ବାଇକ୍ ଚକାକୁ ଧରି ରାସ୍ତାରେ ଘୁଷୁଡ଼ିଲେ
ଖସିଯିବା ପାଇଁ ଉଡ଼ାଇଲେ ୫୦୦ ଟଙ୍କିଆ ବିଡ଼ା
ନିର୍ଧୁମ୍ ଛେଚିଲେ, ଜଣେ ଗୁରୁତର
ବାଲିଅନ୍ତା : ବାଳକାଟି ଫାଣ୍ଡି ଅଞ୍ଚଳରେ ଏବେ ଲୁଟେରାଙ୍କ ଉପଦ୍ରବ ବଢ଼ି ଚାଲିଛି। ଗତକାଲି ଟଙ୍କପାଣି ବ୍ରିଜ୍ ଉପରେ ମାଂସ ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ୫୦ ହଜାର ଟଙ୍କା ଲୁଟି ନେବା ଘଟଣାକୁ ୪୮ ଘଣ୍ଟା ନବିତୁଣୁ ଆଜି ଦିନ ଦ୍ବିପ୍ରହରରେ ଲୁଟେରାମାନେ ଜଗନ୍ନାଥ ସାହୁ ନାମକ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀଙ୍କୁ ଛୁରି ଦେଖାଇ ୧ ଲକ୍ଷ ୮୨ ହଜାର ଟଙ୍କା ଲୁଟି ନେଇଛନ୍ତି।
ସୂଚନା ଅନୁସାରେ ବାଳକାଟି ଫାଣ୍ଡି ଅଧୀନ ନୂଆପାଟଣା ଗ୍ରାମର ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଶ୍ରୀ ସାହୁ ଘରକାମ ପାଇଁ ତାଙ୍କ ସାନ ଭାଇ ତ୍ରିନାଥ ସାହୁଙ୍କ ସହିତ ଆଜି ମଧ୍ୟାହ୍ନରେ ବାଳକାଟି ବାଳକ ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ଷ୍ଟେଟ୍ ବ୍ୟାଙ୍କ ଶାଖାକୁ ଟଙ୍କା ଉଠାଇବାକୁ ଯାଇଥିଲେ। ତ୍ରିନାଥ ତାଙ୍କ ଆକାଉଣ୍ଟରୁ ୨ ଲକ୍ଷ ଉଠାଇ ବଡ଼ ଭାଇଙ୍କୁ ଦେଇଥିଲେ। ଏହାପରେ ସେ ପଳାଇଥିଲେ। ଜଗନ୍ନାଥ ଟଙ୍କା ବିଡ଼ା ଗାଡ଼ି ଡିକିରେ ରଖିଥିଲେ। ସେଠାରୁ ୪ ଜଣ ଲୁଟେରା ତାଙ୍କୁ ପିଛା କରିଥିଲେ। ଜଗନ୍ନାଥ ବ୍ୟାଙ୍କଠାରୁ ମାତ୍ର ୧୦୦ ମିଟର ଯିବା ପରେ ଅଟୋ ଷ୍ଟାଣ୍ଡ ନିକଟରେ ଦୁଇଜଣ ଲୁଟେରା ପ୍ରଥମେ ତାଙ୍କ ବାଇକ୍ ଆଗରେ ଗାଡ଼ି ରଖି ଅଟକାଇ ଯୁକ୍ତିତର୍କ କରିଥିଲେ। ଏତିକିବେଳେ ଅନ୍ୟ ବାଇକ୍ରେ ଥିବା ଦୁଇ ଲୁଟେରା ଛୁରି ଦେଖାଇ ଗାଡ଼ି ଡିକି ଭାଙ୍ଗି ଟଙ୍କା ବ୍ୟାଗ ନେଇ ଯାଇଥିଲେ। ୫ଶହ ଟଙ୍କିଆ ୩ ବିଡ଼ା ସହଯୋଗୀଙ୍କ ହାତକୁ ବଢ଼ାଇ ଦେଇଥିଲେ। ଆଉ ଗୋଟିଏ ବିଡ଼ା ଟଙ୍କା ଦୁଇଜଣ ଲୁଟେରାଙ୍କ ପାଖରେ ରହି ଯାଇଥିଲା। ଲୁଟେରା ଦ୍ବୟ ଦେଢ଼ ଲକ୍ଷ ନେଇ ଟଙ୍କପାଣି ରାସ୍ତାରେ ଫେରାର ହୋଇଯାଇଥିଲେ। ତେବେ ଜଗନ୍ନାଥ ସାହାସ ଜୁଟାଇ ଅନ୍ୟ ବାଇକ୍ରେ ଥିବା ଦୁଇ ଲୁଟେରାଙ୍କ ସହ ଦୀର୍ଘ ସମୟ ଧରି ଧସ୍ତାଧସ୍ତି କରିଥିଲେ। ଲୁଟେରାଦ୍ବୟ ବାଇକ୍ ନେଇ ଖସି ପଳାଇଯିବାକୁ ଚେଷ୍ଟା କରୁଥିଲେ ହେଁ ଜଗନ୍ନାଥ ବାଇକ୍ ପଛ ଚକକୁ ଖୁବ୍ ଜୋରରେ ଧରି ରାସ୍ତାରେ କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଯାଇଥିଲେ। ଖଣ୍ଡିଆ ଖାବରା ହୋଇଯାଇଥିଲେ ବି ବାଇକ୍କୁ ଛାଡ଼ିନଥିଲେ।
ଲୁଟେରା ଦୁଇଜଣ ଲୁଟ ୫୦୦ ଟଙ୍କିଆ ବିଡ଼ାରୁ କିଛି ଟଙ୍କା ଉଡ଼ାଇ ଖସିଯିବାକୁ ଚେଷ୍ଟା କରିଥିଲେ। ବଜାରରେ ଏତେମାତ୍ରାରେ ଟଙ୍କା ଉଡ଼ିବା ଦେଖି ଲୋକମାନେ ଲୁଟ୍ପାଟ ହୋଇଥିବା ଜାଣିଥିଲେ। ଯାତାୟାତ କରୁଥିବା ଲୋକମାନେ ଗାଡ଼ି ମଟର ରଖି ଟଙ୍କା ଗୋଟାଇ ଥିଲେ। କିଛି ଭଦ୍ରବ୍ୟକ୍ତି ପାଇଥିବା ଟଙ୍କା ଜଗନ୍ନାଥଙ୍କୁ ହସ୍ତାନ୍ତର କରିଥିବା ବେଳେ ଆଉ କିଛି ଅସାଧୁ ଲୋକ ଟଙ୍କା ଲୁଟି ନେଇଥିବା ସନ୍ଦେହ କରାଯାଉଛି। ଜଗନ୍ନାଥଙ୍କୁ ୧୮ ହଜାର ଟଙ୍କା ହସ୍ତାନ୍ତର କରାଯାଇଥିବା ଏତଲାରେ ଦର୍ଶାଯାଇଛି। ଉତ୍ତ୍ୟକ୍ତ ଲୋକ ଜଣେ ଲୁଟେରାକୁ ତଳେ ପକାଇ ମାଡ଼ମାରିଥିବା ବେଳେ ଅନ୍ୟ ଜଣକୁ ହାତଗୋଡ଼ ବାନ୍ଧି ପିଟିଥିଲେ। ଲୋକଙ୍କ ମାଡ଼ରେ ଜଣେ ଲୁଟେରାର ମୁଣ୍ଡରେ ଗଭୀର ଆଘାତ ଲାଗିଛି। ବାଳକାଟି ଫାଣ୍ଡି ପୁଲିସ ଲୁଟେରାଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜଗନ୍ନାଥଙ୍କ ଅଭିଯୋଗକୁ ଭିତ୍ତିକରି ବାଲିଅନ୍ତା ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଲୁଟ୍ରେ ବ୍ୟବହୃତ ଏକ ବାଇକ୍ ଜବତ କରିଛି।