ବିଏମ୍‌ସିର ନିର୍ବାଚନୀ ଥୋପ : ଡ୍ରେନ୍‌ ମରାମତି ପାଇଁ ସାଢ଼େ୧୭କୋଟି

ଭୁବନେଶ୍ବର : ଗତବର୍ଷ ରାଜଧାନୀବାସୀଙ୍କୁ ଲଘୁଚାପ ଜନିତ ବର୍ଷା ଜଳବନ୍ଦୀ କଲା। ଏହାକୁ ନଜରରେ ରଖି ବିଏମ୍‌ସି ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କିଛି ସ୍ଥାନରେ ଡ୍ରେନ୍ ବି ମରାମତି ହେଲା। କିନ୍ତୁ ଜଳବନ୍ଦୀ ସମସ୍ୟାକୁ ଏଡ଼ାଇବାକୁ ଏହା ଯଥେଷ୍ଟ ହୋଇନି। ଆଗକୁ ବର୍ଷା ଋତୁ ଆସୁଥିବାବେଳେ ବର୍ଷ ଶେଷକୁ ବିଏମ୍‌ସି ନିର୍ବାଚନ ହେବାର ସମ୍ଭାବନା ଅଛି। ତେଣୁ ଏଥର ଯଦି ଜଳବନ୍ଦୀ ସମସ୍ୟା ଉପୁଜେ ତେବେ ଶାସକ ଦଳ ସପକ୍ଷରେ ଭୋଟ୍ ଆସିବା କଷ୍ଟକର ହୋଇପଡ଼ିବ। ଏହାକୁ ନଜରରେ ରଖି ବିଏମ୍‌ସି ପକ୍ଷରୁ ଡ୍ରେନ୍‌ ନିର୍ମାଣ, ମରାମତି ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଏବେ ଜଳବନ୍ଦୀ ସମସ୍ୟା ସୃଷ୍ଟି କରୁଥିବା ୨୨ଟି ସ୍ଥାନରେ ଆଭ୍ୟନ୍ତରୀଣ ଡ୍ରେନ୍ ନିର୍ମାଣ କରିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି। ଏଥିପାଇଁ ସାଢ଼େ ୧୭କୋଟି ଟଙ୍କା ଖର୍ଚ୍ଚ ହେବ। ଜୁନ୍‌ ମାସ ପୂର୍ବରୁ ଏହାକୁ ସାରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ଆଜି ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏଥର ବର୍ଷା ଋତୁରେ ରାଜଧାନୀବାସୀ ଯେପରି ଜଳବନ୍ଦୀ ସମସ୍ୟାର ସମ୍ମୁଖୀନ ହେବେନି ସେଥିପାଇଁ ୧୭କୋଟି ୬୦ଲକ୍ଷ ୧୮ହଜାର ୩୦୨ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ହୋଇଛି। ଆଜି ଏନେଇ ଟେଣ୍ଡର ଆହ୍ବାନ ହୋଇଛି। ବିଏମ୍‌ସିର ଏହି ଯୋଜନା ଦ୍ବାରା ଇସ୍କନ୍ ସମ୍ମୁଖ ନୂଆପଲ୍ଲୀ ଅଞ୍ଚଳର ଜଳବନ୍ଦୀ ସମସ୍ୟା ଦୂର ହେବ ବୋଲି କୁହାଯାଉଛି। ୱାର୍ଡ ୩୭ର ପ୍ଲଟ୍‌ ନଂ୭୨୦/୫୩୧ ନିକଟରେ ୧୪ଲକ୍ଷ ୮୭ହଜାର ଟଙ୍କା, ରାଧାକୃଷ୍ଣ ଲେନ୍ ଏବଂ ଅଟାକଳ ଲେନ୍‌ରେ ୨୬ଲକ୍ଷ ଟଙ୍କା ଏବଂ ନୂଆପଲ୍ଲୀ ସ୍ବେରେଜ୍‌ ବୋର୍ଡ ରାସ୍ତାରୁ ହଜ୍‌ ପର୍ଯ୍ୟନ୍ତ ମୁଖ୍ୟ ଡ୍ରେନ୍ ନିର୍ମାଣ ଓ କଲଭର୍ଟ ପାଇଁ ୩୩ଲକ୍ଷ ୩୪ ହଜାର ଟଙ୍କା ବ୍ୟୟରେ ଡ୍ରେନ୍ ନିର୍ମାଣ ହେବ। ସମସ୍ତ ଡ୍ରେନ୍ ଉପରେ ସ୍ଲାବ୍ ପଡ଼ିବ। ଏନେଇ ସ୍ଥାନୀୟ କର୍ପୋରେଟର ନବ କିଶୋର ବେହେରା କହିଛନ୍ତି ଯେ, ସ୍ଥାନୀୟ ଅଞ୍ଚଳର ଜଳବନ୍ଦୀ ସମସ୍ୟା ଦୂର ପାଇଁ ଡ୍ରେନ୍ ନିର୍ମାଣ ଆବଶ୍ୟକ ଥିଲା। ଏନେଇ ମୁଁ ୱାର୍ଡବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲି। ଏବେ ଅର୍ଥ ମିଳିଛି। ଆସନ୍ତା ବର୍ଷା ଋତୁ ପୂର୍ବରୁ ଏହି ଡ୍ରେନ୍ ନିର୍ମାଣ କରାଯିବ।

ସେହିପରି ୱାର୍ଡ ୬୨ରେ ଅନନ୍ତ ବିହାର ଫେଜ୍‌-୨ରେ ୮୬ଲକ୍ଷ ୩୦ହଜାର, ଡୁମୁଡୁମା ହାଉସିଂବୋର୍ଡ କଲୋନିର ଫେଜ୍-୪ରେ ୧କୋଟି ୫୧ଲକ୍ଷ ୫୭ହଜାର, ୱାର୍ଡ ୨୪ର ଜଗନ୍ନାଥ ବିହାରରେ ପ୍ଲଟ୍ ନଂ ୩୮୭ରୁ ୫୯/୫୫୩କୁ ଡ୍ରେନ୍ ପାଇଁ ୫୫ଲକ୍ଷ ୪୪ହଜାର, ଭାଗବତ ସନ୍ଧାନ ଗେଟ୍‌ରୁ ଜଗନ୍ନାଥ ରୋଡ୍ ପର୍ଯ୍ୟନ୍ତ ୩କୋଟି ୭୦ଲକ୍ଷ ୫୩ହଜାର, ଶ୍ରୀ ଟକିଜ୍ ପଛ ପାର୍ଶ୍ବରେ ମୁଖ୍ୟ ଡ୍ରେନ୍ ୫ ପୁନରୁଦ୍ଧାର ପାଇଁ ୧୫ଲକ୍ଷ ୨୮ହଜାର, ରାଧାକୃଷ୍ଣ ନଗର ପାଇଁ ୩କୋଟି ୮୧ଲକ୍ଷ, ମାସନ୍ ପର୍ଲ ଆପାର୍ଟମେଣ୍ଟ ନିକଟରେ ୧୬ଲକ୍ଷ ୨୪ହଜାର, ଶତାବ୍ଦୀ ନଗରରେ ୮୧ଲକ୍ଷ ୭୦ହଜାର, ଧୀରିକୁଟି ବସ୍ତିରେ ୩୭ଲକ୍ଷ ୬୦ହଜାର, ପୋଖରୀପୁଟ ଅଞ୍ଚଳ ପାଇଁ ୬.୭୪ଲକ୍ଷ, ଲିଙ୍ଗରାଜ ବିହାରରେ ୧୬.୭୩ଲକ୍ଷ, ସାଲିଆ ସାହିରେ ଶିବ ମନ୍ଦିର ନିକଟରେ ୨୮ଲକ୍ଷ ୩୧ହଜାର, ଡମଣା ଗାଁରେ ଯମୁନା ପୋଖରୀ ନିକଟ ଅଞ୍ଚଳରେ ୩୩ଲକ୍ଷ ୯୨ହଜାର, ପରିଡ଼ା ପୋଖରୀ ନିକଟ ଅଞ୍ଚଳରେ ୧୮ଲକ୍ଷ ୪୮ହଜାର, ଶିବ ନଗର ଓ ବିଷ୍ଣୁନଗର ଛକରୁ ରତ୍ନାକର ବାଗ୍‌ ଲେନ୍ ୧ ପର୍ଯ୍ୟନ୍ତ ୨୨.୯୧ଲକ୍ଷ, ୱାର୍ଡ ୪୯ରେ ୨୪.୬୭ଲକ୍ଷ, ଗୌରୀଶଙ୍କର ଇଂରାଜୀ ମାଧ୍ୟମିକ ସ୍କୁଲ ନିକଟ ଅଞ୍ଚଳ ପାଇଁ ୨୨.୪୫ଲକ୍ଷ, ଗଡ଼ ମହାବୀର ରୋଡରୁ ମୁଖ୍ୟ ଡ୍ରେନ୍ ୭ ପର୍ଯ୍ୟନ୍ତ ୧୦.୬୧ଲକ୍ଷ ଟଙ୍କା ବ୍ୟୟରେ ଡ୍ରେନ୍ ନିର୍ମାଣ ହେବ ବୋଲି ନିଷ୍ପତ୍ତି ହୋଇଛି। ଧାର୍ଯ୍ୟ ସମୟ ମଧ୍ୟରେ କାମ ଶେଷ ହେବ। ଯଦି ଠିକାଦାର କାମ ଶେଷ ନକରନ୍ତି ତେବେ ତାଙ୍କୁ କଳା ତାଲିକାଭୁକ୍ତ କରାଯିବ ବୋଲି ମେୟର କହିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଡେପୁଟି ମେୟର କେ.ଶାନ୍ତି, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ (ପୂର୍ତ୍ତ) ଅମରେଶ ଜେନା, ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର, ବିଏମ୍‌ସି ସଚିବ ଦେବାଶିଷ ମହାନ୍ତି, କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର, ସଞ୍ଜୟ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ମୁଖ୍ୟ ଡ୍ରେନ୍ ପାଇଁ ଖର୍ଚ୍ଚ ହେବ ୪୦୦କୋଟି

୧୦ଟି ଯାକ ମୁଖ୍ୟ ଡ୍ରେନ୍‌ର ପୁନରୁଦ୍ଧାର ପାଇଁ ବିଏମ୍‌ସି ୪୦୦କୋଟି ଖର୍ଚ୍ଚ କରିବ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧୦୦କୋଟି ଓ ଦ୍ବିତୀୟ ପର୍ଯ୍ୟାୟରେ ୩୦୦କୋଟି ଖର୍ଚ୍ଚ ହେବ। କେଉଁ ଅଞ୍ଚଳରେ ମୁଖ୍ୟ ଡ୍ରେନ୍‌ର କେଉଁ କାମ ହେବ ସେଥିପାଇଁ ବିଏମ୍‌ସି ଡ୍ରେନେଜ୍‌ ଡିଭିଜନ୍‌ରେ ୧୬ଜଣ ଯନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏହାସହ ଆବଶ୍ୟକୀୟ ଅମିନ ମଧ୍ୟ ଯୋଗାଇ ଦିଆଯାଇଛି। ଖୁବ୍ ଶୀଘ୍ର ୧୦୦କୋଟି ଟଙ୍କାରେ ଡ୍ରେନ୍ ମରାମତି କରାଯିବ। ଏହାପରେ ଦ୍ବିତୀୟ ପର୍ଯ୍ୟାୟରେ ୩୦୦କୋଟି ବ୍ୟୟରେ ରିଟେନିଂ ୱାଲ୍‌, ଓସାର, ଗଭୀର କରାଯିବ ବୋଲି ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର