ରାଜଧାନୀରେ ୧୨୦ କୋଟିର ଜିଏସ୍‌ଟି ଠକେଇ

ଧରାପଡ଼ିଲା କନ୍‌ଷ୍ଟ୍ରକସନ୍‌ ସଂସ୍ଥା, ଅର୍ଥ ଜମା କରିଦେବାରୁ କ୍ଷମା

ଭୁବନେଶ୍ୱର :ଭୁବନେଶ୍ବରର ଏକ ଜଣାଶୁଣା କନ୍‌ଷ୍ଟ୍ରକସନ୍‌ ସଂସ୍ଥା ୧୨୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ କରି ଧରାପପଡ଼ିଛି। ପ୍ରାୟ ୬୭୦ କୋଟି ଟଙ୍କାର କାରବାରରେ ସଂସ୍ଥା ଏଭଳି ଠକେଇ କରିଥିବା ଜଣାପଡ଼ିବା ପରେ ଆଜି ଦ୍ରବ୍ୟ ଓ ସେବା କର ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଜିଜିଆଇ) ଭୁବନେଶ୍ବର ପକ୍ଷରୁ ଚଢ଼ଉ କରାଯାଇଥିଲା। ତେବେ ଏହି ଠକେଇ ଧରାପଡ଼ିବା ପରେ ସଂସ୍ଥା ତୁରନ୍ତ ୧୨୦ କୋଟି ଟଙ୍କା ଜମା କରି ଦେଇଛି। ଆଉ ଏହି ଠକେଇ ପରିମାଣ ଅର୍ଥ ଜମା କରି ଦେଇଥିବାରୁ ଡିଜିଜିଆଇ ସଂସ୍ଥାକୁ କ୍ଷମା ଦେଇ ଦେଇଛି। କେବଳ ଗୋଟିଏ ମାମଲା କରି ଡିଜିଜିଆଇ କର୍ତ୍ତୃପକ୍ଷ ଫେରି ଆସିଛନ୍ତି। କାହାରିକୁ ଗିରଫ କରାଯାଇ ନାହିଁ କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏପରିକି ଠକେଇ କରିଥିବା ସଂସ୍ଥାର ନାମ ପ୍ରକାଶ କରିବାକୁ ମଧ୍ୟ ଡିଜିଜିଆଇ କୁନ୍ଥକୁନ୍ଥ ହୋଇଛି।

ସୂଚନା ମୁତାବକ, ଭୁବନେଶ୍ବରର ଏକ କନ୍‌ଷ୍ଟ୍ରକସନ୍‌ କମ୍ପାନି ରାଜ୍ୟର ବିଭିନ୍ନ ଜାଗାରେ ବଡ଼ବଡ଼ ନିର୍ମାଣ କାମ କରିଥାଏ। କୋଟି କୋଟି ଟଙ୍କାର ପ୍ରୋଜେକ୍ଟରରେ ସଂସ୍ଥା ଜିଏସ୍‌ଟି ଜମା ନ କରି ସରକାରଙ୍କୁ ଠକି ମାଲାମାଲ ହେଉଥିଲା। ଏ ନେଇ ଅଭିଯୋଗ ଆସିବା ପରେ ଡିଜିଜିଆଇ ଏଡିଜି ଦେବାଶିଷ ସାହୁଙ୍କ ନେତୃତ୍ବରେ ଏକ ଦଳ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଜିଏସ୍‌ଟି ଠକେଇ ଧରାପଡ଼ିଯିବାରୁ ସଂସ୍ଥା ତୁରନ୍ତ ୧୨୦ କୋଟି ଟଙ୍କା ଜମା କରି ଦେଇଥିଲା। ତେବେ କୋଟି କୋଟି ଟଙ୍କା ଠକେଇ କରିଥିଲେ ମଧ୍ୟ ଡିଜିଜିଆଇ ସଂପୃକ୍ତ ସଂସ୍ଥାକୁ କିଭଳି କ୍ଷମା କରିଦେଲା ସେ ନେଇ ପ୍ରଶ୍ନ ଉଠିଛି। ପୂର୍ବରୁ ଜିଏସ୍‌ଟି ଠକେଇ ଅଭିଯୋଗର ରଫାଦଫା କରିବାକୁ ଯାଇ ଏକ ହୋଟେଲ ଭିତରୁ ଜିଏସ୍‌ଟି ବିଭାଗର ବଡ଼ ଅଧିକାରୀ ମଧ୍ୟ ଧରାପଡ଼ିଥିବା ପ୍ରମାଣ ରହିଛି। ଏଣୁ ଏହି ଠକେଇରେ କାର୍ଯ୍ୟାନୁଷ୍ଠାନ ନ ହେବା ନେଇ ବଡ଼ ଅଧିକାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ତେବେ ପ୍ରକ୍ରିୟା ଚାଲୁ ରହିଛି। ସରିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର