ରୀଙ୍କୁ ଠାବ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।