ବାଲିଅନ୍ତା : ଅନ୍‌ଲାଇନ୍‌ ବ୍ୟବସାୟରେ ଜମା ଟଙ୍କା ଦୁଇଗୁଣା କରାଇଦେବାକୁ କହି ଜଣେ ଯୁବକ ଧଉଳି ଥାନା ଅଞ୍ଚଳରୁ ଅନେକ ଲୋକଙ୍କଠାରୁ ୧୧ଲକ୍ଷ ୫୫ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଠକାମିର ଶିକାର ହୋଇଥିବା ଲୋକମାନେ ଆଜି ମଧ୍ୟାହ୍ନରେ ସଂପୃକ୍ତ ଯୁବକକୁ ବାଲିଅନ୍ତା ଥାନା ଅଧୀନ ପାହାଳ ଫାଣ୍ଡି ଅଞ୍ଚଳରେ କାବୁ କରି ନେଇ ଫାଣ୍ଡି ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ। କିନ୍ତୁ ପାହାଳ ଫାଣ୍ଡି ପୁଲିସ ସେମାନଙ୍କୁ ଧଉଳି ଥାନାରେ ଅଭିଯୋଗ କରିବାକୁ କହିଥିଲେ। ତେବେ ଧଉଳି ଥାନା ପୁଲିସ ମଧ୍ୟ ସେମାନଙ୍କ ଅଭିଯୋଗ ଗ୍ରହଣ କରିନଥିବା ସୂଚନା ମିଳିଛି। ଧଉଳି ଥାନା ପୁଲିସ ଏତଲା ରଖି ନଥିବା ଜାଣି ପାହାଳ ଫାଣ୍ଡି ପୁଲିସ ଅପରାହ୍‌ଣରେ ସଂପୃକ୍ତ ଠକକୁ ଛାଡ଼ି ଦେଇଥିବା କାର୍ଯ୍ୟରତ ଜଣେ ପୁଲିସ ଅଧିକାରୀ କହିଛନ୍ତି।

Advertisment

ଅଭିଯୋଗ ମୁତାବକ, ସେ ୱେବ୍‌ସାଇଟ୍‌ରେ ବିଟ୍‌-କଏନ ନାମକ ଏକ ସଂସ୍ଥା ଖୋଲି ଅଭିଯୁକ୍ତଜଣଙ୍କ ଅକ୍ଷୟ କୁମାର ନାୟକଙ୍କଠାରୁ ଦୁଇଟି ପର୍ଯ୍ୟାୟରେ ୪ ଲକ୍ଷ ୫୫ ହଜାର ଟଙ୍କା, ଜ୍ଞାନେନ୍ଦ୍ର ଛୁଆଳସିଂହଠାରୁ ୨ ଲକ୍ଷ, ଅନ୍ତର୍ଯ୍ୟାମୀ ନାୟକଙ୍କ ଠାରୁ ୩ଲକ୍ଷ, ବାଳକାଟିର ଦୁଇ ଜଣ ନାରାୟଣ ଓ ମୁନାଙ୍କଠାରୁ ୨ଲକ୍ଷ ଟଙ୍କା ଠକି ନେଇଥିବା ନେଇ ଅଭିଯୋଗ ହୋଇଛି। ତେବେ ଏଭଳି ଭାବେ ଠକାମିର ଶିକାର ହୋଇଥିବା ବ୍ୟକ୍ତିଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନା କରିଦେଇଥିବା ଜଣାପଡ଼ିଛି।