ବ୍ୟବସାୟ ବାହାନାରେ ୧୬ ଲକ୍ଷ ଟଙ୍କା ଠକେଇ

ଧଉଳି: ବ୍ୟବସାୟ ଲାଭାଂଶକୁ ଅଧା ଅଧା କରିବା ଲୋଭ ଦେଖାଇ ଜଣେ ବ୍ୟକ୍ତି ଏକ ଘରୋଇ ସଂସ୍ଥାର ପରିଚାଳକଙ୍କଠାରୁ ୧୬ ଲକ୍ଷ ଟଙ୍କା ଠକି ନେଇଛି। ଠକାମୀର ଶିକାର ହୋଇଥିବା ଚିତ୍ତରଂଜନ ପଟ୍ଟନାୟକ ଏ ନେଇ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ସୂଚନାନୁସାରେ ଧଉଳି ଥାନା ଅଞ୍ଚଳର ଚିତ୍ତରଂଜନ କୋଲକାତାସ୍ଥିତ ଏକ ଘରୋଇ ସଂସ୍ଥାରେ ରିଜିଓନାଲ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି। ଅଭିଯୁକ୍ତ ଜଣକ ତାଙ୍କୁ ଏକ ବ୍ୟବସାୟରେ ଅଂଶୀଦାର ହେବା ପାଇଁ କହିଥିଲେ।

ଚିତ୍ତରଂଜନ କିଛି ଟଙ୍କା ଖଟାଇବେ ଓ ଲାଭାଂଶ ଅଧା ଅଧା କରାଯିବ ବୋଲି ଉଭୟଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା। ଚୁକ୍ତି ଅନୁସାରେ ଚିତ୍ତରଂଜନ ତାଙ୍କୁ ୧୬ ଲକ୍ଷ ଟଙ୍କା ଦେଇଥିଲେ। ମାତ୍ର ଟଙ୍କା ହାତେଇବା ପରେ ସେ ଆଉ ଚିତ୍ତରଂଜନଙ୍କୁ ଧରାଛୁଆଁ ଦେଇନଥିଲା। ଏହା ମଧ୍ୟରେ ୩ ବର୍ଷ ବିତିଯାଇଥିଲା। ଚିତ୍ତରଂଜନ ନା ଲାଭ ପାଇଲେ ନା ମୂଳ ଟଙ୍କା ଫେରିପାଇଲେ। ତେଣୁ ଶେଷରେ ବାଧ୍ୟ ହୋଇ ପୁଲିସର ଦ୍ବାରସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର