ରାଜଧାନୀରେ କରୋନା ନେଇ ଗୋ‌ଷ୍ଠୀସ୍ତରୀୟ କାର୍ଯ୍ୟକ୍ରମ ପାଇଁ ପ୍ରତି ୱାର୍ଡକୁ ଲକ୍ଷେ

ଆକ୍ସନ ପ୍ଲାନ୍ ପ୍ରସ୍ତୁତ ଲାଗି ଜୋନାଲ ଡେପୁଟି କମିସନରଙ୍କୁ ନିର୍ଦେଶ

ଭୁବନେଶ୍ୱର : ରାଜଧାନୀରେ କରୋନା ନେଇ ଗୋ‌ଷ୍ଠୀସ୍ତରୀୟ କାର୍ଯ୍ୟକ୍ରମ ପାଇଁ ୱାର୍ଡ ପିଛା ବାର୍ଷିକ ଲକ୍ଷେ ଟଙ୍କା ଦିଆଯିବ। କୋଭିଡ୍‌-୧୯ ବାର୍ଷିକ ୱାର୍ଡ ବଜେଟ୍‌ ଓ ଆକ୍ସନ୍ ପ୍ଲାନ୍ ଜରିଆରେ ଏହି ଅର୍ଥ ଦିଆଯିବ। ଜୋନାଲ ଡେପୁଟି କମିସନର୍‌ ନିଜ ନିଜ ଅଧୀନରେ ରହିଥିବା ୱାର୍ଡ ପାଇଁ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବା ସହିତ ଡେପୁଟି କମିସନର(କୋଭିଡ ସେଲ) ଜରିଆରେ ଏହାକୁ ଅନୁମୋଦନ କରିବା ଲାଗି କୁହାଯାଇଛି।

ରାଜଧାନୀରେ ଏବେ କରୋନା ଦ୍ରୁତ ଗତିରେ ମାଡ଼ି ଚାଲିଛି। ବିଏମ୍‌ସି ପକ୍ଷରୁ ଏ ନେଇ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିଲେ ହେଁ ସଂକ୍ରମଣ ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସି ପାରି ନାହିଁ। ଏହି ପରିପ୍ରେକ୍ଷୀରେ ଲୋକମାନଙ୍କ ମଧ୍ୟରେ କରୋନା ନେଇ ଅଧିକରୁ ଅଧିକ ସଚେତନତା ସୃଷ୍ଟି, ଅଭ୍ୟାସରେ ପରିବର୍ତନ ଆଣିବା ଓ ଗୋଷ୍ଠୀମାନଙ୍କୁ କୋଭିଡ୍‌ ଲଢ଼େଇରେ ସାମିଲ କରିବା ଲାଗି ବିଏମ୍‌ସି ଯୋଜନା କରିଛି। ଆକ୍ସନ୍ ପ୍ଲାନ୍‌ ପ୍ରସ୍ତୁତ କରିବା ଲାଗି ୱାର୍ଡ ସୁପରଭାଇଜର, ଅଙ୍ଗନବାଡ଼ି, ଆଶା, ଏଏନ୍‌ଏମ୍‌ ଓ କମ୍ୟୁନିଟି ଅର୍ଗାନାଇଜର୍‌ମାନେ ଜେଡିସିଙ୍କୁ ସହାୟତା କରିବେ। କେଉଁ କେଉଁ କ୍ଷେତ୍ରରେ ଏହି ଅର୍ଥକୁ ଖର୍ଚ କରାଯିବ, ତାହାର ବିସ୍ତୃତ ତଥ୍ୟ ପ୍ରଦାନ କରିବା ଲାଗି କୁହାଯାଇଛି। ଏହାସହ ପୂର୍ବତନ କର୍ପୋରେଟର, ୱାର୍ଡ କମିଟି ଓ ଧର୍ମଗୁରୁମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକ ଜରିଆରେ କରୋନା ପାଇଁ ସମ୍ବେଦନଶୀଳ ଥିବା ପ୍ରବାସୀ, ବୟସ୍କ ବ୍ୟକ୍ତି, ଭିନ୍ନକ୍ଷମ, ବିଧବା, ୧୦ବର୍ଷରୁ କମ୍‌ ଶିଶୁ, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବ୍ୟକ୍ତିମାନଙ୍କ ସଂଖ୍ୟା ସଂଗ୍ରହ କରାଯିବ। ୱାର୍ଡ ପାଇଁ ବ୍ୟୟ ଅଟକଳ ମଞ୍ଜୁର ହେବା ପରେ ଆକ୍ସନ୍‌ ପ୍ଲାନ୍‌ ଅନୁଯାୟୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର