ଭୁବନେଶ୍ୱର : ସଂସ୍ଥା ନିର୍ଦ୍ଦେଶକଙ୍କର ଡିଜିଟାଲ ଦସ୍ତଖତ ବ୍ୟବହାର କରି ୧୮ କୋଟି ଟଙ୍କା ନେଇଗଲେ। ଲୁଚାଇ ଚୋରାଇ ନୁହେଁ, ଜାଲ୍ କାଗଜପତ୍ର ବଳରେ ନିଜକୁ ମାଲିକ ଭାବେ ଉପସ୍ଥାପିତ କରିଥିବାରୁ ସରକାରୀ ଅଫିସ୍ରୁ ମଧ୍ୟ ବିଲ୍ ଆଦାୟ କରିଥିଲେ। ସଂସ୍ଥାର ବିଭିନ୍ନ ବ୍ୟାଙ୍କ୍ ଆକାଉଣ୍ଟ୍ରୁ ଏହି ମୋଟା ଅଙ୍କର ଟଙ୍କା ଉଠାଇ ନେଇଥିଲେ। ମାଲିକ ଜାଣିବା ବେଳକୁ ସଂସ୍ଥା ବୁଡ଼ିବାକୁ ବସିଲାଣି। ଅଭିଯୋଗକାରୀ ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ ୨୧ଟି ଏତଲା ଦେଇଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ କୋର୍ଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟଙ୍କ ଆଦେଶକ୍ରମେ ନୂଆପଲ୍ଲୀ ଥାନା ପୁଲିସ ମାମଲା ରୁଜୁ କରିବା ସହ ଆଜି ୨ ଅଭିଯୁକ୍ତଙ୍କୁ ଉଠାଇ ଆଣିଛି। ତା’ ସହିତ ଆଗକୁ ଯେଭଳି ଆଉ ଠକେଇ ନ ହେବ, ସେଥିପାଇଁ ବିଭିନ୍ନ ବ୍ୟାଙ୍କ୍ରେ ଥିବା ସଂସ୍ଥାର ଆକାଉଣ୍ଟକୁ ଅଚଳ କରିବା ଲାଗି ପୁଲିସ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି। ଦୀର୍ଘ ଦିନ ଫେରାର ରହିବା ପରେ ଆଜି ପୁଲିସ ପଞ୍ଝାକୁ ଆସିଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି, ବ୍ରହ୍ମପୁର ଛେତ୍ରୀର ପ୍ରଭାସ ଚନ୍ଦ୍ର ମିଶ୍ର ଓ ଆଠଗଡ଼ ପିତିରିର ରୁଦ୍ର ଦାଶ।
କୌତୂହଳ କଥା ହେଲା, ନିକଟ ଅତୀତରେ ଏମାନଙ୍କୁ ନୂଆପଲ୍ଲୀ ଥାନା ପୁଲିସ ଉଠାଇ ଆଣିଥିଲା। କିନ୍ତୁ ରାତି ଅଧରେ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଥାନାରେ ପହଞ୍ଚି ଅଣ୍ଡରଟେକିଂ ଲେଖିବାରୁ ପୁଲିସ୍ ସେମାନଙ୍କୁ ଛାଡ଼ି ଦେଇଥିଲା। ତଦନ୍ତରେ ସହଯୋଗ କରିବା ପାଇଁ ସର୍ତ୍ତ ରହିଥିଲା। ହେଲେ ସେମାନେ ଆଉ ଧରାଛୁଆଁ ଦେଇନଥିଲେ। ବରଂ ଏଫ୍ଆଇଆର କପି ଧରି ହାଇକୋର୍ଟରେ ପହଞ୍ଚିବା ସହ ଆଗୁଆ ଜାମିନ୍ ପାଇଥିଲେ। ଏବେ ଆଉ ଏକ ମାମଲା ରୁଜୁ ହେବା ପରେ ସେମାନଙ୍କୁ ଉଠାଇ ଅଣାଯାଇଥିବା ପୁଲିସ କହିଛି।
ଅଭିଯୋଗ ମୁତାବକ, ଆଇଆରସି ଭିଲେଜ୍ର ନନ୍ଦକିଶୋର ବେହେରା ଜଗନ୍ନାଥ ସୁପର ଷ୍ଟ୍ରକ୍ଚର ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଅଛନ୍ତି। ଏହି ସଂସ୍ଥା ରାଜ୍ୟର ବିଭିନ୍ନ ସ୍ଥାନରେ କୋଟି କୋଟି ଟଙ୍କାର ନିର୍ମାଣ କାର୍ଯ୍ୟ କରେ। ସେ ବ୍ରହ୍ମପୁରରେ ପାଠ ପଢ଼ୁଥିବା ବେଳେ ଅଭିଯୁକ୍ତମାନଙ୍କ ସହ ବନ୍ଧୁତା ହୋଇଥିଲା। ସେବେଠାରୁ ବନ୍ଧୁତା ରହିଥିଲା। ନନ୍ଦକିଶୋର ଏହି କନ୍ଷ୍ଟ୍ରକସନ୍ ସଂସ୍ଥା ଖୋଲିବା ପରେ ସେମାନଙ୍କୁ ଆର୍ଥିକ ସାହାଯ୍ୟ ମାଗିଥିଲେ। ସେମାନେ ଟଙ୍କା ଦେବା ସହ ପାର୍ଟନର ହେବାକୁ ଚାହିଥିଲେ। ହେଲେ ନନ୍ଦକିଶୋର ସେମାନଙ୍କୁ ପାର୍ଟନର କରିନଥିଲେ। ସେମାନେ କେବଳ ବୁଝାସୁଝା କରୁଥିଲେ। ରାଜ୍ୟର ଏକାଧିକ ଜାଗାରେ ପ୍ରକଳ୍ପ ରହିଥିବାରୁ ସେମାନେ ବିଭିନ୍ନ କାର୍ଯ୍ୟ ତଦାରଖ କରୁଥିଲେ। ନନ୍ଦକିଶୋରର ବିଭିନ୍ନ ପ୍ରକଳ୍ପ ବୁଲିବା ବେଳେ ଏମାନେ ଭୁବନେଶ୍ବର ମୁଖ୍ୟ କାର୍ଯ୍ୟାଳୟରେ କାମ କରୁଥିଲେ।
ସେମାନଙ୍କୁ ନନ୍ଦକିଶୋର ବେଶ୍ ସ୍ବାଧୀନତା ଦେଇଥିଲେ। ଏହାର ଫାଇଦା ନେଇ ଏମାନେ ଅଫିସ୍ରୁ ନନ୍ଦକିଶୋରଙ୍କର ଡିଜିଟାଲ ଦସ୍ତଖତ ନେଇ ନକଲି କାଗଜ ପ୍ରସ୍ତୁତ କରିଥିଲେ। ପ୍ରଥମେ ସେମାନେ ନିଜ ନାମକୁ ପାର୍ଟନର୍ ଦର୍ଶାଇ ସଂସ୍ଥା ନାମରେ କାଗଜପ୍ରସ୍ତୁତ କରିଥିଲେ। ଏପରିକି ସମ୍ପୃକ୍ତ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ପଦରୁ ନନ୍ଦକିଶୋର ଇସ୍ତଫା ଦେଇଛନ୍ତି ବୋଲି କାଗଜ ପ୍ରସ୍ତୁତ କରିଥିଲେ। ନକଲି କାଗଜକୁ ନେଇ ବିଭିନ୍ନ ସରକାରୀ ଅଫିସ୍ରେ ଜମା କରିଥିଲେ। ପାର୍ଟନର ଭାବରେ ଏମାନେ ବିଲ୍ ଅର୍ଥ ସଂଗ୍ରହ କରିବାକୁ କ୍ଷମତା ଉପଭୋଗ କରୁଥିଲେ। ସଂସ୍ଥା କୋଟି କୋଟି ଟଙ୍କାର କାମ କରୁଥିବାରୁ ବିଭିନ୍ନ ସମୟରେ ଏମାନେ ଲକ୍ଷ ଲକ୍ଷ ଟଙ୍କାର ବିଲ ହଡ଼ପ କରିବାକୁ ଲାଗିଥିଲେ। ଏଭଳି ପାଖାପଖି ୬କୋଟି ଠକିବା ପରେ ନନ୍ଦକିଶୋର ଥାନାରେ ଏତଲା ଦେଇଥିଲେ। ହେଲେ ସେମାନେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଜରିଆରେ ହିସାବ କିତାବ କରି ଟଙ୍କା ଦେଇ ଦେବେ ବୋଲି କହି ଆପୋଷ ବୁଝାମଣା କରିଥିଲେ। ଏହା ପରେ ସେମାନେ ଅନୁରୂପ ଢଙ୍ଗରେ ଠକି ଚାଲିଥିଲେ। ଏଭଳି ୧୮କୋଟି ୩୧ ଲକ୍ଷ ୪୮ ହଜାର ୯୭୮ ଟଙ୍କା ଠକି ନେଇଥିଲେ। ଏ ନେଇ ନନ୍ଦକିଶୋର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳ ମିଳି ନଥିଲା। ଏଣୁ ସେ କୋର୍ଟ ଯାଇଥିଲେ।
ଅନ୍ୟପଟେ ଅଭିଯୁକ୍ତଦ୍ବୟ କହିଛନ୍ତି, ସେମାନଙ୍କର ମୋଟା ଅଙ୍କର ଟଙ୍କା ଏହି ବେପାରରେ ଲାଗିଛି। ହିସାବ ହେଲେ ଏହାଠାରୁ ଆମେ ଅଧିକ ଟଙ୍କା ପାଇବୁ। ଏଣୁ ଅଭିଯୋଗ ମିଥ୍ୟା ବୋଲି ସେମାନେ କହିଛନ୍ତି। ଏ ନେଇ ଆଇଆଇସି ଶରତ ସାହୁ କହିଛନ୍ତି, ଅଭିଯୁକ୍ତ ପ୍ରତୀକ କର ଓ ଲୋକନାଥ ସୂର୍ଯ୍ୟନାରାୟଣ ମିଶ୍ର ଫେରାର ଅଛନ୍ତି। ସେମାନଙ୍କୁ ଖୋଜା ଚାଲିଛି। ସମସ୍ତ କାଗଜପତ୍ର ସଂଗ୍ରହ କରାଯାଇଛି। ଦସ୍ତଖତଗୁଡ଼ିକ ଅସଲି କି ନକଲି ଜାଣିବା ପାଇଁ ରାଜ୍ୟ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି।