ଚେତୁନାହାନ୍ତି ଅମାନିଆ: ଜାନୁଆରିରେ ଜରିମାନା ଟପିଲା ୨କୋଟି

ଭୁବନେଶ୍ବର : ଚେତୁନାହାନ୍ତି ଅମାନିଆ। ଜରିମାନାକୁ ଖାତିର ନାହିଁ। ବର୍ଷ ଆରମ୍ଭରୁ ରାଜଧାନୀରେ ଅମାନିଆ ଉପରମୁହାଁ ହେଲେଣି। ଜାନୁଆରି ମାସରେ କମିସନରେଟ୍‌ ପୁଲିସ୍‌ ମୋଟ ୨୨ ହଜାର ୧୦୮ଜଣ ଅମାନିଆଙ୍କଠାରୁ ୨ କୋଟିରୁ ଊର୍ଦ୍ଧ୍ବ ଜରିମାନା ଆଦାୟ କରିଛି। ବିଶେଷକରି ଜାନୁଆରି ୧୩ରୁ ୨୯ ତାରିଖ ମଧ୍ୟରେ ହକି ବିଶ୍ବକପ୍‌ ଚାଲିଥିବା ବେଳେ ସର୍ବାଧିକ ଅମାନିଆ ଧରାପଡ଼ିଛନ୍ତି। କମିସନରେଟ୍‌ ପୁଲିସ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ ଅନୁଯାୟୀ ମୋଟ ୪୪୫୫ଜଣ ଆଇନ ଉଲ୍ଲଙ୍ଘନକାରୀଙ୍କଠାରୁ ୨୨ ଲକ୍ଷ ୩୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ସର୍ବସାଧାରଣ ସ୍ଥାନରେ ଧୂମପାନ ପାଇଁ (କୋଟପା) ଆଇନ ବଳରେ ୭୮୪ ଜଣଙ୍କଠାରୁ ୮୫,୬୫୦ ଟଙ୍କା, ମୋଟର ଯାନ ଆଇନ ଦ୍ବାରା ମୋଟ ୨୮୭ଜଣଙ୍କଠାରୁ ୧ ଲକ୍ଷ ୬୭ ହଜାର ଟଙ୍କା ଆଦାୟ କରାଯାଇଛି। ଏହିପରି ଭାବେ ଭୁନନେଶ୍ବର ସହରାଞ୍ଚଳ ପୁଲିସର ମିଳିତ କାର୍ଯ୍ୟାନୁଷ୍ଠାନରେ ୫,୫୭୪ଜଣ ଆଇନ ଉଲ୍ଲଙ୍ଘନକାରୀଙ୍କୁ ୨୪ ଲକ୍ଷ ୯୦ ହଜାର ୫୫୦ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହାବ୍ୟତୀତ, ବେଆଇନ ମଦ ବିକ୍ରି ମାମଲାରେ ୪୮ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ୨,୫୪୩.୨ ଲିଟର ବିଦେଶୀ ମଦ ଓ ଆସ୍କା-୪୦ ଦେଶୀ ମଦ ଜବତ କରାଯାଇଥିଲା।

odishasuntimes.com

ସେହିପରି ଭୁବନେଶ୍ବର ସହରାଞ୍ଚଳ ଟ୍ରାଫିକ୍‌ ଥାନା ତରଫରୁ ଗଠିତ ସ୍ୱତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବେଆଇନ ପାକିଂ, ନିଶାସକ୍ତ ଅବସ୍ଥାରେ ଗାଡ଼ିଚାଳନା, ସିଟ୍‌ ବେଲ୍ଟ, ହେଲମେଟ୍‌ ପରିଧାନ ତଥା ଟ୍ରାଫିକ ନିୟମ ଖିଲାପକାରୀଙ୍କଠାରୁ ଜରିମାନା ଆଦାୟ କରିଥିଲା। ବେଆଇନ ପାର୍କିଂ ପାଇଁ ୬୧୨ଜଣଙ୍କଠାରୁ ୩ ଲକ୍ଷ ଟଙ୍କା, ମୋଟରଯାନ ଆଇନ ଅନୁଯାୟୀ ୧୪,୬୫୦ଜଣଙ୍କ ନିକଟରୁ ୧ କୋଟି ୮୦ ଲକ୍ଷ ୯୯ ହଜାର ଟଙ୍କା ଆଦାୟ କରାଯାଇଛି। ଏହାବ୍ୟତୀତ ଟ୍ରାଫିକ୍‌ ନିୟମ ଖିଲାପ ଅଭିଯୋଗରେ ୨୧୩ଟି ଲାଇସେନ୍ସ ରଦ୍ଦ ନିମନ୍ତେ ସୁପାରିଶ କରାଯାଇଥିବା ଜଣାଯାଇଛି। ସେହିପରି ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା ନିମନ୍ତେ ୧୯୪ଜଣଙ୍କଠାରୁ ଚାଲାଣ କଟାଯାଇଥିଲା। ବେଆଇନ ପାର୍କିଂ ପାଇଁ ୮୬୫ଟି ଗାଡ଼ିକୁ ଟୋଇଂ କରି ଟ୍ରାଫିକ୍‌ ଥାନାକୁ ନିଆଯାଇଥିଲା। ଏହି ଚଢ଼ଉ ଅଭିଯାନରେ ମୋଟ ୧୬,୫୩୪ଟି ଚାଲାଣ କଟାଯାଇ ୧ କୋଟି ୮୩ ଲକ୍ଷ ୯୯ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା।

ହକି ବିଶ୍ବକପ୍‌ ପାଇଁ ଭୁବନେଶ୍ବରରେ ଶାନ୍ତିଶୃ୍ଙ୍ଖଳା ବଜାୟ ରଖିବା ସହ ଖେଳାଳି ଓ ଖେଳପ୍ରେମୀମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ଡିସିପି ଶ୍ରୀ ପ୍ରତୀକ ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକାଧିକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଏହି ସ୍ବତନ୍ତ୍ର ଟିମ୍‌ଗୁଡ଼ିକ ରାଜଧାନୀର ବିଭିନ୍ନ ସ୍ଥାନରେ ସନ୍ଧ୍ୟା ଓ ରାତ୍ରିକାଳୀନ ଚଢ଼ଉ କରିବା ସହ ଅମାନିଆଙ୍କୁ କାବୁ କରିଥିଲେ।

ସମ୍ବନ୍ଧିତ ଖବର