ଚାକିରି କରାଇ ଦେବାକୁ କହି ୨୧ଲକ୍ଷ ଚଳୁ ଘଟଣା: ରେଲ‌ୱେ ଚାକିରିଆ ନୁହନ୍ତି ଠକ ଶଳା-ଭିଣୋଇ

ଚନ୍ଦ୍ରଶେଖରପୁର : ରେଳବାଇରେ ଚାକିରି କରାଇଦେବା ନାଁରେ ୫ଜଣଙ୍କଠାରୁ ୨୧ଲକ୍ଷ ଟଙ୍କା ଠକି ନେବା ଘଟଣାର ମୁଖ୍ୟ ଅଭିଯୁକ୍ତ ଶଳା-ଭିଣୋଇକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ରବିବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଦ୍ବୟ ହେଲେ, ସୌମ୍ୟରଂଜନ ରାଉତ ଓ ତା’ ଭିଣୋଇ ସମରଜିତ୍‌ ରାଉତ। ତେବେ ଉଭୟ ରେଳ ବିଭାଗର କର୍ମଚାରୀ କି ନୁହେଁ, ତାହା ଜାଣିବା ପାଇଁ ଆଜି ରେଳ ବିଭାଗର କିଛି ଅଧିକାରୀ ଚନ୍ଦ୍ରଶେଖରପୁର ଥାନାରେ ତଦନ୍ତ କରିଥିଲେ। ପାଖାପାଖି ଘଣ୍ଟାଏ ଧରି ସେମାନେ ଯାଞ୍ଚ କରିବା ପରେ ଅଭିଯୁକ୍ତଦ୍ବୟଙ୍କ ରେଳ ବିଭାଗ ସହ କୌଣସି ସଂପର୍କ ନାହିଁ ବୋଲି ଗଣମାଧ୍ୟମକୁ କହିଛନ୍ତି। ଦୁଇଜଣ ଯାକ ଅଭ୍ୟାସଗତ ଠକ ଓ ଏମାନେ ରାଜଧାନୀରେ ଏମିତି ରୢାକେଟ୍‌ ଚଳାଇ ବେକାର ଯୁବକ/ଯୁବତୀମାନଙ୍କୁ ଠକି ଆସୁଥିଲେ ବୋଲି ପୁଲିସ କହିଛି। ତେବେ ଏମାନଙ୍କ ବିରୋଧରେ କମିସନରେଟ୍‌ର ଅନ୍ୟ ଥାନାରେ ଅଭିଯୋଗ ଅଛି କି ନାହିଁ, ସେ ସଂପର୍କରେ ପୁଲିସ୍‌ ଛାନଭିନ୍‌ ଆରମ୍ଭ କରିଛି।

ଅନ୍ୟପକ୍ଷରେ ଏ ସଂପର୍କରେ ତଦନ୍ତକାରୀ ଅଧିକାରୀ କହିଛନ୍ତି ଯେ ରେଳ ବିଭାଗ‌ରେ ଚାକିରି କରିବା ପାଇଁ କୌଣସି ଦେୟ ଦେବାକୁ ପଡ଼ିନଥାଏ। ଏମିତି ଠକଙ୍କଠାରୁ ବର୍ତ୍ତିବା ପାଇଁ ରେଳ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ବିଜ୍ଞପ୍ତି, ବିଜ୍ଞାପନ ଓ ହେଲ୍ପ-‌‌ଡେସ୍କ ନମ୍ବର ମଧ୍ୟ ଜାରି କରାଯାଇଥାଏ। କିନ୍ତୁ ଏତେ ସଚେତନ କରାଯିବା ପରେ ମଧ୍ୟ ଲୋକ ଏଭଳି ଠକଙ୍କ ଜାଲରେ ଫସିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ରେଲୱେରେ ଚାକିରି କରାଇଦେବା ନାଁରେ ସୌମ୍ୟରଂଜନ ଓ ସରମଜିତ୍ ୫ଜଣଙ୍କଠାରୁ ବିଭିନ୍ନ ପର୍ଯ୍ୟାୟରେ ୨୧ ଲକ୍ଷ ଟଙ୍କା ଠକି ନେଇଥିଲେ। ସେମାନଙ୍କୁ ମିଛିମିଛିକା ଟ୍ରେନିଂ ଦେବା ସହ ଜାଲ୍‌ ନିଯୁକ୍ତିପତ୍ର ମଧ୍ୟ ଦେଇଥିଲେ। ଏ ସଂପର୍କରେ ଜଣାପଡ଼ିବା ପରେ ଠକେଇର ଶିକାର ହୋଇଥିବା ୫ଜଣ ଯାକ ଚନ୍ଦ୍ରଶେଖରପୁର ଥାନାର ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ଏନେଇ ପୁଲିସ୍‌ ଆଖିଦୃଶିଆ ପଦକ୍ଷେପ ନ ନେବାରୁ ଅଭିଯୋଗକାରୀମାନେ ଆଇନକୁ ହାତକୁ ନେଇଥିଲେ। ଶୁକ୍ରବାର ରାତିରେ ଅଭିଯୋଗକାରୀମାନେ ସମରଜିତ୍‌ଙ୍କ ଘରକୁ ଯାଇଥିଲେ। ସେ ସମୟରେ ସମରଜିତ୍‌ ଘରେ ନଥିଲେ। ଅଭିଯୋଗକାରୀମାନେ ସେଠାରେ ସୌମ୍ୟରଂଜନଙ୍କୁ ଦେଖି ଅପହରଣ କରିନେଇଥିଲେ। ସମରଜିତ୍‌ଙ୍କ ପତ୍ନୀ ତଥା ସୌମ୍ୟରଂଜନଙ୍କ ଭଉଣୀ ଏନେଇ ପ୍ରତିବାଦ କରିଥିଲେ ହେଁ ଅପହରଣକାରୀମାନେ କିଛି ଶୁଣିନଥିଲେ। ତେଣୁ ବାଧ୍ୟ ହୋଇ ସମରଜିତ୍‌ଙ୍କ ପତ୍ନୀ ତମାଣ୍ଡୋ ଥାନାର ଦ୍ବାରସ୍ଥ ହୋଇଥିଲେ। ତେବେ କିଏ ଓ କାହିଁକି ସୌମ୍ୟଙ୍କୁ ଅପହରଣ କରିନେଲା ପୁଲିସ ପ୍ରଶ୍ନ କରିବାରୁ ସମରଙ୍କ ପତ୍ନୀ ସନ୍ତୋଷଜନକ ଉତ୍ତର ଦେଇନଥିଲେ। ପୁଲିସର ସନ୍ଦେହ ହେବାରୁ ପୁଲିସ ଅପହର୍ତ୍ତାଙ୍କୁ ଖୋଜିବ କ’ଣ, ଆଗ ମହିଳାଙ୍କୁ ଘନଘନ ଜେରା କରିଥିଲା। ତେଣୁ ପୁଲିସ୍‌ ଆଗରେ ମହିଳାଜଣକ ସବୁ ସତ ଉଗାରି ଦେଇଥିଲେ। ପରେ ତମାଣ୍ଡୋ ଥାନା ପୁଲିସ ମୋବାଇଲ୍‌ ଟ୍ରାକ୍ କରି ସମରଜିତ୍‌କୁ ତମାଣ୍ଡୋରୁ ଧରିଥିଲା। ତେବେ ତମା‌ଣ୍ଡୋ ଥାନା ପୁଲିସ ସୌମ୍ୟକୁ ପାଇବା ପୂର୍ବରୁ ଅପହର୍ତ୍ତାମାନେ ତାକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ପାଖରେ ହାଜର କରାଇ ଦେଇଥିଲେ। ପରେ ତମାଣ୍ଡୋ ପୁଲିସ ସମରଜିତ୍‌ଙ୍କୁ ଚନ୍ଦ୍ରଶେଖରପୁର ଥାନାକୁ ହସ୍ତାନ୍ତର କରିଥିଲା। ଅପରପକ୍ଷେ ୫ ଅଭିଯୋଗକାରୀ ସୌମ୍ୟଙ୍କୁ ଅପହରଣ କରିଥିବାରୁ ପୁଲିସ ସେମାନଙ୍କୁ ନୋଟିସ୍ ଦେଇ ଛାଡ଼ି ଦେଇଥିଲା।

ସମ୍ବନ୍ଧିତ ଖବର