ଭୁବନେଶ୍ବର : ଋଣ ଦେବାକୁ କହି ଲୁଟିନେଲେ ୧୮ ହଜାର

ଭୁବନେଶ୍ବର : ଲକ୍‌ଡାଉନରେ ମାତିଛନ୍ତି ସାଇବର ଠକ। ଭିନ୍ନ ଭିନ୍ନ ଉପାୟରେ ଲୋକଙ୍କୁ ନିଜ ଜାଲରେ ଫସାଇ ଲୁଟି ଚାଲିଛନ୍ତି। ଏମିତି ଏକ ଘଟଣାକ୍ରମରେ ସାଇବର ଠକଙ୍କ ଲୁଟ୍‌ର ଶିକାର ହୋଇଛନ୍ତି ରାଜଧାନୀରେ ଏକ ଘରୋଇ ଶିକ୍ଷାନୁଷ୍ଠାନ କର୍ମଚାରୀ ବିମଳ ପ୍ରଧାନ। ୧୮ ହଜାର ଟଙ୍କା ଠକେଇର ଶିକାର ହେବା ପରେ ଏ ନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଗତ ୭ ତାରିଖରେ ବିମଳଙ୍କ ନିକଟକୁ ଏକ ମୋବାଇଲ ନମ୍ବର(୮୫୩୯୦୦୨୪୧୪)ରୁ ଫୋନ୍ କଲ୍ ଆସିଲା। ଫୋନ୍ କରିଥିବା ବ୍ୟକ୍ତି ଋଣର ଆବଶ୍ୟକତା ଅଛି କି ବୋଲି ପଚାରିଥିଲା। ବିନା କୌଣସି କାଗଜପତ୍ରରେ ସହଜରେ ଋଣ ଦିଆଯାଉଛି ବୋଲି ଫୋନ୍ କରିଥିବା ବ୍ୟକ୍ତି କହିଥିଲା। କିନ୍ତୁ କିଛି ଅଗ୍ରୀମ ଟଙ୍କା ଦେବାକୁ ପଡ଼ିବ ବୋଲି କହିବା ସହ ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେଇଥିଲା। ଏଥିପାଇଁ ତିନିଟି କିସ୍ତିରେ ବିମଳ ଠକ ଦେଇଥିବା ଏକ ବ୍ୟାଙ୍କ ଆକାଉଣ୍ଟକୁ ୧୮ ହଜାର ଟଙ୍କା ପଠାଇଥିଲେ। ଋଣ ଟଙ୍କା ନ ଆସିବାରୁ ବିମଳ ସେହି ଫୋନ୍ ନମ୍ବରକୁ କଲବ୍ୟାକ୍ କରିଥିଲେ। କିନ୍ତୁ ତାହା ସୁଇଚ୍ ଅଫ୍ ହୋଇ ଯାଇଥିଲା। ଏହାପରେ ବିମଳ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ଯାଞ୍ଚ କରିବା ପରେ ଠକର ବ୍ୟାଙ୍କ ଆକାଉଣ୍ଟ ପଶ୍ଚିମବଙ୍ଗରେ ରହିଥିବା ଜାଣିବାକୁ ପାଇଥିଲେ। ଏନେଇ ବିମଳ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର